Sun. Mar 8th, 2026

ମନ୍ତ୍ରୀଙ୍କ ଘରକୁ ଛାତ୍ରକଂଗ୍ରେସର ଟମାଟୋ ମାଡ଼

196 Views

ଭୁବନେଶ୍ବର : ପୁରୀ ଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ପ୍ରଦେଶ ଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସଂପାଦକ ରାଜୀବ ପଟ୍ଟନାୟକଙ୍କ ନେତୃତ୍ବରେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ୟୁନିଟ୍‌-୪ସ୍ଥିତ ସରକାରୀ ବାସଭବନକୁ ଘେରାଉ କରାଯାଇଥିଲା। ଏହି ସମୟରେ ଆନ୍ଦୋଳନରତ ଛାତ୍ରମାନେ ମନ୍ତ୍ରୀଙ୍କ ସରକାରୀ ବାସଭବନ ଉପରକୁ ଟମାଟୋ ମାଡ଼ କରିଥିଲେ। ପୁଲିସ କିଛି ଛାତ୍ର କଂଗ୍ରେସ ନେତାଙ୍କୁ ଅଟକ ରଖିଥିଲା।

ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ପୁରୀ ଦୁଷ୍କର୍ମ ଘଟଣାକୁ ୨ଦିନ ବିତି ଯାଇଥିଲେ ହେଁ ପୀଡ଼ିତାଙ୍କ ପ୍ରତି ମନ୍ତ୍ରୀଙ୍କ ସମବେଦନା ନାହିଁ। ଗୃହ ରାଷ୍ଟ୍ରମନ୍ତ୍ରୀ ଘଟଣା ସଂପର୍କରେ କିଛି ବିବୃତି ଦେଇ ନାହାନ୍ତି କି ପୀଡ଼ିତାକୁ ବି ଭେଟି ନାହାନ୍ତି। ପୁଲିସ ବିଭାଗ ଆଉ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ। ରାଜ୍ୟ‌‌ରେ ଦିନକୁ ପ୍ରାୟ ୭ଜଣ ଯୌନ ନିର୍ଯାତନାର ଶିକାର ହେଉଥିବା ରାଜ୍ୟ ସରକାର ନିଜେ ସ୍ବୀକାର କରୁଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ ଅନ୍ୟ ଉପରେ ଦୋଷ ଲଦି ଚତୁରତାର ସହ ଖସି ଯାଉଛନ୍ତି। ତେବେ ପୀଡ଼ିତା ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିକ୍ଷୋଭାରୀମାନେ ଚେତାବନୀ ଦେଇଥିଲେ। ଏହି ବିକ୍ଷୋଭରେ ପ୍ରକାଶ ମିଶ୍ର, ୟାସର ନୱାଜ, ରଂଜିତ ପାତ୍ର, ବଟକୃଷ୍ଣ ରାଉତରାୟ, ବାଦଲ ମହାନ୍ତି, ଦୁର୍ଗା ମହଲା, ଫାରୁକ ଖାନ, ବିଭୂଦତ୍ତ ରଥ, ପିଣ୍ଟୁ ରାଉତ, ରମାକାନ୍ତ ସାହୁ, ପୀୟୂଷ ଜେନା, ମହମ୍ମଦ ଖୁଲଫାମ, ରାଜଦୀପ ବେହେରା, ସୌମ୍ୟ ବରାଳ ଓ ଅମିତ କୁମାର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

By amfnews

Related Post