Sat. Mar 7th, 2026

ମଲ୍‌ ସମ୍ମୁଖରେ ମହିଳା ଅଧିକାରୀଙ୍କୁ ଲୁଟ୍‌

307 Views

ଖଣ୍ଡଗିରି : ପାତ୍ରପଡ଼ା ମାର୍କେଟ୍‌ କମ୍ପ୍ଲେକ୍ସସ୍ଥିତ ଏକ ସପିଂ ମଲ୍‌ ସମ୍ମୁଖରେ ଗୁରୁବାର ସନ୍ଧ୍ୟାରେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟ୍‌ର ଶିକାର ମହିଳାଜଣଙ୍କ ଆଚାର୍ଯ୍ୟ ବିହାର ଓକାକ୍ ବିଲ୍ଡିଂସ୍ଥିତ ରାଜ୍ୟ ସରକାରଙ୍କ ଆଇଟି ବିଭାଗର ଜଣେ ପଦସ୍ଥ ଅଧିକାରୀ। ଏକ ବାଇକ୍‌ରେ ଥିବା ଜଣେ ଦୁର୍ବୃତ୍ତ ତାଙ୍କ ବେକରୁ ପ୍ରାୟ ୨୦ଗ୍ରାମର ଲକେଟ୍‌ ଥିବା ସୁନାଚେନ୍‌ ଝାମ୍ପି ନେଇଥିଲା। ଏ ନେଇ ସେ ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ଗଣମାଧ୍ୟମରେ ନିଜ ନାମ ପ୍ରକାଶ କରିବାକୁ ମନା କରିଦେଇଛନ୍ତି। ତମାଣ୍ଡୋ ଥାନା ପୁଲିସ ମାମଲା ରୁଜୁ କରିବା ସହ ଖୋର୍ଧା ଅଞ୍ଚଳର କିଛି ଲୁଟେରାଙ୍କୁ ଟାର୍ଗେଟ୍‌ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ଅଭିଯୋଗ ଅନୁସାରେ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା‌‌ରେ ସେ ଓ ତାଙ୍କ ଝିଅ ଉକ୍ତ ମଲ୍‌ରୁ ସପିଂ ସାରି ବାହାରକୁ ବାହାରିଥିଲେ। ମଲ୍‌ ସମ୍ମୁଖ ସର୍ଭିସ ରୋଡ୍‌ ଉପରେ ପାର୍କିଂରେ ଥିବା କାର୍ ନିକଟକୁ ସେମାନେ ଚାଲି ଚାଲି ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ଏକ କଳା ବାଇକରେ ଜଣେ ଦୁର୍ବୃତ୍ତ ହଠାତ୍ ତାଙ୍କ ବେକରୁ ଚେନ୍ ଟାଣି ଖୋର୍ଧା ଦିଗରେ ଦ୍ରୁତ ବେଗରେ ପଳାଇଥିଲା। ସେଠାରେ ଥିବା କିଛି ଯୁବକ ବାଇକ୍‌ରେ ଦୁର୍ବୃତ୍ତର ପିଛା କରିଥିଲେ ହେଁ ତା ପତ୍ତା ପାଇନଥିଲେ।

ମହିଳା ଅଧିକାରୀଙ୍କ କହିବା କଥା, ଏତେ ବଡ଼ ସପିଂ ମଲ୍‌ ସମ୍ମୁଖରେ ସିସିଟିଭି କ୍ୟାମେରା ନାହିଁ। ଏଠାରେ ବାରମ୍ବାର ଛିନ୍‌ତାଇ ହେଉଥିବା ସତ୍ବେ କମିସନରେଟ୍‌ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏବେ ୧୬ନମ୍ବର ଜାତୀୟ ରାଜପଥ ଉପରେ ପାତ୍ରପଡ଼ା ଏକ ବଡ଼ ମାର୍କେଟ୍‌ କମ୍ପ୍ଲେକ୍ସ ଭାବେ ପରିଣତ ହୋଇଥିବାରୁ ଏଠାରେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ଜରୁରି ହୋଇପଡ଼ିଛି।

By amfnews

Related Post