176 Views
ମାଲକାନଗିରି ଜିଲା ମାଥିଲି ବ୍ଲକରେ କାର୍ଯ୍ୟରତ ଖବରଦାତା ବସନ୍ତ ସଗରିଆଙ୍କୁ ବୁଧବାର ଦିନ ଦିପହରରେ ମରଣାନ୍ତକ ଅାକ୍ରମଣ କରାଯାଇଛି । ଲ୍ୟାମ୍ପସ ସମ୍ପର୍କିତ ଏକ ଖବର ପ୍ରକାଶ କରିଥିଲେ । ଏହି ଖବରକୁ କେନ୍ଦ୍ର କରି ଖବରଦାତା ସଗରିଆଙ୍କୁ ହତ୍ୟା ଧମକ ଦିଆଯାଇଥିବା ମାଥିଲି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ବୁଧବାର ଦିନ ଦିପହରରେ ମାଥିଲି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପାନ ଦୋକାନରେ ଖବରଦାତା ଜଣକ ଠିଆ ହୋଇଥିବାବେଳେ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ପୁଅ ଆସି ହଠାତ୍ କାଚ ବୋତଲରେ ଆକ୍ରମଣ କରିଥିଲେ ।
ଆକ୍ରମଣରେ ଖବରଦାତାଙ୍କ ହାତ ଓ ମୁଣ୍ତରେ ଆଘାତ ହୋଇଛି । କିଛି ବ୍ୟକ୍ତି ଖବରଦାତାଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ଖବରପାଇ ମାଥିଲି ପୋଲିସର ଏକ ଟିମ୍ ଘଟଣା ସ୍ଥଳରେ ଆସିବା ପୂର୍ବରୁ ସେଠାରୁ ଅଭିଯୁକ୍ତ ଚମ୍ପଟ ମାରିଥିଲେ । ଏ ନେଇ ମାଥିଲି ଥାନାରେ (୧୨୮/୧୮) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଜଣେ ନିରପେକ୍ଷ ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ ହେବା ଘଟଣାକୁ ବିଭିନ୍ନ ରାଜନୈତିକ ଦଳ ତରଫରୁ ନିନ୍ଦା କରାଯାଇଛି । ଖବରଦାତା ସତ୍ୟ ଖବର ପରିବେଷଣ କରୁଥିବାବେଳେ ଖବର ପରିବେଷଣକୁ କେନ୍ଦ୍ର କରି ଆକ୍ରୋଶ ରଖିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରାଯାଇଛି । ଅନ୍ୟପକ୍ଷରେ ମାଲକାନଗିରି ଏସପି ଜଗମୋହନ ମୀନା ଖବରଦାତା ଙ୍କୁ ଆକ୍ରମଣ ଘଟଣାକୁ ସମ୍ବେଦଶୀଳ ଭାବେ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବାକୁ ମାଥିଲି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ମାଥିଲି ଥାନା ଆଇଆଇସି ଜନ ଖୁଜୁର ଏହି ଘଟଣାର ତଦନ୍ତ କରୁଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି ।