Wed. Jan 15th, 2025

ମହାସଂକଳ୍ପ ଅନ୍ୟଥା ନ ହେଉ

By amfnews Apr 23, 2019 #Featured
275 Views

ପ୍ରଶାନ୍ତ ପଟ୍ଟନାୟକ

ସଂପ୍ରତ୍ତି ଦେଶରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ତୁଙ୍ଗ ନେତା ତଥା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ‘ମହାସଂକଳ୍ପ’ରେ ଘୋଷଣା କରିଛନ୍ତି ଯେ, ଓଡିଶାରେ ବିଜେପି ସରକାର ପ୍ରତିଷ୍ଠିତ ହେଲେ ତିନି କୋଟି ୨୬ ଲକ୍ଷ ଓଡିଶାବାସୀଙ୍କୁ ମାସିକ ମୁଣ୍ଡପିଛା ୫ କିଲୋ ଚାଉଳ, ଅଧା କିଲୋ ଡାଲି ଓ ଅଧା କିଲୋ ଲୁଣ ମାତ୍ର ୧ ଟଙ୍କାରେ ଯୋଗାଇ ଦେବେ । ଏହାକୁ ‘ନୂଆ ଆଶା, ପୁରା ଭରସା, ମୋଦିଙ୍କ ସାଥେ ନୂଆ ଓଡିଶା’ ଭାବରେ ପ୍ରଚାରିତ କରାଯାଉଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମାସିକ ଟ ୧୫୧,୩୦୦,୦୦୦ ଚାଉଳ, ଟ୧୫,୧୩୦,୦୦୦ ଡାଲି ଏବଂ ଡାଲି ପରିମାଣର ଲୁଣ ଆବଶ୍ୟକ ହେବ ।

ଓଡିଶାରେ ସରକାର ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିମାନଙ୍କୁ ଯେଉଁ ଦୁଇ ଟଙ୍କିଆ ଚାଉଳ ଯୋଗାଇ ଦେଉଛନ୍ତି ସେଥିରେ କିଲୋ ପ୍ରତି କେନ୍ଦ୍ର ସରକାରଙ୍କର ଟ୨୯.୬୪ପଇସା ସବ୍ସିଡି ଦେଉଥିବା ସ୍ଥଳେ ଦୁଇ ଟଙ୍କିଆ ଚାଉଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାର ବାହାଦୂରୀ ନେଉଛନ୍ତି ବୋଲି ଖୋଦ୍ ପ୍ରଧାନମନ୍ତ୍ରୀ ଓ ତାଙ୍କର ଦଳୀୟ ନେତାମାନେ ବାରମ୍ବାର ଅଭିଯୋଗ କରୁଛନ୍ତି । ଏହି ନିର୍ବାଚନରେ ଓଡିଶାରେ ବିଜେପି ଦଳ ଶାସନ କ୍ଷମତାକୁ ଆସିଲେ ମାତ୍ର ୧ ଟଙ୍କା ମୂଲ୍ୟରେ ପାଞ୍ଚ କିଲୋ ଚାଉଳ, ଅଧା କିଲୋ ଡାଲି ଓ ଅଧା କିଲୋ ଲୁଣ ଯୋଗାଇ ଦେବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ସେଥିରେ ମୁଣ୍ଡପିଛା ମାସିକ ଟ୨୯.୬୪ର ପାଞ୍ଚଗୁଣ ଅର୍ଥାତ୍ ୧୪୮.୨ ଟଙ୍କା , ଅଧା କିଲୋ ଡାଲିର ମୂଲ୍ୟ ୩୫ ଟ. ଏବଂ ଅଧା କିଲୋ ଲୁଣର ମୂଲ୍ୟ ୫ ଟଙ୍କା ଏହିଭଳି ସର୍ବମୋଟ ୧୮୮.୨ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଓଡିଶାର ତିନି କୋଟି ୨୬ ଲକ୍ଷ ଜନସାଧାରଣ ଏହାଦ୍ୱାରା ଉପକୃତ ହେବେ । ଏହା ରାଜ୍ୟବାସୀଙ୍କ ପାଇଁ କମ୍ ଖୁସିର କଥା ନୁହେଁ । ମାତ୍ର ଯଦି କୌଣସି କାରଣରୁ ଓଡିଶାରେ ବିଜେପି ଦଳ ଶାସନ କ୍ଷମତାରୁ ଆସିବାକୁ ବଞ୍ଚିତ ହେଲା ତେବେ ଆମ ରାଜ୍ୟର ତିନିକୋଟି ୨୬ ଲକ୍ଷ ଜନସାଧାରଣ କ’ଣ ଏହି ସୁଯୋଗରୁ ବଞ୍ଚିତ ହେବେ । ଏହି ପ୍ରଶ୍ନ ସଂପ୍ରତ୍ତି କେବଳ ବୁଦ୍ଧିଜୀବୀ ନୁହନ୍ତି ସାଧାରଣ ଜନତାଙ୍କ ଚିନ୍ତାଧାରାକୁ ମଧ୍ୟ ଆନ୍ଦୋଳିତ କରିଛି । ଏହାକୁ ମୋଦିଜୀଙ୍କର ‘ବିଜୟସଂକଳ୍ପ’ ବୋଲି ରାଜ୍ୟବାସୀ ଅନୁଭବ କଲେ ମଧ୍ୟ ଯଦି ନିର୍ବାଚନରେ ପରାଜୟ ହୁଏ ତେବେ ପରାଜୟର ଗ୍ଲାନୀ ଯୋଗୁଁ ଓଡିଶାବାସୀ କ’ଣ ଦଣ୍ଡିତ ହେବେ?

ସମଗ୍ର ଭାରତ ବର୍ଷରେ ବିଜେପି ୨୨ଟି ରାଜ୍ୟକୁ ଶାସନ କରୁଛି । ସେଥିଗୁଡିକ ହେଲା ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ, ବିହାର, ଗୋଆ , ଗୁଜୁରାଟ, ହରିଆନା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମିରୀ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ । ଏହି ରାଜ୍ୟଗୁଡିକରେ ଜନସାଧାରଣଙ୍କୁ ଅଦ୍ୟାବଧି ୧ ଟଙ୍କା ମୂଲ୍ୟରେ ପାଞ୍ଚ କେଜି ଚାଉଳ, ଅଧ କେଜି ଡାଲି ଏବଂ ଅଧ କେଜି ଲୁଣ ଦେବାର ବ୍ୟବସ୍ଥା ହୋଇନାହିଁ । ତେଣୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି କେବଳ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ଦଳମାନେ ପ୍ରଚାର କରିବା ସ୍ୱାଭାବିକ ।
ଯଦି ଶ୍ରୀ ମୋଦିଜୀଙ୍କ ଆଶାକୁ ସଫଳ କରି ଓଡିଶାରେ ବିଜେପି ଦଳ ଶାସନ କ୍ଷମତାକୁ ଆସିଲା ତେବେ ‘ବିଜୟ ସଂକଳ୍ପ’ର ପ୍ରତିଶ୍ରୁତି କେବଳ ଓଡିଶା ପାଇଁ ଲାଗୁ ହେବ ଅଥବା ଭାରତର ସବୁ ପ୍ରଦେଶ ପାଇଁ ଲାଗୁ ହେବ ତାହା ଏବେ ଠୁ ସ୍ପଷ୍ଟ ହେବାର ଆବଶ୍ୟକତା ରହିଛି ।
ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ସେମାନଙ୍କ ଦଳୀୟ ଇସ୍ତାହାରରେ ଯେଉଁସବୁ ପ୍ରତିଶ୍ରୁତି ଦେଇଥାନ୍ତି ନିର୍ବାଚନ ପରେ ଶାସନ ୪ମତାକୁ ଆସିଲେ ସେଥିମଧ୍ୟରୁ ଅଧିକାଂଶ ପ୍ରତିଶ୍ରୁତି ପୂରଣ କରୁନଥିବା ଆମ ଦେଶରେ ଏକ ପରମ୍ପରା ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯେଉଁ ଦଳ ଶାସନ କ୍ଷମତାକୁ ଆସିଲେ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତି ନାହିଁ ସେହି ଦଳଗୁଡିକର ଶାସନ କ୍ଷମତାରେ ରହିବାର କୌଣସି ଅଧିକାର ବା ଯଥାର୍ଥତା ନଥିଲେ ମଧ୍ୟ ଭାରତୀୟ ସମ୍ବିଧାନରେ ଅଥବା ନିର୍ବାଚନ ଆଚାର ସଂହିତାରେ ସେହିଭଳି କିଛି ବ୍ୟବସ୍ଥା ନଥିବାରୁ ରାଜନୈତିକ ଦଳଗୁଡିକ ଶାସନ କ୍ଷମତାକୁ ଆସିବା ପରେ ଅନେକ ପ୍ରତିଶ୍ରୁତି ପାଳନ ନକରିବା ନୂଆକଥା ନୁହେଁ । ଆମର ଆଶା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଉଭୟ କେନ୍ଦ୍ର ଓ ରାଜ୍ୟରେ ଶାସନ କ୍ଷମତାକୁ ଆସିଲେ ତାଙ୍କର ପ୍ରତିଟି ସଂକଳ୍ପ/ ପ୍ରତିଶ୍ରୁତି ପୂରଣ କରି ଭାରତୀୟ ରାଜନୀତିରେ ଏକ ନୂତନ ପରମ୍ପରା ସୃଷ୍ଟି କରିବେ ।

By amfnews

Related Post