Sun. Feb 2nd, 2025

ମୃତ୍ୟୁ ମୁହଁରୁ ଫେରିଆସିଲେ ଦେବରାଜ, ଦୁଇ ରେଳଧାରଣା ମଝିରେ ଶୋଇପଡ଼ିଲେ, ଟ୍ରେନ୍ ଚାଲିଗଲା

By amfnews Jun 27, 2019 #Featured
228 Views

ଚନ୍ଦ୍ରଶେଖରପୁର : ଘଣ୍ଟାକୁ ୯୦ରୁ ଅଧିକ କିଲୋମିଟର ବେଗରେ ମାଡ଼ି ଆସୁଥିଲା ଧଉଳି ଏକ୍ସପ୍ରେସ୍‌। ଆଉ ରେଳ ଧାରଣା ଉପରେ ଅନ୍ୟମନସ୍କ ଭାବେ ଚାଲି ଚାଲି ଯାଉଥିଲେ ଜଣେ ଯୁବକ। ରେଳ ଲାଇନ୍‌ର ପାର୍ଶ୍ବରେ ଥିବା ବସ୍ତିବାସିନ୍ଦାମାନେ ଚିତ୍କାର କରୁଥିଲେ। କିନ୍ତୁ କେହି କିଛି କରିବାକୁ ସେମାନେ ସକ୍ଷମ ନଥିଲେ। ସମସ୍ତେ ଭୟରେ ଆଖି ବନ୍ଦ କରିଦେଇଥିଲେ। ସବୁ କିଛି ଶେଷ ହୋଇଗଲା ବୋଲି ଧରି ନେଇଥିଲେ। କିନ୍ତୁ ଆଖି ଖୋଲିବା ବେଳକୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଗୋଟିଏ ମିନିଟ୍‌ରେ ମୃତ୍ୟୁ ସହିତ ମୁହାଁମୁହିଁ ହୋଇଥିବା ଯୁବକ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ହଠାତ୍ ସାମ୍ନାରୁ ମୃତ୍ୟୁ ରୂପି ଟ୍ରେନ ମାଡ଼ି ଆସୁଥିବା ‌େଦଖି ଦୁଇ ରେଳ ଧାରଣା ମଝି‌େର ‌େଶାଇପଡ଼ିଲେ, ଆଉ ଟ୍ରେନ୍ ତାଙ୍କ ଉପର ଦେଇ ଅତିକ୍ରମ କରିଗଲେ ମଧ୍ୟ ତାଙ୍କର କିଛି କ୍ଷତି ହୋଇ ନ ଥିଲା। ଆଜି ଅପରାହ୍‌ଣ ପ୍ରାୟ ୧ଟା ସମୟରେ ଏଭଳି ଏକ ଛାତିଥରା ଘଟଣା ଘଟିଥିଲା ମଞ୍ଚେଶ୍ବର ଷ୍ଟେସନ୍‌ ନିକଟରେ। ଏମିତି ମୃତ୍ୟ ସହ ମୁହାଁମୁହିଁ ହୋଇ ଅଳ୍ପକେ ବର୍ତ୍ତି ଯାଇଥିବା ଯୁବକ ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଖଣ୍ଡାଧାର ଗ୍ରାମର ଦେବରାଜ ପାତ୍ର(୩୭)।

ଚାକିରି କରିବା ଆଶାରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ କମ୍ପାନିକୁ ସାକ୍ଷାତକାର ପରୀକ୍ଷା ଦେବାକୁ ଆସିଥିଲେ ଦେବରାଜ। ହାତରେ ଥିଲା ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରର ଏକ ଫାଇଲ୍‌ ଓ ଗ୍ୟାଗ୍। ସେ ରେଳ ଧାରଣା ଉପରେ ଚାଲିଚାଲି ମଞ୍ଚେଶ୍ବର ଷ୍ଟେସନ୍ ଦିଗକୁ ଆସୁଥିବା ବେଳେ ସଲ୍‌ଟିଂ ଲାଇନ୍‌ରେ ଭିଏସ୍ଏସ୍ ନଗର ଦକ୍ଷିଣ କ୍ୟାବିନ୍ ଦିଗରୁ ଭୁବନେଶ୍ବର ଷ୍ଟେସନ୍‌ ପଟୁ ଦ୍ରୁତ ଗତିରେ ମାଡ଼ି ଆସୁଥିଲା ଧଉଳି ଏକ୍ସପ୍ରେସ୍। ମାତ୍ର ଏହାଦେଖି ସ୍ଥାନୀୟ ବସ୍ତିବାସିନ୍ଦା ଚିତ୍କାର କରି ଦେବରାଜଙ୍କୁ ସେଠାରୁ ହଟିଯିବା ପାଇଁ କହିଥିଲେ। ଲୋକଙ୍କ କଥା ଶୁଣି ସେ ପଛକୁ ଅନାଇବା ବେଳକୁ ଟ୍ରେନ୍ ତାଙ୍କଠାରୁ ମାତ୍ର କିଛି ଫୁଟ୍ ଦୂରରେ ପହଞ୍ଚି ଯାଇଥିଲା। ଏହାଦେଖି ଦେବରାଜ ଦୁଇ ରେଳଧାରଣା ମଧ୍ୟରେ ଶୋଇପଡ଼ିଥିଲେ। ପ୍ରାୟ ୧ ମିନିଟ୍‌ ମଧ୍ୟରେ ଟ୍ରେନ୍‌ ତାଙ୍କ ଉପରେ ଚାଲି ଯାଇଥିଲା। ଟ୍ରେନ୍‌ର ଶେଷ ବଗିରେ ଝୁଲୁଥିବା ହୋସ୍‌ ପାଇପ୍‌ ମାଡ଼ରେ ତାଙ୍କ ବାମ ହାତ କହୁଣି ଆଘାତପ୍ରାପ୍ତ ହୋଇଥିଲେ ମଧ୍ୟ ତାଙ୍କ ଜୀବନ ରକ୍ଷା ହୋଇଯାଇଥିଲା। ଷ୍ଟେସନ୍ କର୍ମଚାରୀମାନେ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା କରାଇ ସନ୍ଧ୍ୟାରେ ଘରକୁ ଫେରିଯିବା ପାଇଁ ପରାମର୍ଶ ଦେଇଥିଲେ।

ସୂଚନା‌ଯୋଗ୍ୟ ଯେ ମ‌ଞ୍ଚେଶ୍ବର ଶିଳ୍ପାଞ୍ଚଳ ରାସ୍ତା ଦେଇ ଶହ ଶହ ଲୋକ ‌ମଞ୍ଚେଶ୍ବର ‌ଷ୍ଟେସନ୍‌କୁ ଯାତାୟାତ କରୁଛନ୍ତି। ଆଉ ସେମାନଙ୍କ ମଧ୍ୟରୁ ଅନେକ ରେଳ ଲାଇନ୍‌ ପାର କରୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। ରେଳ ଲାଇନ୍‌ ଉପରେ ଫୁଟ୍‌ ଓଭରବ୍ରିଜ୍‌ ଥିଲେ ମଧ୍ୟ ଲୋକମାନେ ଏହାକୁ ବ୍ୟବହାର କରୁ ନ ଥିବାରୁ ଏପରି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।

By amfnews

Related Post