Sat. Mar 7th, 2026

ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ବ ପ୍ରସଙ୍ଗ : ଧର୍ମେନ୍ଦ୍ରଙ୍କ ମତ ଅଲଗା

203 Views

ଭୁବନେଶ୍ବର , ଡିସେମ୍ବର ୦୪: ଧର୍ମେନ୍ଦ୍ର ପ୍ରଧାନ ବିଜେପିର ମୁଖ୍ୟମନ୍ତ୍ରୀ ବୋଲି ଗତ ସପ୍ତାହରେ କହିଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ। କିନ୍ତୁ ଜୁଏଲ୍‌ଙ୍କ ଏହି ମନ୍ତବ୍ୟ ସହ ଏକମତ ହୋଇ ନାହାନ୍ତି ଶ୍ରୀ ପ୍ରଧାନ। ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଛାଯିବ ବୋଲି ସେ ଇଙ୍ଗିତ ଦେଇଛନ୍ତି। ଏହି ପ୍ରସଙ୍ଗରେ ସେ ଆଜି ଗଣମାଧ୍ୟମକୁ କହିଛନ୍ତି, ଓଡ଼ିଶାରେ ସାମୂହିକ ନେତୃତ୍ବରେ ଦଳ ଲଢ଼ିବ। ଦଳରେ ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି। ରାଜ୍ୟରେ ଆମେ ସଫଳତା ପାଇଲେ ଓ ପ୍ରମୁଖ ଦଳ ଭାବେ ଉଭା ହେଲା ପରେ ନେତୃତ୍ବ କଥା ଚିନ୍ତା କରାଯିବ।

ଶ୍ରୀ ପ୍ରଧାନ ୨୦୧୯ ସାଧାରଣ ନିର୍ବାଚନରେ ବିଧାନସଭା ଆସନରେ ଲଢ଼ିବାକୁ ଆଗ୍ରହ ଦେଖାଇ‌ଛନ୍ତି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ଆସନରେ ଲଢ଼ିବେ, ତାହା ସ୍ପଷ୍ଟ କରି ନାହାନ୍ତି। ପାଲଲହଡ଼ା ଆସନରୁ ତାଙ୍କର ସମ୍ଭାବ୍ୟ ପ୍ର‌ାର୍ଥିତ୍ବକୁ ନେଇ ଏକ ପ୍ରଶ୍ନରେ ସେ କହିଛନ୍ତି, ୧୪୭ ନିର୍ବାଚନମଣ୍ଡଳୀରୁ ଯେ କୌଣସି ସ୍ଥାନରୁ ବିଜେପି ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ଅଛି।

ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଫୋକସ୍‌ରେ ଓଡ଼ିଶା ରହିଛି। ମୋଦୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା ବଢ଼ିଛି। ଏଥର ଦିଲ୍ଲୀ ଓ ଭୁବନେଶ୍ବରରେ ଡବଲ୍ ଇଞ୍ଜିନ୍ ଲାଗିବ। ଅପାର ସମ୍ଭାବନା ରାଜ୍ୟ ଓଡ଼ିଶା ଆଗକୁ ଯିବ।

ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଦଳ ଛାଡ଼ିବା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ରାଜନୀତିରେ କିଏ କେଉଁଠିକୁ ଯିବ, କାହାକୁ କେହି ରୋକିପାରିବେ ନାହିଁ। ଏହା ନିଜସ୍ବ ବିଷୟ। ପ୍ରସଙ୍ଗ କେବେ ବ୍ୟକ୍ତି ହୁଏ ନାହିଁ। ବିଚାରଧାରା ଓ ଦଳ ହିଁ ସବୁବେଳେ ପ୍ରସଙ୍ଗ ହୋଇଥାଏ। ଅତୀତରେ ବହୁ ଲୋକଙ୍କୁ ସେବା କରିବାର ସୁଯୋଗ ମିଳିଛି, ସେମାନେ ଓଡ଼ିଶାକୁ ପଛକୁ ନେଇଛନ୍ତି। ବିଜେପି ତା’ର ନୀତି, ନେତୃତ୍ବ ଆଧାରରେ ଲୋକମାନଙ୍କ ପାଖକୁ ଯିବ।

ଟେଣ୍ଡର୍ ପ୍ରକ୍ରିୟା ୫୦ ହଜାରରୁ ୫ ଲକ୍ଷକୁ କରାଯିବା ସମ୍ପର୍କିତ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଲେ, ଏଥିରେ ପିସି କାରବାର ନିଶ୍ଚିତ ଅଛି। ଶାସକ ଦଳ ତାଙ୍କ ସମର୍ଥକଙ୍କ ମାଧ୍ୟମରେ ଓଡ଼ିଶାର ରାଜକୋଷ ଲୁଟିବାର ଷଡ଼ଯନ୍ତ୍ର ତିଆରି କରିଛି। ଜରୁରୀକାଳୀନ ସମୟରେ ଯେପରି ପ୍ରଶାସନିକ ଅଧିକାରୀଙ୍କ ହାତରେ ଦାୟିତ୍ବ ନ୍ୟସ୍ତ ଥିଲା, ସେପରି ଭାବେ ଏବେ କାମ ହେଉଛି। ବିନା ଟେଣ୍ଡର୍‌ରେ ଅସାଧୁ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ ନିଜେ ତାଙ୍କ ସଚିବମାନଙ୍କ ଉପରେ ଚାପ ପକାଇଛନ୍ତି। ଜଳସମ୍ପଦ ଓ ପୂର୍ତ୍ତ ବିଭାଗରେ ଅଧିକ କାମ ହୁଏ। ୧୦ ହଜାର କୋଟିର କାମକୁ କେ୨ ମାଧ୍ୟମରେ କରିବା ପାଇଁ ପ୍ରୟାସ କରିଛନ୍ତି। ଗଳାବାଟ ମାଧ୍ୟମରେ ଓଡ଼ିଶାର ରାଜକୋଷ ଲୁଟ୍ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ଗୋଟିଏ ପଟେ ସରକାର ‘ଷ୍ଟପ୍ ପିସି’ ନାଟକ କରୁଥିଲା ବେଳେ ଆଉ ଗୋଟିଏ ପଟେ କେବଳ ହିଁ ପିସି ନାଟକ କରୁଛନ୍ତି। ଓଡ଼ିଶାରେ ବିଚିତ୍ର ଅବସ୍ଥା ସୃଷ୍ଟି ହୋଇଛି। ବିଜେପି ଏହା ବିରୋଧରେ ଆନ୍ଦୋଳନ କରିବ। ଓଡ଼ିଶାର ରାଜକୋଷକୁ ଲୁଟିବା ପାଇଁ ଯେଉଁ କୁକର୍ମ ହୋଇଛି, ତାହାକୁ ଜନମାନସକୁ ଅଣାଯିବ ବୋଲି ସେ କହିଥିଲେ।

By amfnews

Related Post