Sat. Mar 7th, 2026

ମାଲିକମାନଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇ ମାରାଡୁ ଫ୍ଲାଟ୍‌ ଭାଙ୍ଗିଦିଅ: ସୁପ୍ରିମ୍‌ କୋର୍ଟ

205 Views

ନୂଆଦିଲ୍ଲୀ  : କୋଚି ଠାରେ ଥିବା ଚାରିଟି ଆପାର୍ଟମେଣ୍ଟ୍‌ କମ୍ପ୍ଲେକ୍ସ ନ ଭଙ୍ଗାଇ ନ ଦେବାକୁ କେରଳ ସରକାରଙ୍କ ଉଦ୍ୟମକୁ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ପ୍ରତ୍ୟେକ ଫ୍ଲାଟ୍‌ ମାଲିକଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଦେଇ କୋଷ୍ଟାଲ୍‌ ରେଗୁଲେସନ୍‌ ଜୋନ୍‌ ନୀତି ଉଲ୍ଲଂଘନ କରୁଥିବା ସେ ୪ଟି ଆପାର୍ଟମେଣ୍ଟ୍‌କୁ ଭାଙ୍ଗି ଦେବାକୁ ଶୀର୍ଷ ଅଦାଲତ ଆଦେଶ ଦେଇଛନ୍ତି। ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉ କିନ୍ତୁ, ଫ୍ଲାଟ୍‌ ଥାଉ ବୋଲି କେରଳ ସରକାର ଦେଇଥିବା ପ୍ରସ୍ତାବକୁ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ମଧ୍ୟ ଅଗ୍ରାହ୍ୟ କରି କହିଛନ୍ତି ଯେ ଅଟ୍ଟାଳିକା ନିଶ୍ଚୟ ଭଙ୍ଗାଯିବ।

ବିଚାରପତିମାନେ କେରଳ ସରକାରଙ୍କୁ କହିଲେ ଯେ ଯଦି ରାଜ୍ୟ ସରକାର ନ ଭାଙ୍ଗନ୍ତି ସେମାନେ ଫ୍ଲାଟ୍‌ଗୁଡ଼ିକୁ ଭଙ୍ଗାଇ ପାରିବେ। ଶୁକ୍ରବାର ଦିନ ଶୁଣାଣି ଶେଷରେ ଫ୍ଲାଟ୍‌ ଭାଙ୍ଗିବା ଏବଂ ଭଗ୍ନସ୍ତପ ସବୁକୁ ଅପସାରଣ କରିବା ନିମନ୍ତେ ରାଜ୍ୟ ସରକାର ମାଗିଥିବା ୧୩୮ ଦିନ ସମୟକୁ ଅଦାଲତ ମଞ୍ଜୁର କରିଛନ୍ତି। ଚାରି ସପ୍ତାହ ମଧ୍ୟରେ ୨୫ ଲକ୍ଷ ଟଙ୍କା ଲେଖାଏଁ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଅର୍ଥ ମାଲିକମାନଙ୍କୁ ଦେବାକୁ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

By amfnews

Related Post