Sun. Mar 8th, 2026

ଭୁବନେଶ୍ୱରରୁ ଜୟପୁର ଯାଉଥିବା ବସ୍‌ ଓଲଟି ୨ ମୃତ; ୩୪ ଆହତ

191 Views

କଳାହାଣ୍ଡି, ଜାନୁଆରୀ୨୮ : ସୋମବାର ଭୋର୍‌ ପ୍ରାୟ ୫ଟା ସମୟରେ କେସିଙ୍ଗା ଥାନା ଅଞ୍ଚଳ ଦେଇ ପଡ଼ିଥିବା ୨୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବରଗଡ଼-ବୋରିଗୁମା ରାସ୍ତାରେ ଗୋଟିଏ ଯାତ୍ରୀବାହୀ ଘରୋଇ ବସ୍‌ ଓଲଟି ପଡ଼ିବାରୁ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ଓ ୩୪ ଜଣ ଆହତ ହୋଇଛନ୍ତି।

ଭୁବନେଶ୍ୱରରୁ ଜୟପୁର ଯାଉଥିବା ‘ଶ୍ରୀ ଜଗନ୍ନାଥ’ ନାମକ ସେ ବସ୍‌ ଜୋଲ୍‌କୋ ଗାଁ ଛକ ନିକଟରେ ଥିବା ବୁଲାଣି ଠାରେ ଥିବା ଏକ ଶଙ୍ଖପୋଲ ଉପରୁ ରାସ୍ତା ତଳକୁ ଖସିପଡ଼ି ଥିବା ପ୍ରକାଶ। କୌଣସି କାରଣରୁ ଚାଳକ ବସ୍‌ ଉପରୁ ନିୟନ୍ତ୍ରଣ ହରାଇବାରୁ ଏପରି ଦୁର୍ଘଟନା ଘଟିଲା ବୋଲି କୁହାଯାଉଛି।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ କେସିଙ୍ଗା ଦମକଳ ବାହିନୀ, ପୁଲିସ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ଦୁର୍ଘଟନାଗ୍ରସ୍ତ ବସ୍‌ରୁ ମୃତାହତ ଯାତ୍ରୀମାନଙ୍କୁ ବାହାର କରିଥିଲେ। କ୍ରେନ୍‌ ସାହାଯ୍ୟରେ ଦୁର୍ଘଟନାଗ୍ରସ୍ତ ବସ୍‌ଟିକୁ ଉଠାଇ ରାସ୍ତା ପାଶ୍ୱରେ ରଖାଯାଇଛି।

By amfnews

Related Post