Sun. Jan 12th, 2025

ମହାନଗରସ୍ତରୀୟ ହକି ପ୍ରତିଯୋଗିତା ଉଦ୍ଘାଟିତ

By amfnews Dec 6, 2018 #Featured
99 Views

ରାଉରକେଲା, ୬ା୧୨  : ଓଡିଶା ପୁରୁଷ ହକି ବିଶ୍ୱକପ୍ ନିମନ୍ତେ ରାଜ୍ୟ ସାରା ଉତ୍ସବର ବାତାବରଣ ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ବିଶ୍ୱକପ୍ କ୍ରୀଡା ମହୋତ୍ସବ ଆୟୋଜନ କରାଯାଉଛି । ରାଉରକେଲା ମହାନଗର ନିଗମ ତରଫରୁ ମଧ୍ୟ ଏକ ମହାନଗର ସ୍ତରୀୟ ହକି ପ୍ରତିଯୋଗିତା ଆୟୋଜନ କରାଯାଇଛି । ବିଜୁ ଯୁବ ବାହିନୀ ଅନ୍ତର୍ଗତ ଏହି ପ୍ରତିଯୋଗିତା ସ୍ଥାନୀୟ ପାନପୋଷ କ୍ରୀଡା ଛାତ୍ରାବାସ ପଡିଆରେ ଆରମ୍ଭ ହୋଇଥିବା ବେଳେ ମୋଟ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି ।

ଏହି ପ୍ରତିଯୋଗିତା ନକ୍ଆଉଟ୍ ଫର୍ମାଟରେ ଖେଳାଯିବାକୁ ଥିବାବେଳେ ପ୍ରଥମ ଦିନରେ ସମସ୍ତ ଦଳ ମ୍ୟାଚ୍ ଖେଳିଥିଲେ । ୪ଟି ବିଜୟୀ ଦଳ ଆଜି ସକାଳେ ସେମିଫାଇନାଲ ମ୍ୟାଚ୍ ଖେଳିବା ସହ ଅପରାହ୍ନରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ସୁନ୍ଦରଗଡ ଜିଲାକୁ ହକିର ରାଜଧାନୀ ଭାବେ ପରିଗଣିତ କରାଯାଉଥିବାରୁ ଏହି ପ୍ରତିଯୋଗିତା ପ୍ରତିଟି ବ୍ଲକ୍ ସ୍ତରରେ ମଧ୍ୟ କରାଯାଉଛି । ସବୁ ବ୍ଲକ୍ ଓ ମହାନଗର ସ୍ତରୀୟ ବିଜୟୀ ଦଳ ଜିଲା ସ୍ତରର ପ୍ରତିଯୋଗିତାରେ ଭାଗ ନେବାର ଯୋଜନା ରହିଛି । ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ ସେକ୍ଟର-୧୯ ଓ ରାଇଜିଙ୍ଗ ଷ୍ଟାର୍ (କ) ମଧ୍ୟରେ ହୋଇଥିବା ବେଳେ ରାଇଜିଙ୍ଗ ଷ୍ଟାର୍ (କ) ୪-୦ ଗୋଲ୍ରେ ବିଜୟୀ ହୋଇଥିଲା ।

ସେହିପରି ବ୍ୟାସନଗର ଟିମ୍ ସେକ୍ଟର-୨ ଟିମ୍କୁ ୫-୨ ଗୋଲ୍ରେ, ରୁପଟୋଲା ଟିମ୍ ଗାଙ୍ଗପୁର ସ୍ପୋର୍ଟସ୍ ଆସୋସିଏସନକୁ ୬-୦ ଗୋଲ୍ ଏବଂ ରାଇଜିଙ୍ଗ ଷ୍ଟାର୍ (ଖ) ଜଗଦା ଟିମ୍କୁ ୬-୨ ଗୋଲ୍ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ଏହି ମ୍ୟାଚ୍ରେ ବରିଷ୍ଠ ହକି ପ୍ରଶିକ୍ଷକ ସିଲଭେଷ୍ଟର ଟପ୍ପୋ ଓ ପାନପୋଷ ସ୍ପୋର୍ଟସ୍ ହଷ୍ଟେଲର ଅଧିକାରୀ ମିଲଟନ ବିଲୁଙ୍ଗ ଅତିଥି ଭାବେ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାଚ୍ ପରିଚାଳନା ପାଇଁ ୪ର୍ଥ ବାଟାଲିୟନର ହକି ପ୍ରଶିକ୍ଷକ ସତ୍ୟବାନ କେର୍କେଟା, ଅନୀଲ କୁଲୁ, ବିନୋଦ ଏକ୍କା, ୱାଲଟର କୁଲୁ, ସୁଶୀଲ କୁଜୁର, ସଞ୍ଜିତ ବାର୍ଲା, ସଞ୍ଜୟ ଏକ୍କା ପ୍ରମୁଖ ସହଯୋଗ କରିଥିଲେ ।

ବିଜୁ ଯୁବ ବାହିନୀର ଯୁବ ସଂଯୋଜକ ବିକ୍ରମ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଅଭିଷେକ ମିଶ୍ର ଓ ପାର୍ଥସାରଥି ସାହୁ ଟିମ୍ ପରିଚାଳନା କରିଥିଲେ । ୱାର୍ଡ ସଂଯୋଜକ ତ୍ରିପ୍ତିସୋମନ ଟପ୍ନୋ, ପ୍ରତିମା ସୋରେଙ୍ଗ, ସ୍ୱରାଜ ଗୌରବ ପରିଡା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

By amfnews

Related Post