ପପୁ ବୋର୍ଡ ସଭାପତି ଏକାଦଶ ଓ ଇଣ୍ଡିଆ ସି’ ପକ୍ଷରୁ ଦେଓଧର ଟ୍ରଫି ଖେଳିଛନ୍ତି।
ପପୁଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିଲେ ହେଁ ସେ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ପକ୍ଷରୁ ଖେଳୁଥିଲେ। ଏହି ସମୟରେ ହିଁ ସେ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିପାରି ଥିଲେ। ପିଲାଟି ବେଳୁ ହିଁ ପପୁ ତାଙ୍କ ବାପା ମା’ଙ୍କୁ ହରାଇଥିଲେ। ପପୁ କଥା କହିବା ପୂର୍ବରୁ ହିଁ ତାଙ୍କ ବାପା ମା’ ଏ ଦୁନିଆରୁ ଚାଲି ଯାଇଥିଲେ। ତଥାପି ସେ ପିଲାଟି ବେଳୁ ହିଁ କ୍ରିକେଟ୍ ଖେଳିବାକୁ ପ୍ରତିଜ୍ଞା କରିବା ସହ ସେହି ଦିଗରେ ପରିଶ୍ରମ କରିଚାଲିଥିଲେ। ପପୁଙ୍କ ପାଖରେ ପଇସା ନଥିଲା ଓ ପ୍ରତିଦିନ ନିଜ ପାଇଁ ଖାଦ୍ୟ ଯୋଗାଡ଼ କରିବା ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା।
ତେବେ ଖେଳରେ ସେ ନେଉଥିବା ପ୍ରତି ୱିକେଟ୍ ପାଇଁ ସ୍ଥାନୀୟ କ୍ରିକେଟପ୍ରେମୀ ତାଙ୍କୁ ୧୦ ଟଙ୍କା ଲେଖାଏ ପୁରସ୍କାର ଦେଉଥିଲେ। ସେଇ ପଇସାରେ ତାଙ୍କ ଖାଇବା ଖର୍ଚ୍ଚ ଉଠାଉଥିଲେ ପପୁ। ଏଭଳି ସଂଘର୍ଷପୂର୍ଣ୍ଣ ଜୀବନ ସତ୍ତ୍ୱେ ସେ ତାଙ୍କର ପରିଶ୍ରମ ଜାରି ରଖିଥିଲେ।
ପପୁ ପ୍ରକୃତରେ ବିହାରରେ ଜନ୍ମ ଗ୍ରହଣ କରିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ବାପା ମା’ ବେଙ୍ଗଲ ଚାଲି ଆସିଥିଲେ। ପପୁଙ୍କ ବାପା ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ବାପା ମା’ଙ୍କ ଦେହାନ୍ତ ପରେ ପପୁଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ନିଜ ପାଖରେ ରଖିଥିଲେ।
ପ୍ରଥମେ ପପୁ ଜଣେ ପେସ୍ ବୋଲର୍ ଭାବେ ବୋଲିଂ କରୁଥିଲେ। କିନ୍ତୁ ହାୱଡା ୟୁନିୟନ କ୍ରିକେଟ୍ ଏକାଡେମୀର କୋଚ୍ ସୁଜିତ ଶାହା ପପୁଙ୍କୁ ବାମହାତରେ ସ୍ପିନ୍ ବୋଲିଂ କରିବାକୁ ପରାମର୍ଶ ଦେଇଥିଲେ। ପପୁ ଧୀରେଧୀରେ ଭଲ ବୋଲିଂ କରିବା ସହ ୨୦୧୧ରେ ବେଙ୍ଗଲର ଦ୍ୱିତୀୟ ଡିଭିଜନ୍ ଲିଗ୍ରେ ସର୍ବାଧିକ ୱିକେଟ୍ ହାସଲକାରୀ ଖେଳାଳି ପାଲଟି ଯାଇଥିଲେ। ସେ ୯ଟି ମ୍ୟାଚ୍ରେ ୫୦ଟି ୱିକେଟ୍ ପାଇଥିଲେ।
ତେବେ ଇରେଶ ସକ୍ସେନା ଓ ପରେ ପ୍ରଜ୍ଞାନ ଓଝା ବେଙ୍ଗଲ ପକ୍ଷରୁ ଖେଳିବାରୁ ପପୁଙ୍କୁ ବେଙ୍ଗଲର ସିନିୟର୍ ଟିମ୍ରେ ସ୍ଥାନ ମିଳି ନଥିଲା। ଏହାପରେ ସେ କେବଳ କୋଲକାତାର ବଡ଼ ବଡ଼ କ୍ଲବ ପାଇଁ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ। କ୍ଲବ କ୍ରିକେଟ୍ ଖେଳିବା ସମୟରେ ସେ ଓଡ଼ିଶା ପକ୍ଷରୁ ଖେଳିବାକୁ ଲକ୍ଷ୍ୟ ରଖିଥିଲେ। ଖାଦ୍ୟ ଓ ରହିବାକୁ ସ୍ଥାନ ଯୋଗାଡ଼ରେ ବାହାରିଥିବା ପପୁ ପ୍ରଥମେ ଓଡ଼ିଶାର ଯାଜପୁରରେ ରହିଥିଲେ।
ଏହି ସମୟରେ ପପୁଙ୍କ ଦୁଇ ଜଣ ସାଙ୍ଗ ମୁଜାକିର ଅଲ୍ଲୀ ଖାନ୍ ଓ ଅସିଫ୍ ଇକବାଲ୍ ଖାନ୍ ତାଙ୍କୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଇଥିଲେ। ୨୦୧୫ରେ ପ୍ରଥମ ଥର ପାଇଁ ପପୁ ଓଡ଼ିଶା ପକ୍ଷରୁ ଅଣ୍ଡର-୨୩ ଟିମ୍ରେ ସ୍ଥାନ ପାଇଥିଲେ।
ସେ କଟକରେ ଚାଲିଥିବା ଟିମ୍ ଚୟନ ବେଳେ ମୁଖ୍ୟ ଚୟନକର୍ତ୍ତା ସୁରେଶ କୁମାରଙ୍କୁ ପ୍ରଭାବିତ କରି ଟିମ୍ରେ ସ୍ଥାନ ହାସଲ କରିଥିଲେ। ୩ ବର୍ଷ ମଧ୍ୟରେ ପପୁ ଓଡ଼ିଶା ସିନିୟର୍ ଟିମ୍ର ଲିଷ୍ଟ୍ ଏ ଦଳରେ ସାମିଲ ହୋଇ ଥିଲେ।