Sat. Nov 23rd, 2024

ମଧ୍ୟପ୍ରଦେଶ: ବ୍ୟାପମ ଦୁର୍ନୀତି ସହିତ ଜଡ଼ିତ ଅଭିଯୁକ୍ତ ହେଲେ କଂଗ୍ରେସର ମହାସଚିବ

By amfnews Dec 5, 2018 #Featured
368 Views

ଭୋପାଳ, ଡିସେମ୍ବର ୦୫ : ମଧ୍ୟପ୍ରଦେଶରେ ବିଧାନସଭା ପାଇଁ ମତଦାନ ଶେଷ ହେବା ପରେ କଂଗ୍ରେସ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ପଦାଧିକାରୀଙ୍କୁ ନିଯୁକ୍ତି ଦେଇଛି । ନୂତନ ନିଯୁକ୍ତି ଆଧାରରେ ସଂଜୀବ ସକସେନାଙ୍କୁ ରାଜ୍ୟ ଶାଖାର ସାଧାରଣ ସଚିବ ଦାୟିତ୍ୱ ଦିଆଯାଇଛି । ସକସେନା ବିଗତ ଦିନରେ ବହୁ ଚର୍ଚ୍ଚିତ ବ୍ୟାପମ ଦୁର୍ନୀତି ସହିତ ଜଡ଼ିତ ଥିଲେ । ବ୍ୟାପମ ଦୁର୍ନୀତି ମାମଲାରେ ସେ ଜେଲ ମଧ୍ୟ ଯାଇଥିଲେ । ପାର୍ଟିର ରାଜ୍ୟ ଉପ-ସଭାପତି ଚନ୍ଦ୍ର ପ୍ରଭାତ ଶେଖରଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ସକସେନାଙ୍କୁ ରାଜ୍ୟ ଶାଖାର ସାଧାରଣ ସଚିବ ପଦରେ ନିଯୁକ୍ତି ଦିଆଯାଇଛି ।

ସକସେନା ବ୍ୟାପମ ମାମଲାରେ ଜେଲ ଯାଇଥିଲେ । ଏହା ପୂର୍ବରୁ ପାର୍ଟି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଶଳା ସଞ୍ଜୟ ମସାନୀଙ୍କୁ ଭାରା-ସିଭନୀରେ କଂଗ୍ରେସ ପ୍ରାର୍ଥୀ ଭାବରେ ଛିଡ଼ା କରିଛି । କଂଗ୍ରେସ ସବୁବେଳେ ଚୌହାନଙ୍କ ସଂପର୍କୀୟଙ୍କ ଉପରେ ବ୍ୟାପମରେ ସାମିଲ ହେବା ଅଭିଯୋଗ ଆଣିଛି । ପାର୍ଟିର ଏହି ନିଷ୍ପତ୍ତି ନେଇ ଏବେ ଅନେକ ପ୍ରଶ୍ନ ଉଠିଛି ।

ସକସେନା ପାର୍ଟି ବିରୋଧରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଥିଲେ ଏବଂ ପାର୍ଟି ତାଙ୍କୁ ବଡ଼ ଦାୟିତ୍ୱ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଆଶା କରାଯାଉଛି ଯେ, ଏହି ପ୍ରତିଶ୍ରୁତି ଅନୁସାରେ ସକସେନାଙ୍କୁ ସାଧାରଣ ସଚିବ ପଦ ମିଳିଛି ।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ବ୍ୟାବସାୟିକ ପରୀକ୍ଷା ମଣ୍ଡଳ (ବ୍ୟାପମ) ଦ୍ୱାରା ମେଡିକାଲ କୋର୍ସରେ ପ୍ରବେଶ ପାଇଁ ଏମପିଏମଟି ପରୀକ୍ଷା ଏବଂ ସରକାରୀ ଚାକିରୀରେ ଭର୍ତ୍ତି ପାଇଁ ନିଆଯାଇଥିବା ପରୀକ୍ଷାରେ ଦୁର୍ନୀତି ହୋଇଥିଲା । ବର୍ଷ ୨୦୧୬ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ବ୍ୟାପମ ଦୁର୍ନୀତିର ତଦନ୍ତ କରି ମୁଖ୍ୟମନ୍ତ୍ରୀ ଚୌହାନଙ୍କୁ କ୍ଲିନଚିଟ ଦେଇଛି ।

By amfnews

Related Post