Sun. Mar 8th, 2026
192 Views

ଖଣ୍ଡଗିରି  : ଶନିବାର ରାତି ପ୍ରାୟ ସାଢ଼େ ୮ଟାବେଳେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ବଜାର ନିକଟରେ ପୁଣି ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ଜଟଣୀ ରାମଚନ୍ଦ୍ରପୁର ଅଞ୍ଚଳର ପୁଷ୍ପାଞ୍ଜଳି ସାହୁଙ୍କ ବେକରୁ ଦୁର୍ବୃତ୍ତମାନେ ୧୫ ଗ୍ରାମ୍‌ ଓଜନର ସୁନାଚେନ୍ ଝାମ୍ପି ନେଇ ଫେରାର୍ ହୋଇଯାଇଛନ୍ତି। ଅଭିଯୋଗ ପାଇ ଯାଁଳା ଫାଣ୍ଡି ପୁଲିସ ଛାନ୍‌ଭିନ ଆରମ୍ଭ କରିଥିଲେ ବି ଦୁର୍ବୃତ୍ତମାନଙ୍କ ଟେର୍ ମିଳିନାହିଁ। ସୂଚନାନୁସାରେ ପୁଷ୍ପାଞ୍ଜଳି ଓ ତାଙ୍କ ଝିଅ ଅଭିଲିପ୍ସା ଏକ ସ୍କୁଟିରେ ପାତ୍ରପଡ଼ାରୁ ଜଟଣୀ ଫେରୁଥିଲେ। ସେମାନଙ୍କୁ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ପିଛା କରୁଥିଲେ ବୋଲି ସେମାନେ ଜାଣି ପାରିନଥିଲେ। ସେମାନେ ଯାଁଳା ମେଡିକାଲ ଛକ ପାର୍ ହୋଇଥିବା ବେଳେ ବାଇକ୍ ପଛରେ ବସିଥିବା ଦୁର୍ବୃତ୍ତ ଜଣଙ୍କ ପୁଷ୍ପାଞ୍ଜଳିଙ୍କ ଚେନ୍ ଛିଣ୍ଡାଇ ନେଇ ଖୋର୍ଧା ଦିଗରେ ପଳାଇଥିଲେ।

ଉଲ୍ଲେଖଯୋଗ୍ୟ, ଗତ ମାସକ ଭିତରେ ଏହି ରାଜପଥର ପାତ୍ରପଡ଼ାରୁ ତମାଣ୍ଡୋ ଓ ଯାଁଳା ଛକ ମଧ୍ୟରେ ୫ଟି ଲୁଟ୍‌ ଘଟିଲାଣି। ତେଣୁ ତମାଣ୍ଡୋ ଥାନା ଓ ଯାଁଳା ଫାଣ୍ଡି ପୁଲିସ ରାଜପଥ ଉପରେ ପିସିଆର୍ ଭ୍ୟାନ ଓ ବାଇକ୍‌ ଧରି ଠିଆ ହେଉଛନ୍ତି। କିନ୍ତୁ ପୁଲିସ ବିଭିନ୍ନ ଛକରେ ଠିଆ ହେଉଥିବା ବେଳେ ଦୁର୍ବୃତ୍ତମାନେ ନିଛାଟିଆ ଅନ୍ଧାରିଆ ସ୍ଥାନ ଦେଖି ଲୁଟ୍‌ କରୁଛନ୍ତି।

By amfnews

Related Post