ଭୁବନେଶ୍ବର: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭିଡିଓ କନଫରେନସିଂରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ରଥ ନିର୍ମାଣ ଓ ରଥଯାତ୍ରା ନେଇ ଆଜି ଅପରାହ୍ନ ୪ଟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ଭୁବନେଶ୍ୱରରେ ଗଜପତି ମହାରାଜ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପୁରୀରେ ଜିଲ୍ଲାପାଳ ଓ ପରିଚାଳନା କମିଟି ସଦସ୍ୟ ରହିବେ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଗଜପତି ମହାରାଜା ଗୋବର୍ଧନ ପୀଠ ପରିସରରେ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା କରିବା ପରେ ୩ ତାରିଖ ପରେ ରଥନିର୍ମାଣ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଥିଲେ। କେବଳ ସେତିକି ନୁହେଁ, ରଥଯାତ୍ରାକୁ ଦୃଷ୍ଟିରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବା ଲାଗି ନିବେଦନ କରିଥିଲେ। ବର୍ତ୍ତମାନର ବାସ୍ତବତା ହେଉଛି, ଅକ୍ଷୟ ତୃତୀୟା ଦିନ ଶଙ୍କରାଚାର୍ଯ୍ୟଙ୍କ ନିର୍ଦେଶ ଅନୁସାରେ, ଶ୍ରୀମନ୍ଦିର ପରିସରରେ ରଥ ଅନୁକୂଳ ହୋଇଛି। ହେଲେ ଏଯାଏ ରଥ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ।
ଦିନ ଗଡ଼ି ଗଡ଼ି ଯାଉଥିବାକୁ ହାତରେ ଯେତିକି ଦିନ ବାକି ରହିଛି, ସେତିକି ଦିନରେ କାମ ଶେଷ କରିବା ବି ଅସମ୍ଭବ ଦିଶିଲାଣି ବୋଲି ମୁଖ୍ୟ ବିଶ୍ବକର୍ମାମାନେ ମତ ଦେଲେଣି। ଦଇତାପତି ସେବକ ଓ ଅନ୍ୟମାନେ ରଥଯାତ୍ରା ହେବ କି ନାହିଁ, ତାହାର ସ୍ପଷ୍ଟ ଉତ୍ତର ରଖିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ପରମ୍ପରା ଅନୁଯାୟୀ, ଅକ୍ଷୟ ତୃତୀୟାରେ ମୁଖ୍ୟ ବିଶ୍ବକର୍ମାମାନେ ବରଣ ହେବା ଅର୍ଥ ରଥ ନିର୍ମାଣ ପାଇଁ ସେମାନଙ୍କୁ ଅନୁମତି ଦିଆଯାଇଛି। ଏହି ବିଧି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ତିନି ମୁଖ୍ୟ ବିଶ୍ବକର୍ମାଙ୍କୁ ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ ଏକ ଚିଠି କରିବା କଥା। ପ୍ରତିବର୍ଷ ଏଭଳି ଚିଠି କରାଯାଇଥାଏ। ଚଳିତ ବର୍ଷ କିନ୍ତୁ ମୁଖ୍ୟ ବିଶ୍ବକର୍ମାମାନଙ୍କୁ ଏହି ଚିଠି କରାଯାଇନି।