Sat. Mar 7th, 2026

ମହାରାଷ୍ଟ୍ର ପ୍ରକଳ୍ପ ପାଇଁ ବିନା ସୁଧରେ ୫୦୦ କୋଟି ଟଙ୍କା ଋଣ ଦେଲା ଶିରିଡ଼ି ଟ୍ରଷ୍ଟ୍‍

409 Views

ବିଜେପି ନେତୃତ୍ୱାଧୀନ ସରକାର ଜଳସେଚନ ପ୍ରକଳ୍ପ ନିମନ୍ତେ ଟ୍ରଷ୍ଟ୍‍କୁ ଆବେଦନ କରିବାରୁ ଟ୍ରଷ୍ଟର୍‌ ସଭାପତି ବିଜେପି ନେତା ସୁରେଶ ହାଓ୍ଵାରେ ଋଣ ମଞ୍ଜୁର କରିବାକୁ ନିଷ୍ପତ୍ତି ନେଇଥିଲେ। ବିନା ସୁଧରେ ପୂର୍ବରୁ କୌଣସି ରାଷ୍ଟ୍ରାୟତ ପ୍ରକଳ୍ପକୁ ଏତେ ପରିମାଣର ଋଣ ଦିଆଯାଇ ନ ଥିଲା। ଏହାଛଡ଼ା ଋଣ ପରିଶୋଧ କରିବାକୁ ମଧ୍ୟ କୌଣସି ନିର୍ଦ୍ଧାରିତ ସମୟ ସୀମା ଦିଆ ଯାଇ ନାହିଁ।

ଫେବ୍ରୁଆରି ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଫଡ଼ନବିସଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ସଭାରେ ଋଣ ପ୍ରସ୍ତାବ ମଞ୍ଜୁର ହୋଇଥିଲା ଏବଂ ଦୁଇ କିସ୍ତିରେ ଋଣ ଅର୍ଥ ଦିଆ ଯିବା ନିମନ୍ତେ ଶନିବାର ଦିନ ଆଦେଶନାମା ରିଲିଜ୍‌ ହୋଇଥିଲା।

ଏହି ପ୍ରକଳ୍ପ ଦୀର୍ଘ ଦିନ ହେବ ପଡ଼ି ରହିଥିବା କଥା ଜଣେ ଅଧିକାରୀ କହିଛନ୍ତି। ମୋଟ୍‌ ୧୨୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ନିମନ୍ତେ ମନ୍ଦିର ଟ୍ରଷ୍ଟ୍‍ ୫୦୦ କୋଟି ଟଙ୍କା ଦେବ। ଜଳ ସମ୍ପଦ ବିଭାଗ ଚଳିତ ବର୍ଷ ୩୦୦ କୋଟି ଟଙ୍କା ଦେବା ପାଇଁ ଅଟକଳ କରିଛି ଏବଂ ଆସନ୍ତା ବର୍ଷ ଆଉ ୪୦୦ କୋଟି ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇଛି।

ଅଧିକାରୀମାନେ କହିଛନ୍ତି, ଦୈନିକ ୭୦ ହଜାର ଭକ୍ତ ଶିରିଡ଼ି ମନ୍ଦିର ପରିଦର୍ଶନ କରୁଛନ୍ତି। ପର୍ବାଣିମାନଙ୍କରେ ଭକ୍ତମାନଙ୍କ ସଂଖ୍ୟା ସାଢ଼େ ତିନି ଲକ୍ଷ ଟପି ଯାଉଛି। କିନ୍ତୁ, ଏହି ଅଞ୍ଚଳରେ ଭୀଷଣ ଜଳସଂକଟ ଲାଗି ରହୁଛି।

By amfnews

Related Post