Tue. Mar 10th, 2026

ମଶାଣିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ଅଭିଯୁକ୍ତ ଅନାମ ପାଇଁ ଅପରେସନ୍‌

262 Views

ଅନୁଗୁଳ , ଜାନୁଆରୀ ୨୨ : ଅନୁଗୁଳ ସହର ଉପକଣ୍ଠ କାଙ୍ଗୁଲା ଗାଁ ମଶାଣି ଭୂଇଁରେ ଗତକାଲି ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ପୂରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାକୁ ନେଇ ଉଠୁଛି ପଡ଼ୁଛି ପୂରା ଅନୁଗୁଳ। ଦଳମତ ନିର୍ବିଶେଷରେ ବିଜେପି, କଂଗ୍ରେସ, ଅଲ ଇଣ୍ଡିଆ ଡିଏସ୍‌ଓ ଓ ଗ୍ରାମବାସୀ ପଦାକୁ କାଢ଼ିଛନ୍ତି ଗୋଡ଼। ଆଜି ଦିନତମାମ୍‌ ଟାୟାର ଜାଳି ରାସ୍ତାରୋକ, ଧାରଣା, ପ୍ରତିବାଦ ଶୋଭାଯାତ୍ରା, ସାମ୍ବାଦିକ ସମ୍ମିଳନୀ ଡକାଇ ନାବାଳିକାଙ୍କ ପାଇଁ ସଭିଏଁ ନ୍ୟାୟ ଭିକ୍ଷା କରିଛନ୍ତି। ଅନ୍ୟପକ୍ଷରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କାଙ୍ଗୁଲା ଗୁଡ଼ିସାହିର ପାଇପ୍ ମିସ୍ତ୍ରି ଶ୍ରୀନିବାସ ଦେହୁରୀ ଓରଫ୍‌ ଅନାମ ନାଁରେ ବିଳମ୍ବିତ ରାତିରେ ଗତକାଲି ଅନୁଗୁଳ ଥାନାରେ ମାମଲା ରୁଜୁ ହୋଇଛି। ଅନାମକୁ ଧରିବା ପାଇଁ ଅନୁଗୁଳ ଜିଲ୍ଲା ପୁଲିସ ନିଜର ପୂରା କଳ, ବଳ, କୌଶଳ ଖଟାଇ ଦେଇଛି।

ରବିବାର ଅପରାହ୍‌ଣରେ ବାପାଙ୍କ ପାଇଁ ଖାଇବା ନେଇ ଦୋକାନକୁ ଯାଉଥିବା ବେଳେ କାଙ୍ଗୁଲା ଗାଁର ସପ୍ତମ ଶ୍ରେଣୀର ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ କରାଯାଇଥିଲା। ତା’ ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ପାଇପ୍ ମିସ୍ତ୍ରି ଅନାମ ଘଟଣାସ୍ଥଳରୁ ନିମିଷକ ଭିତରେ ହାତରୁ ଖସି ପଳାଇଥିଲା। ଘଟଣାକୁ ଇତିମଧ୍ୟରେ ଗୋଟିଏ ଦିନ ବିତି ଯାଇଥିଲେ ହେଁ ଅନାମକୁ ପୁଲିସ କବ୍‌ଜାକୁ ଆସି ପାରିନାହିଁ।

ରାତି ସାରା ପୁଲିସର ଅନାମ ଧରପଗଡ଼ ଅଭିଯାନ ଚାଲିଥିଲା। ତା’ର ମୋବାଇଲ କଲ୍‌ ରେକର୍ଡ଼ ଯାଞ୍ଚ କରି ପ୍ରଥମେ ତା’ର ସମ୍ପର୍କୀୟ ଓ ସାଙ୍ଗସାଥୀମାନଙ୍କୁ ଠାବ କରିଥିଲା ପୁଲିସ। ସମ୍ପର୍କୀୟଙ୍କଠାରୁ କଥା ଆଦାୟ କରି ଧରପଗଡ଼ ଜୋରଦାର କରିଥିବା ଜଣାପଡ଼ିଛି। ଅନାମ ସାଥୀରେ ବାଇକ୍ ନେଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଦେଇ ଖସି ପଳାଇଥିବା ପୁଲିସ ଅନୁମାନ କରୁଛି। ସେଥିପାଇଁ ଆଜି ଦିନସାରା ପର୍ଜଙ୍ଗ ଓ ତାଳଚେର ଅଞ୍ଚଳରେ ପୁଲିସ ଛାନ୍‌ଭିନ୍ କରିଥିଲା। କିନ୍ତୁ ବିଫଳ ହୋଇଛି। ହୁଏତ ଅନାମ ଜିଲ୍ଲା ସୀମା ପାର୍ ହୋଇ ଢେଙ୍କାନାଳ, କଟକ, ଭୁବନେଶ୍ବର ଅଥବା ରାଉର୍‌କେଲା ଆଡ଼କୁ ଯାଇଥିବା ପୁଲିସ ଅନୁମାନ କରୁଛିି। ସବୁ ଥାନାକୁ ଆଲର୍ଟ କରି ଦିଆଯାଇଛି। ଧରପଗଡ଼ ପାଇଁ ସମୁଦାୟ ୭ଟି ଟିମ୍‌ ଗଢ଼ା ହୋଇଛି ବୋଲି ତାଳଚେର ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

By amfnews

Related Post