ରାଉରକେଲା, ୨୦ା୧୧ : ରାଉରକେଲାର ପୂର୍ବତନ ଭିଜିଲାନ୍ସ ଡିଏସ୍ପି ଦିଲୀପ କୁମାର କର ସମ୍ବଲପୁର ଡିଭିଜନସ୍ତରରେ ଶ୍ରେଷ୍ଠ ଅଧିକାରୀ ଭାବେ ପୁରସ୍କୃତ ହୋଇଛନ୍ତି । ତାଙ୍କୁ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ପୁରସ୍କୃତ କରିଛନ୍ତି । ଶ୍ରୀ କର ଗତ ମାସ ରାଉରକେଲାରୁ ସମ୍ବଲପୁର ଡିଭିଜନକୁ ବଦଳି ହୋଇ ଯାଇଛନ୍ତି । ଶ୍ରୀ କର ରାଉରକେଲାରେ ଡିଏସ୍ପି ଭାବେ କାର୍ଯ୍ୟଭାର ଗ୍ରହଣ ପରେ ଦୁର୍ନୀତି ନିବାରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଥିଲେ ।
ଶ୍ରୀ କର ତାଙ୍କ କାର୍ଯ୍ୟକାଳ ଭିତରେ ଆଇଟିଡିଏ ଅନ୍ତର୍ଗତ କୁଆଁରମୁଣ୍ଡା ଓ ନୂଆଗାଁ ବ୍ଲକରେ ଛତୁ ଚାଷ ଦୁର୍ନୀତି, ବିଶ୍ରା ଓ ନୂଆଗାଁ ବ୍ଲକରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ଦୁର୍ନୀତି, ଲାଠିକଟା ବ୍ଲକରେ ଶୌଚାଳୟ ନିର୍ମାଣରେ ଦୁର୍ନୀତି, ଜଙ୍ଗଲ ବିଭାଗରେ ଦୁର୍ନୀତି ସମେତ ବିଭିନ୍ନ ୩୬ଟି ମାମଲା ରୁଜୁ କରି ରାଜ୍ୟରେ ବେଶ୍ ସୁନାମ ଅର୍ଜନ କରିଥିଲେ । ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବେ ତାଙ୍କୁ କଟକରେ ଭିଜିଲାନ୍ସ ନିର୍ଦ୍ଦେଶକ ସମ୍ମାନିତ କରିଥିବା ସୂଚନା ମିଳିଛି ।