Sun. Nov 24th, 2024

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ, ଶିବସେନା ସହ ହାତ ମିଳାଇବ କଂଗ୍ରେସ

By amfnews Nov 13, 2019 #Featured
153 Views

ମୁମ୍ବାଇ: ରାଜନୀତିରେ ସବୁଦିନ ପାଇଁ କେହି କାହାର ଶତ୍ରୁ ନୁହନ୍ତି କି ମିତ୍ର ନୁହନ୍ତି। ଏହାକୁ ପ୍ରମାଣ କରିବାକୁ ଯାଉଛନ୍ତି କଂଗ୍ରେସ ଓ ଶିବ ସେନା। ପରସ୍ପରର କଟ୍ଟର ବିରୋଧୀ ରୂପେ ପରିଚିତ ଶିବ‌ ସେନା, କଂଗ୍ରେସ ଏବଂ ଶରଦ ପାୱାରଙ୍କ ଏନ୍‌ସିପି ମହାରାଷ୍ଟ୍ରରେ ମିଳିତ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲେ ମଧ୍ୟ ସେମାନେ ଭରସା ଛାଡ଼ି ନାହାନ୍ତି। ତିନି ଦଳ ମେଣ୍ଟ କରି ସରକାର ଗଠନ କରିବେ ଏବଂ ଏଥିପାଇଁ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ପ୍ରସ୍୍ୁତି ଚାଲିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସବୁଜ ସଙ୍କେତ ଦେବାପରେ ତିନି ଦଳର ନେତା ଏକାଠି ବସି ପ୍ରସ୍ତୁତି ଚଳାଇଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତିନି ଦଳଙ୍କ ଆଦର୍ଶ ଭିନ୍ନ ଭିନ୍ନ ଥିଲେ ମଧ୍ୟ ଗୋଟିଏ ସାଧାରଣ କାର୍ଯ୍ୟକ୍ରମ ଆଧାରରେ ସରକାର ପରିଚାଳିତ ହେବ। ଆଲୋଚନା ମୁତାବକ ଶିବ ସେନା ନେତା ମୁଖ୍ୟମନ୍ତ୍ରୀ ଏବଂ ଏନସିପି ନେତା ଉପମୁଖ୍ୟମନ୍ତ୍ରୀ ହେବେ। କଂଗ୍ରେସ ସଭ୍ୟଙ୍କୁ ବାଚସ୍ପତି କରାଯିବ। ମେଣ୍ଟ ସରକାରରେ କଂଗ୍ରେସ ଲୋକ ମଧ୍ୟ ମନ୍ତ୍ରୀ ରହିବେ। ତେବେ କେଉଁ ଦଳର କେତେ ଜଣଙ୍କୁ ମନ୍ତ୍ରୀ କରାଯିବ ତାହା ଉପରେ ବିଚାରବିମର୍ଶ ଚାଲିଛି। ପୂର୍ବରୁ ଏନ୍‌ସିପି ମଧ୍ୟ ଏହାର ନେତାଙ୍କୁ ଅଢେଇ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲା। ମାତ୍ର ଏଥିରୁ ଓହରିଯାଇଥିବା ଜଣାପଡ଼ିଛି। ଖୁବଶୀଘ୍ର ଏହି ଯୋଜନା ଚୂଡ଼ାନ୍ତ ରୂପ‌ ନେବ ବୋଲି ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ ସୂଚନା ଦେଇଛନ୍ତି। ୨୮୮ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଶିବ ସେନା (୫୬), ଏନସପି (୫୪) ଏବଂ କଂଗ୍ରେସ (୪୪) ମେଣ୍ଟର ୧୫୪ ସଭ୍ୟ ଅଛନ୍ତି।

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ୨୦ ଦିନ ଧରି ଅନିଶ୍ଚିତତା ଲାଗି ରହିବା ପରେ ଆଜି ରାଷ୍ଟ୍ରପତି ଶାସନ ଜାରି କରାଯାଇଛି। ସମ୍ବିଧାନ ଅନୁସାରେ ରାଜ୍ୟରେ କୌଣସି ଦଳ ଏବେ ସରକାର ଗଠନ କରିବା ସ୍ଥିତିରେ ନଥିବାରୁ ରାଷ୍ଟ୍ରପତି ଶାସନ ଲାଗି ରାଜ୍ୟପାଳ ସୁପାରିସ କରିଥିଲେ। ରାଜ୍ୟପାଳଙ୍କ ଏଭଳି ପଦକ୍ଷେପ ନେଇ ଶିବ ସେନା, ଏନସିପି ଏବଂ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏପରିକିି ରାଜ୍ୟପାଳଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ଶିବ ସେନା ଆଜି ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ସରକାର ଗଠନ ପାଇଁ ରାଜ୍ୟପାଳ ପ୍ର‌ଥମେ ବିଜେପି ଏବଂ ପରେ ଶିବ ସେନା ଓ ଏନସିପିକୁ ସୁଯୋଗ ଦେଇଥିଲେ। ବିଜେପି ଅସର୍ଥତା ପ୍ରକାଶ କରିବା ପରେ ଶିବ ସେନା ଏବଂ ଏନସିପି ଅଧିକ ୨୪ ଘଣ୍ଟା ସମୟ ମାଗିଥିଲେ। କିନ୍ତୁ ରାଜ୍ୟପାଳ ଏଥିଲାଗି ସେମାନଙ୍କୁ ଅନୁମତି ଦେଇନଥିଲେ। ସରକାର ଗଠନ କରିପାରିବ କି ନାହିଁ ସେସଂପର୍କରେ ଜଣାଇବା ଲାଗି ରାଜ୍ୟପାଳ ଏନସିପିକୁ ଆଜି ସନ୍ଧ୍ୟା ୮ଟା ୩୦ ସୁଦ୍ଧା ସମୟ ଦେଇଥିଲେ। କିନ୍ତୁ ଏନସିପି ଆଜି ଦିନ ୧୧ଟାରେ ଅଧିକ ୨୪ ଘଣ୍ଟା ସମୟ ମାଗିଥିଲା। ରାଜ୍ୟପାଳ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇ କେନ୍ଦ୍ରକୁ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିକ୍ସ ସମ୍ମିଳନୀ ପାଇଁ ବ୍ରାଜିଲ୍‌ ଗସ୍ତରେ ଯିବା ପୂର୍ବରୁ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସକୁ ମଂଜୁରି ମିଳିଥିଲା। ପଂଜାବ ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ସନ୍ଧ୍ୟାରେ ଦିଲ୍ଲୀ ଫେରିବା ପରେ ଏହାକୁ ଅନୁମୋଦନ କରିଥିଲେ। ରାଷ୍ଟ୍ରପତି ଶାସନ ୬ ମାସ ପାଇଁ ଲାଗୁ ହୋଇଥିଲେ ମଧ୍ୟ ଏହି ସମୟସୀମା ପୂର୍ବରୁ ପରିସ୍ଥିତିକୁ ଦେଖି ଏହା ପ୍ରତ୍ୟାହାର କରାଯାଇ ପାରିବ।

ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳଙ୍କ ସୁପାରିସକୁ ବିରୋଧ କରି ଆଜି ଶିବସେନା ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇଛି। ପାର୍ଟି ପକ୍ଷରୁ କୁାହାଯାଇଛି ଯେ ରାଜ୍ୟପାଳ ଶିବସେନାକୁ ସରକାର ଗଠନ ପାଇଁ ଅଧିକ ୨୪ ଘଣ୍ଟା ସମୟ ନଦେଇ ଅଯଥା ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିଛନ୍ତି। ଗତକାଲି ସନ୍ଧ୍ୟାରେ ଶିବସେନା ନେତାମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଆଉ ୨୪ ଘଣ୍ଟା ସମୟ ମାଗିଥିଲେ। ତେବେ ରାଜ୍ୟପାଳ ଏହାକୁ ଗ୍ରହଣ ନକରି ରାଜ୍ୟର ତୃତୀୟ ବଡ଼ ଦଳ ଏନ୍‌ସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ସହ ଏହାକୁ ମଧ୍ୟ ୨୪ ଘଣ୍ଟା ସମୟ ଦେଇଥି‌ଲେ। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟପାଳ ସାମ୍ବିଧାନିକ ପ୍ରକ୍ରିୟା ପାଳନ କରିନାହାନ୍ତି ଏବଂ ସେ ନ୍ୟାୟ ବ୍ୟବସ୍ଥାର ଉଲ୍ଲଂଘନ କରିଛନ୍ତି। ରାଜ୍ୟପାଳ ବେପରୁଆ ଢଙ୍ଗରେ ବିଭିନ୍ନ ଦଳକୁ ସରକାର ଗଠନ ପାଇଁ ଡାକିଥିଲେ ଏବଂ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇ ନଥିଲା ବୋଲି ଦଳ ମୁଖପାତ୍ର ରଣଦୀପ ସୁର୍ଯେୱାଲା କହିଛନ୍ତି। ଏନ୍‌ସିପି ମଧ୍ୟ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଛି ଯେ ବିଜେପିକୁ ୪୮ ଘଣ୍ଟା ସମୟ ଦିଆଯାଇଥିବା ବେଳେ ଆମକୁ ମାତ୍ର ୨୪ ଘଣ୍ଟା ସମୟ ଦିଆଯାଇଥିଲା। ରାଜ୍ୟପାଳ ଏ ଦିଗରେ ପାତରଅନ୍ତର ନୀତି ଧରି ରାଷ୍ଟ୍ରପତି ଶାସନ ପାଇଁ ରାସ୍ତା ସଫା କରିଦେଲେ ବୋଲି ଏନ୍‌ସିପି କହିଛି। ରାଷ୍ଟ୍ରପତି ଶାସନ ଲାଗୁ ପରେ ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ କରିବା ପାଇଁ ଆଜି ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଅହମ୍ମଦ ପଟେଲ ଏବଂ ରାଜ୍ୟର ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ଆଲୋଚନା କରିଛନ୍ତି।

By amfnews

Related Post