Fri. Mar 6th, 2026

ମଝି ଆକାଶରେ ବିଗିଡ଼ିଲା ଇଞ୍ଜିନ୍‌; ହାଇଦ୍ରାବାଦ୍‌ ଯାଉଥିବା ଗୋଏୟାର ବିମାନ ଦିଲ୍ଲୀ ଫେରିଲା

345 Views

ହାଇଦ୍ରାବାଦ୍‌: ମଝି ଆକାଶରେ ଇଞ୍ଜିନ୍‌ ଖରାପ ହୋଇଯିବାରୁ ଗୋଏୟାର୍‌ର ଏକ ବିମାନ ଜି୮ ୪୨୩ ଦିଲ୍ଲୀରୁ ହାଇଦ୍ରାବାଦ୍‌ ଗସ୍ତ କରୁଥିବା ବେଳେ ବାଧ୍ୟ ହୋଇ ଦିଲ୍ଲୀ ଫେରସ୍ତ ଯାଇଛି। ମଝି ଆକାଶରେ ବିମାନର ଇଞ୍ଜିନ୍‌ ହଠାତ୍‌ ଥରିବାକୁ ଲାଗିଥିଲା। ହଠାତ୍‌ ବିମାନଟି ଆୟତ୍ତ ବାହାରକୁ ଯିବା ଭଳି ଅନୁଭବ ହେବାରୁ ବିମାନ ଚାଳକ ଭୟରେ ଦିଲ୍ଲୀ ଫେରିଥିଲେ।

ପ୍ରଭାବିତ ବିମାନରେ ପ୍ରାଟ୍‌ ଓ ହୁଇଟ୍‌ନି(ପି ଆଣ୍ଡ୍‌ ଡବ୍ଲୁ) ଇଞ୍ଜିନ୍‌ ଲାଗିଥିଲା। ପୂର୍ବରୁ ବେସାମରିକ ବିମାନ ଚଳାଚଳର ସାଧାରଣ ନିର୍ଦ୍ଦେଶକ ଏପରିସ୍ଥିତିରେ ବିମାନକୁ ତୁରନ୍ତ ଲ୍ୟାଣ୍ଡ୍‌ କରାଇ ସମସ୍ୟାର ସମାଧାନ ନକରିବା ପର୍ଯ୍ୟନ୍ତ ଉଡ଼ାଣ ଭରିବାକୁ କଡ଼ାକଡ଼ି ଭାବେ ମନା କରିଥିଲେ।

ଗୋଏୟାର୍‌ ପକ୍ଷରୁ ସ୍ପଷ୍ଟ ହୋଇଛି ଯେ ବିମାନରେ ସାମାନ୍ୟ ଗଡ଼ବଡ଼ ଥିବାରୁ ତାହାକୁ ତୁରନ୍ତ ଫେରାଇ ଅଣାଯାଇଥିଲା। ଗୋଏୟାର୍‌ ପକ୍ଷରୁ ଏକ ଷ୍ଟେଟ୍‌ମେଣ୍ଟ୍‌ରେ କୁହାଯାଇଛି ଯେ,‘ଦିଲ୍ଲୀରୁ ହାଇଦ୍ରାବାଦ୍‌ ଯାଉଥିବା ବିମାନ ଜି୮ ୪୨୩ରେ ଯାନ୍ତ୍ରିକ ତୃଟି ରହିଥିବା ହେତୁ ତୁରନ୍ତ ବିମାନକୁ ଫେରସ୍ତ ଅଣାଯିବାର ନିଷ୍ପତ୍ତି ନିଆଯାଇଥିଲା।’

ବିମାନଟି ଲ୍ୟାଣ୍ଡ୍‌ କରିବା ପରେ ଯାତ୍ରୀମାନଙ୍କୁ ଅନ୍ୟ ବିମାନ ଦ୍ୱାରା ସେମାନଙ୍କ ଗନ୍ତବ୍ୟ ପର୍ଯ୍ୟନ୍ତ ପଠାଯାଇଛି। ତଦନ୍ତରୁ ଜାଣିବାକୁ ମିଳିଛି ଯେ ଉକ୍ତ ବିମାନଟିକୁ ମରାମତି କରାଯିବାର ଆବଶ୍ୟକତା ରହିଛି।

By amfnews

Related Post