Sat. Apr 19th, 2025

ମୁହଁ ଖୋଲିଲେ ରୂପେଶଙ୍କ ପତ୍ନୀ: କହିଲେ-ମୋ ସିନ୍ଦୂର ଉପରେ ଆଖି ଥିଲା

By amfnews Oct 20, 2019 #Featured
247 Views

ଯାଜପୁର :ଯାଜପୁର ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ। ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ପତ୍ନି ତଥା ସରପଞ୍ଚ ମଧୁସ୍ମିତା ଭଦ୍ର ଆଜି ଏନେଇ ମୁହଁ  ଖୋଲିଛନ୍ତି । ରୂପେଶଙ୍କ ସମ୍ପତ୍ତି ଉପରେ ସ୍ମିତାରାଣୀଙ୍କ ଲାଲସା ଥିଲା। ସେ ଯୋଗୁ ସେ ତାଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର କରୁଥିଲେ। ହେଲେ ରୂପେଶ ଏନେଇ ରାଜି ନଥିଲେ। ତେଣୁ ବାଧ୍ୟ ହୋଇ ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ମଧୁସ୍ମିତା। ସେ ଆହୁରି କହିଛନ୍ତି ଯେ, ମୋ ସ୍ୱାମୀଙ୍କ ନାଁରେ ଯେଉଁଭଳି ସମ୍ବାଦ ପ୍ରକାଶ ପାଉଛି ତାହା ମିଛ।

ମୋ ସ୍ୱାମୀ ଜଣେ ଚରିତ୍ରବାନ ଭଲ ମଣିଷ। ପରଦୁଃଖ ସହିପାରନ୍ତିନି। ସ୍ମିତାରାଣୀଙ୍କୁ ସାହାଯ୍ୟ କରିବାକୁ ଯାଇ ସେ ଫସିଛନ୍ତି। ସ୍ମିତାରାଣୀଙ୍କ ପରିବାର ସହ ଆମ ପରିବାରର ଭଲ ସଂପର୍କ ଥିଲା। ଉଭୟ ପରିବାରର ଲୋକ ମିଶି ଆମେ ବୁଲାବୁଲି କରୁ। ସ୍ମିତାରାଣୀଙ୍କର ତା’ଶାଶୁଘର ସହ ସଂପର୍କ ଭଲ ନଥିଲା। ସ୍ମିତାର ବାପାଭାଇଙ୍କ ଅନୁରୋଧ କ୍ରମେ ଆମେ ସାହାଯ୍ୟ କରୁଥିଲୁ।

ଏ ଭିତରେ ସ୍ମିତାର ମୋ ସିନ୍ଦୂର ଉପରେ ଆଖି ଥିଲା ବୋଲି ଜାଣି ପାରିନଥିଲି। ମୋ ସ୍ୱାମୀଙ୍କ ଧନସମ୍ପତ୍ତିରେ ପ୍ରଲୋଭିତ ହୋଇ ସେ ଏପରି କରିଛି। ମୋ ସ୍ୱାମୀ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ରୂପେଶଙ୍କ ପତ୍ନୀ କହିଛନ୍ତି। ଏପରିକି ଯଦି, ରୂପେଶଙ୍କୁ ନ୍ୟାୟ ନମିଳେ ତେବେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ସ୍ମିତାରାଣୀ ବିଶ୍ୱାଳଙ୍କୁ ହତ୍ୟା କରାଯାଇନି ବରଂ ସେ ଆତ୍ମହତ୍ୟା କରିଥିବା ଗତକାଲି ଯାଜପୁର ଏସ୍‌ପି ଚରଣ ସିଂ ମୀନା କହିଥିଲେ।

ସ୍ମିତା-ରୂପେଶଙ୍କ ମଧ୍ୟରେ ସଂପର୍କ ଥିଲା। ଘଟଣା ଦିନ ରୂପେଶ ସ୍ମିତାଙ୍କୁ ତାଙ୍କ ଗେଷ୍ଟ ହାଉସକୁ ଡାକିବା ପରେ ସେଠାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା।  ପରେ ସ୍ମିତାରାଣୀ ଗେଷ୍ଟ ହାଉସର ଉପର ମହଲାରେ ଥିବା ବାଥରୁମକୁ ଯାଇ ସେଠାରେ ନିଜ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ଏସ୍‌ପି କହିଥିଲେ। ଏନେଇ ରୂପେଶଙ୍କୁ ଦାୟୀ କରି ତାଙ୍କୁ ଗିରଫ କରିଛି ପୋଲିସ୍।

By amfnews

Related Post