Sun. Mar 8th, 2026

ମହିଳାଙ୍କ ‘କୁମାରୀତ୍ୱ’ ନେଇ ବିବାଦୀୟ ମନ୍ତବ୍ୟ ମହଙ୍ଗା ପଡ଼ିଲା

375 Views

କୋଲକାତା: ମହିଳାମାନଙ୍କ କୁମାରୀତ୍ୱ ପ୍ରସଙ୍ଗରେ ଫେସ୍‌ବୁକ୍‌ ପୋଷ୍ଟ କରିବା ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରେଫେସର କନକ ସରକାରଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଶ୍ୱବିଦ୍ୟାଳୟର ଇଣ୍ଟରନ୍ୟାସନାଲ୍‌ ରିଲେସନ୍ସ ବିଭାଗର ଶିକ୍ଷକ-ଛାତ୍ର କମିଟି ପକ୍ଷରୁ ବୈଠକ କରାଯାଇ ପ୍ରଫେସର ସରକାରଙ୍କୁ ଶିକ୍ଷାଦାନରୁ ବିରତ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ କ୍ୟାମ୍ପସକୁ ଆସିବା ଲାଗି ବାରଣ କରାଯାଇଛି। ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନେ ତାଙ୍କର ବହିଷ୍କାର ଦାବି କରିଛନ୍ତି। ବିଭାଗୀୟ ମୁଖ୍ୟ ଓମପ୍ରକାଶ ମିଶ୍ର ଏହି ଦାବିକୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଜଣାଇ ଦେଇଛନ୍ତି। ସୋମବାର ଜାତୀୟ ମହିଳା କମିସନ ପଶ୍ଚିମବଙ୍ଗ ପୁଲିସ ମହାନିର୍ଦ୍ଦେଶକଙ୍କୁ ଘଟଣାର ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରେଫେସର କନକ ସରକାର ମହିଳାଙ୍କ କୁମାରୀତ୍ୱକୁ ଏକ ‘ସିଲ୍‌ ଦିଆ ଥଣ୍ଡାପାନୀୟ ବୋତଲ ଓ ପ୍ୟାକ୍‌ ଖୋଲା ଯାଇ ନ ଥିବା ବିସ୍କୁଟ ପ୍ୟାକେଟ୍‌ ସହିତ ତୁଳନା କରି ବିବାଦ ଘେରକୁ ଆସିଛନ୍ତି। ସୋସିଆଲ ମିଡିଆରେ ଟ୍ରୋଲ୍‌ ହେବା ସହ ନିନ୍ଦାର ଶିକାର ହୋଇଛନ୍ତି।

ପ୍ରଫେସର ସରକାର ନିଜର ଫେସ୍‌ବୁକ୍‌ ଟାଇମ୍‌ ଲାଇନ୍‌ରେ ଶିକ୍ଷିତ ଯୁବପିଢ଼ିକୁ ନୈତିକ ଶିକ୍ଷା ଦେବା ଅଭିପ୍ରାୟ ରଖି ଯୁବକମାନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ କୁମ୍ବାରୀତ୍ୱ ଥିବା ଝିଅ ଏକ ସିଲ୍‌ ଦିଆ ବୋତଲ୍‌ କିମ୍ବା ପ୍ୟାକେଟ୍‌ ଭଳି। ବହୁତ ଯୁବକ ବୋକା, ସେମାନେ ଝିଅଙ୍କ କୁମାରୀତ୍ୱ ବିଷୟରେ ଅବଗତ ନଥାନ୍ତି। ଆପଣ କେବେ ଠିପି ଖୋଲା ଥିବା ଥଣ୍ଡା ପାନୀୟ କିିଣିଥାଆନ୍ତି?

ଏତେ ସବୁ ବିବାଦ ଉପୁଜିବା ପରେ ପ୍ରଫେସର କନକ୍‌ ସରକାର, ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସଫେଇ ଦେଇଛନ୍ତି। ଏହା ସତ୍ତ୍ୱେ ପ୍ରେଫେସରଙ୍କୁ ଟ୍ରୋଲ ଜାରି ରହିଛି।

By amfnews

Related Post