ମୁମ୍ବାଇ, ଡିସେମ୍ବର ୨୦ : ମୁମ୍ବାଇ ସ୍ଥିତ ଜିନ୍ନା ହାଉସ ଏଣିକି ଦିଲ୍ଲୀର ହାଇଦ୍ରାବାଦ ହାଉସ ଭଳି ଇଣ୍ଟରନ୍ୟାସନାଲ ସେଣ୍ଟର ହେବ । ଦିଲ୍ଲୀର ହ୍ରାଇଦ୍ରାବାଦ ହାଉସକୁ ଉଚ୍ଚସ୍ତରୀୟ ବିଦେଶୀ ପ୍ରତିନିଧିମଣ୍ଡଳ ଏବଂ ବିଶିଷ୍ଟ ଅତିଥିଙ୍କ ସହିତ ଦ୍ୱିପାକ୍ଷୀକ ଆଲୋଚନା ଏବଂ ତାଙ୍କ ସମ୍ମାନରେ ଭୋଜନ ଆଦି ବ୍ୟବସ୍ଥା କରାଯାଉଛି । ମୁମ୍ବାଇରେ ଏଭଳି କାମ ଜିନ୍ନା ହାଉସରେ ଆୟୋଜନ ହେବ ।
ମଲବାର ହିଲସ୍ଥିତ ଜିନ୍ନା ହାଉସକୁ ପାକିସ୍ତାନ ନିଜର ବୋଲି ଦାବି କରି ଆସୁଛି । କାରଣ ପାକିସ୍ତାନ ଏହାକୁ ବାଣିଜ୍ୟିକ ଦୂତାବାସ ଭାବରେ ଦେଖିବାକୁ ଚାହୁଁଛି ମାତ୍ର ମଲବାର ହିଲର ସ୍ଥାନୀୟ ବିଜେପି ବିଧାୟକ ମଙ୍ଗଲପ୍ରଭାତ ଲୋଧା ଗତ ୭ ବର୍ଷ ହେବ ଜିନ୍ନା ହାଉସକୁ ବିଭାଜନର ପ୍ରତୀକ କହି ଏହାକୁ ଭାଙ୍ଗିବାକୁ ଦାବି କରି ଆସୁଛନ୍ତି । ବିଧାୟକ ଲୋଧାଙ୍କ ଅନ୍ୟ ଦାବି ହେଲା ଯେ, ଜିନ୍ନା ହାଉସକୁ ଭଙ୍ଗା ଯାଇ ଏଠାରେ ସାଂସ୍କୃତିକ କେନ୍ଦ୍ର ନିର୍ମାଣ କରାଯାଉ । ସେ ଏହି ମାମଲାକୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ପହଂଚାଇଛନ୍ତି ।
ବର୍ଷ ୧୯୩୬ରେ ମହମ୍ମଦ ଅଲୀ ଜିନ୍ନା ମୁମ୍ବାଇର ପର୍ଶ ଅଂଚଳରେ ମଲବାର ହିଲରେ ଏକ କୋଠା ନିର୍ମାଣ କରିଥିଲେ । ଏହି କୋଠାକୁ ନିର୍ମାଣ କରିବା ଲାଗି ସେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ସେହି ସମୟରେ ଏହି କୋଠାକୁ ସାଉଥ କୋର୍ଟ କୁହାଯାଉଥିଲା । ଏହି କୋଠା ୨.୫ ଏକର ଜମିରେ ବିସ୍ତାରିତ ହୋଇଛି ।
ଦେଶ ଅଲଗା ହେବା ପରେ ପାକିସ୍ତାନ ଯାଇଥିବା ଲୋକଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ଭାରତ ଜବତ କରିଥିଲା । ଏହି ସଂପତ୍ତିକୁ ଶତ୍ରୁ ସଂପତ୍ତି କୁହାଯାଇଥିଲା । ଜିନ୍ନାଙ୍କ ପରଲୋକ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଜିନ୍ନା ହାଉସକୁ ଖାଲି ସଂପତ୍ତି ଘୋଷଣା କରିଥିଲେ । ଦେଶ ସ୍ୱାଧୀନତା ପରେ ୧୯୮୨ ପର୍ଯ୍ୟନ୍ତ ଜିନ୍ନା ହାଉସ ବିଟ୍ରିଶ ଉଚ୍ଚାୟୋଗ ଭାବରେ କାମ କରୁଥିଲା । ବର୍ଷ ୧୯୯୭ରେ ସାଂସ୍କୃତିକ ଗତିବିଧିକୁ ଦୃଷ୍ଟିରେ ରଖି ଇଣ୍ଡିଆନ କାଉନସିଲ ଫର କଲଚରାଲ ରିଲେସନକୁ ହସ୍ତାନ୍ତର କରି ଦିଆଯାଇଥିଲା ।