ସମ୍ବଲପୁର, ନଭେମ୍ବର ୨୮: ଭିମ୍ସାର ନିର୍ଦେଶକ ଡା. ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ କନିଷ୍ଠ ଡାକ୍ତର ସଂଘ ଆଣିଥିବା ୧୦ ଦଫା ଅଭିଯୋଗର ତଦନ୍ତ ଶେଷ ହୋଇଛି। ଦୁଇଦିନ ମଧ୍ୟରେ ଦୀର୍ଘ ୧୮ ଘଣ୍ଟାର ତନାଘନା ସାରି ତଦନ୍ତକାରୀ ଦଳ ମଙ୍ଗଳବାର ଫେରି ଯାଇଛନ୍ତି। ୧୦ ଦିନ ମଧ୍ୟରେ ସେମାନେ ସ୍ବାସ୍ଥ୍ୟ ବିଭାଗ ମାଧ୍ୟମରେ ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏେବ ସେମାନଙ୍କ ରିପୋର୍ଟ ଓ ଏହା ଉପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ପଶ୍ଚିମ ଓଡ଼ିଶାବାସୀ ଅପେକ୍ଷା କରି ରହିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଶରତ ଚନ୍ଦ୍ର ମିଶ୍ର, ବିଭୂତି ଭୂଷଣ ଦାଶ, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ ଏବଂ ମେଡିକାଲ ଶିକ୍ଷା ଓ ତାଲିମର ଯୁଗ୍ମ ନିର୍ଦେଶକ ଡା. ଉମାକାନ୍ତ ଶତପଥୀଙ୍କୁ ନେଇ ଗଠିତ ତଦନ୍ତ କମିଟି ସୋମବାର ଓ ମଙ୍ଗଳବାର ଭିମ୍ସାରର ବିଭିନ୍ନ ସଂଗଠନ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ମତାମତ ସଂଗ୍ରହ କରିଥିଲେ। ତଦନ୍ତର ଦ୍ବିତୀୟ ଦିନରେ ଏହି ଟିମ୍ ପ୍ରଥମେ କନିଷ୍ଠ ଡାକ୍ତର ସଂଘ ସହ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପରାମର୍ଶ ଦେଇଥିଲେ। ଏହାକୁ ମିଶାଇ ଏହି ଦୁଇ ଦିନରେ ତଦନ୍ତକାରୀ ଦଳ ୪ ଥର କନିଷ୍ଠ ଡାକ୍ତର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଥିଲେ ମଧ୍ୟ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
148 Views