Sun. Mar 8th, 2026

ମହିଳାଙ୍କ ପାଇଁ ସଂରକ୍ଷଣ ସଙ୍କଳ୍ପ: ବିରୋଧୀ କହିଲେ-ଭୋଟ୍‌ ଭେଳିକି

198 Views

ଭୁବନେଶ୍ୱର, ନଭେମ୍ବର ୨୨: ଭୋଟ ପୂର୍ବରୁ ମହିଳାଙ୍କ ପାଇଁ ସଂରକ୍ଷଣର ସଂକଳ୍ପ ଆଣି ନବୀନ ପଟ୍ଟନାୟକ କହୁଛନ୍ତି ଦିନଟି ଐତିହାସିକ। କିନ୍ତୁ ପ୍ରଶ୍ନ ଉଠୁଛି, ଐତିହାସିକ କେବଳ ଘୋଷଣାରେ ନା ଏହା ପଛରେ ରହିଛି ବାସ୍ତବତା। ଏକଥା ଖୋଦ ନବୀନ ଜାଣିଛନ୍ତି, ବିଧାନସଭାରେ ସଂକଳ୍ପ ପାରିତ ହେଲେ ବି ଯେ ପର୍ଯ୍ୟନ୍ତ ସଂସଦରେ ଆଇନ ଆସିନି, ସେ ପର୍ଯ୍ୟନ୍ତ ସଂକଳ୍ପ ମୂଲ୍ୟହୀନ। ତଥାପି ମହିଳାଙ୍କ ପାଇଁ ଉଭୟ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣର ସଂକଳ୍ପ ଆଣି ମହିଳା କାର୍ଡ଼ ଖେଳିବାର ଉଦ୍ୟମ କରିଛନ୍ତି ନବୀନ।

ତେବେ ବିଧାନସଭାର ସଂକଳ୍ପକୁ ଉଭୟ କଂଗ୍ରେସ ଓ ବିଜେପି ସ୍ୱାଗତ କରିଥିଲେ ମଧ୍ୟ ନବୀନଙ୍କ ଏପରି ଗୋଟି ପଛରେ ରାଜନୀତିର ଗନ୍ଧ ବାରିଛନ୍ତି। ବିଜେପି ଅଭିଯୋଗ କରିଛି, ରାଜ୍ୟରେ ବଢୁଥିବା ମହିଳା ହିଂସା ଓ ଦୁଷ୍କର୍ମ ଘଟଣା ପାଇଁ ସରକାରଙ୍କ ଉପରେ ମହିଳାଙ୍କ ଆସ୍ଥା ତୁଟୁଥିବାରୁ ଭୋଟ ପାଇଁ ଛଳନାର ସଂକଳ୍ପ ଆଣିଛନ୍ତି ନବୀନ। ତଥ୍ୟ ଦେଇ ଦଳ କହିଛି, ୨୦୦୪ରେ ଦଳ ମାତ୍ର ୨ ଜଣ ମହିଳାଙ୍କୁ ଲୋକସଭା ପାଇଁ ଟିକେଟ ଦେଇଥିବା ବେଳେ ୨୦୦୯ରେ କାହାକୁ ଦେଇ ନଥିଲା, ୨୦୧୪ରେ ୩ ଜଣଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ବିଧାନସଭା ପାଇଁ ୨୦୦୪ରେ ୪ ଜଣ, ୨୦୦୯ରେ ୮ ଜଣ ଓ ୧୪ରେ ୧୫ ମହିଳାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ତେଣୁ ନିଜ ଦଳରେ ପ୍ରଥମେ ୩୩ ପ୍ରତିଶତ ଟିକେଟ ଦେଇ ନବୀନ ଉଦାହରଣ ସୃଷ୍ଟି କରନ୍ତୁ ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଆହ୍ୱାନ ଦେଇଛନ୍ତି।

ସେପଟେ କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳ ପ୍ରଶ୍ନ କରିଛନ୍ତି, ସଂସଦରେ ଦଳ ଏ ପ୍ରସ୍ତାବ ଆଣିବା ବେଳେ ବିଜେଡି ଚୁପ କାହିଁକି ଥିଲା?

ଏହାର ଜବାବରେ ବିଜେଡି ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି-“ହଳଦୀଆ ଚଷମା ପିନ୍ଧିଥିବା ଲୋକଙ୍କୁ ସବୁ ଜୀନିଷ ହଳଦୀଆ ଦେଖାଯିବ।”

By amfnews

Related Post