Sat. Mar 7th, 2026

ମମତାଙ୍କୁ ମଜଭୁତ କରିବା ପାଇଁ ପିକେଙ୍କୁ ନୀତୀଶ ପଠାଇଛନ୍ତି!

268 Views

ପାଟନା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସକୁ ଆଗାମୀ ସାଧାରଣ ନିର୍ବାଚନରେ ରାଜନୀତିକ ଷ୍ଟ୍ରାଟେଜିଷ୍ଟ ଭାବରେ ସହଯୋଗ କରିବେ ପ୍ରଶାନ୍ତ କିଶୋର (ପିକେ)। ଗୋଟିଏ ପଟେ ବିଜେପିର ଘୋର ବିରୋଧୀ ମମତା ବାନାର୍ଜୀ ଓ ଅନ୍ୟପଟେ ବିଜେପିର ସହଯୋଗୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ। ତେଣୁ ଏଭଳି ଗୋଳିଆ ସ୍ଥିତିରେ ବିଜେପି-ଜେଡିୟୁ ମଧ୍ୟରେ ଫାଟ ସୃଷ୍ଚି ହୋଇପାରେ ବୋଲି ମଧ୍ୟ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ପୂର୍ବରୁ ମତ ରଖି ସାରିଛନ୍ତି। ପ୍ରଶାନ୍ତ କିଶୋର ଜେଡିୟୁର ଉପସଭାପତି ହୋଇଥିବାରୁ ସେ କାହିଁକି ମମତାଙ୍କୁ ସହଯୋଗ କରୁଛନ୍ତି, ସେ ନେଇ ଜେଡିୟୁ ମୁଖପାତ୍ର କେ.ସି ତ୍ୟାଗୀ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ପ୍ରଶାନ୍ତ କିଶୋର(ପିକେ) ଙ୍କ ସଂସ୍ଥା ଆଇ-ପିଏସି ସହିତ ଜେଡିୟୁର କୌଣସି ନେଣଦେଣ ନାହିଁ। ସେ ସଂସ୍ଥା ପିକେଙ୍କର ବ୍ୟକ୍ତିଗତ ବ୍ୟାପାର। ଜେଡିୟୁର ଉପସଭାପତି ଥାଇ ମଧ୍ୟ ଆନ୍ଧ୍ରପ୍ରଦେଶର ଓ୍ୱାଇଏସଆର କଂଗ୍ରେସକୁ ପିକେ ସହଯୋଗ କରିଥିଲେ। ସେତେବେଳେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ଉଠାଇନଥିଲେ। ଏବେ ମମତାଙ୍କ ବେଳକୁ ଗଣମାଧ୍ୟମ ପ୍ରତିନିଧି କାହିଁକି ପ୍ରଶ୍ନ କରୁଛନ୍ତି ବୋଲି ସେ ପଚାରିଛନ୍ତି।

ଗତକାଲି ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ବିହାର ବାହାରେ ଜେଡିୟୁ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଦଳ ନିଷ୍ପତ୍ତି ନେଇଛି। ଏହାପରେ ଦଳର ସଭାପତି ନୀତୀଶ କୁମାର ଏବଂ ଉପସଭାପତି ପ୍ରଶାନ୍ତ କିଶୋର ଏକାନ୍ତରେ ଏକ ରୁମରେ ପାଖାପାଖି ଦୁଇ ଘଣ୍ଚା ଧରି ଆଲୋଚନା କରିଥିଲେ। ତେବେ ସେମାନଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି, ସେ ବାବଦରେ ସବିଶେଷ ସୂଚନା ମିଳିପାରି ନାହିଁ।

ଅନ୍ୟପଟେ ଚର୍ଚ୍ଚା ହେଉଛି, ମମତାଙ୍କୁ ସହଯୋଗ କରିବା ପାଇଁ ନୀତୀଶ କୁମାର ପିକେଙ୍କୁ ପଠାଇଥାଇ ପାରନ୍ତି। କାରଣ ଟିଏମସି ଦୁର୍ବଳ ହୋଇଗଲେ ବିଜେପି ବିରୋଧରେ ମୁହଁ ଖୋଲିବା ପାଇଁ ଆଉ କୌଣସି ଦଳ ରହିବ ନାହିଁ। ମୋଦିଙ୍କ ନୂଆ ସରକାରରେ ଜେଡିୟୁକୁ ଆବଶ୍ୟକ ସଂଖ୍ୟକ ମନ୍ତ୍ରୀ ନମିଳିବା ପରେ ନୀତୀଶ କୁମାର ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଏନଡିଏରେ ଥିବାରୁ ମମତାଙ୍କୁ କୌଣସି ପ୍ରସଙ୍ଗରେ ନୀତୀଶ କୁମାର ସହଯୋଗ କରିପାରୁ ନାହାନ୍ତି। ତେଣୁ ଗଳା ବାଟ ଦେଇ ମମତାଙ୍କୁ ମଜଭୁତ କରିବାକୁ ନୀତୀଶ କୁମାର ପିକେଙ୍କୁ ପଠାଇଥିବା ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି।

ସୂଚନାଯୋଗ୍ୟ ଯେ ପିଏକେ ମୋଦିଙ୍କୁ ୨୦୧୨ ଗୁଜରାଟ ବିଧାନସଭା ନିର୍ବାଚନ ଓ  ୨୦୧୪ରେ ସାଧାରଣ ନିର୍ବାଚନରେ ବିଜୟୀ କରାଇବାରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେହପରି ନିକଟରେ ଜଗନ ରେଡ୍ଡୀଙ୍କୁ ତାଙ୍କ ସଂସ୍ଥା ନିର୍ବାଚନ ଜିତାଇବାରେ ସହଯୋଗ କରିଛି। କେବେଳ ୨୦୧୭ରେ ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଫଳତା ଦେବାରେ ପିକେ ଓ ତାଙ୍କ ସଂସ୍ଥା ଫେଲ୍ ମାରିଥିଲେ।

By amfnews

Related Post