Wed. Dec 25th, 2024

ମହାନଦୀ ପାଣିକୁ ବିକି ଦେଇଛି ଛତିଶଗଡ଼, କେନ୍ଦ୍ର ଓ ରାଜ୍ୟ ଭୋଟ ପାଇଁ କରୁଛନ୍ତି ରାଜନୀତି

By amfnews Jun 2, 2018 #Featured
281 Views

ଭୁବେନଶ୍ୱର, ଜୁନ ୨:୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜୋର ଧରିଛି ମହାନଦୀ ରାଜନୀତି । ରାଜ୍ୟର ତିନି ପ୍ରମୁଖ ଦଳଙ୍କର ମୁଖ୍ୟ ପ୍ରସଙ୍ଗ ହୋଇଛି ମହାନଦୀ । କେତେବେଳେ ରାଜ୍ୟ ସରକାର କହୁଛନ୍ତି କେନ୍ଦ୍ର ସରକାର ପକ୍ଷପାତିତା କରୁଛନ୍ତି ତ ଆଉ କେତେବେଳେ କେନ୍ଦ୍ର କହୁଛି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ମହାନଦୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିରୋଧୀ ଟାର୍ଗେଟ କରୁଛି । ଆଜି ମହାନଦୀ ସମସ୍ୟାକୁ ନେଇ ବିଜେପି ଓ ବିଜେଡ଼ି ସରକାର ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏଥିପାଇଁ ଦଳ ଖୁବ ଶୀଘ୍ର ଆନ୍ଦୋଳନର ଡାକରା ଦେବ ବୋଲି ପିସିସି ସଭାପତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ଗସ୍ତରେ ଆସି ମହାନଦୀ ପାଇଁ ପଦଟିଏ ବି କହିଲେ ନାହିଁ । ଛତିଶଗଡ଼ରେ ବିଜେପି ସରକାର ଥିବାରୁ ତାକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସମର୍ଥନ କରୁଛନ୍ତି । ଗତ ଜାନୁୟାରୀ ମାସରୁ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେଲା ପରେ ଫେବୃୟାରୀ ୨୦ ତାରିଖରେ ଟ୍ରିବ୍ୟୁନାଲ ଗଠନ କରାଯାଇଛି । ମାତ୍ର ଛତିଶଗଡ଼ ନିର୍ବାଚନ ଥିବାରୁ ଟ୍ରିବ୍ୟୁନାଲକୁ ଅଚଳ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ପିସିସି ସଭାପତି କହିଛନ୍ତି । ଏପଟେ ଓଡ଼ିଶା ସରକାରଙ୍କ ସହିତ ୨୯ଟି ଘରୋଇ କମ୍ପାନୀ ଚୁକ୍ତି କରିବାକୁ ନିଷ୍ପତ୍ତି ନେଇ ଥିଲେ । କିନ୍ତୁ ଓଡ଼ିଶା ଅବହେଳା ମନୋଭାବ ଯୋଗୁଁ କମ୍ପାନୀଗୁଡ଼ିକ ଛତିଶଗଡ଼ ମୁହାଁ ହୋଇଛନ୍ତି । ଆଗାମୀ ୨୫ ବର୍ଷ ପାଇଁ ମହାନଦୀ ଜଳ ଧାରାକୁ ଛତିଶଗଡ଼ ସରକାର ୨୬ଟି କମ୍ପାନୀକୁ ବିକ୍ରି କରିଦେଇଛନ୍ତି । ବିଜେଡ଼ି ମହାନଦୀର ସରଂକ୍ଷଣ ଓ ସୁପରିଚାଳନା ପାଇଁ ଆଦୌ ସମ୍ବେଦନଶୀଳ ନୁହଁନ୍ତି । କିନ୍ତୁ ଆଗକୁ ନିର୍ବାଚନ ଆସୁଥିବାରୁ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନିରଞ୍ଜନ କହିଛନ୍ତି । କେବଳ ଭୋଟକୁ ହାତେଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି ।

ମହାନଦୀ ସମସ୍ୟାର ସମାଧାନ ପାଇଁ ସମସ୍ତ ଓଡ଼ିଶାବାସୀଙ୍କୁ ଏକାଠି ହେବାକୁ ଆହ୍ୱାନ କରିଛନ୍ତି ପିସିସି ସଭାପତି । ଏଥିପାଇଁ କଂଗ୍ରେସ ଖୁବ ଶୀଘ୍ର ଓଡ଼ିଶା ବନ୍ଦ ଡାକରା ଦେବ ବୋଲି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

By amfnews

Related Post