Tue. Nov 26th, 2024

ମହାରଥୀଙ୍କ ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ… ଜୋର ଧରିଲା ପିପିଲି ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବି, କ୍ରାଇମବ୍ରାଞ୍ଚକୁ କାଠଗଡାକୁ ଟାଣିଲା ବିଜେପି

By amfnews Dec 27, 2018 #Featured
221 Views

ଭୁବନେଶ୍ୱର, ଡିସେମ୍ବର ୨୭ : ପିପିଲିର ଦଳିତ ଝିଅ ବେବିନା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେବା ପରେ ରାଜ୍ୟ ସରକାରର ବରିଷ୍ଠ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ପୀଡିତାଙ୍କୁ ନ୍ୟାୟ ମିଳିବା ବୋଲି କହିବା ଅତ୍ୟନ୍ତ ଦୁଃଖ ଦାୟକ ଓ ସମ୍ବେଦନହୀନ ବୋଲି କହିଛି ବିଜେପି । ଏହି ଘଟଣାରେ କ୍ରାଇମବ୍ରାଂଚ ଷଡଯନ୍ତ୍ର କରି ଦୋଷୀକୁ ଖଲାସ କରିବାରେ ସାହାଯ୍ୟ କଲା ବୋଲି ଅଭିଯୋଗ କରିଛି ମହିଳା ମୋର୍ଚ୍ଚା । ଘଟଣାର ସିବିଆଇ ତଦନ୍ତ ଦାବି ସହ କୃଷିମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି ଦଳ । ନହେଲେ ଏହାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ, ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯିବ ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ଓ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି ।

ବିଜେପି ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମାତ୍ର ୨୫ କିଲୋମିଟର ଦୂରରେ ଗଣଦୁଷ୍କର୍ମ ପରେ ମୃତ୍ୟ ଘଟିଥିବା ଝିଅର ଦୋଷୀକୁ ଦଣ୍ଡ ଦେବାରେ ରାଜ୍ୟ ସରକାର ଯୋଜନାବଦ୍ଧ ଭାବରେ ତଥ୍ୟ ପ୍ରମାଣ ଉପସ୍ଥାପନ ନ କରି ଖସାଇ ଦେଇଛନ୍ତି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସମ୍ମାନ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣର କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ଅନ୍ୟପଟେ ବେବିନା ୩୩ ପ୍ରତିଶତ ମହିଳାଙ୍କ ଭିତରେ ଆସୁଥିଲେ କି ନାହିଁ ? ଜଣେ ମନ୍ତ୍ରୀ ଯେପରି ଭାବେ ମନ୍ତବ୍ୟ ଦେଇଛନ୍ତି ଏହା ସମ୍ପୂର୍ଣ ଭାବେ ସମ୍ବେଦନହୀନ । ବେବିନା ମାମଲାରେ ମହାରଥୀଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବାହାର କରିଥିଲେ । ସ୍ଥାନୀୟ ଥାନା ଅଧିକାରୀ ତଦନ୍ତରେ ଅବହେଳା ପାଇଁ ନିଲମ୍ବିତ ହୋଇଥିଲେ । ଏବେବି ସାକ୍ଷ୍ୟ ପ୍ରମାଣ ନ ଦେଇ ଦୋଷୀକୁ ଖଲାସ କରିବାରେ ସରକାର ସହଯୋଗ କରିଥିବା କଥା ପୀଡିତାର ପରିବାର ଅଭିଯୋଗ କରୁଛନ୍ତି । ଏପରି ସ୍ଥିତିରେ ମନ୍ତ୍ରୀ ଯେପରି ମନ୍ତବ୍ୟ ଦେଇଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି  ।

By amfnews

Related Post