ଭୁବନେଶ୍ୱର, ସେପ୍ଟେମ୍ବର ୦୩ : ଗତକାଲି ଜଣେ ଅଧିକାରୀଙ୍କ ସମେତ ୨ ଜଣ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଥିବା ବେଳେ ଆଜି ସକାଳୁ ପୁଣି ଜଣେ ବରିଷ୍ଠ ଅଧିକାରୀ ଫସିଛନ୍ତି । ଫ୍ୟାକ୍ଟ୍ରିଜ ଆଣ୍ଡ ବଏଲର୍ସ ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ରମେଶଙ୍କ କାର୍ଯ୍ୟାଳୟ ସମେତ ୬ଟି ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିବା ଜଣାଯାଇଛି । ଭୁବନେଶ୍ୱର, କଟକ, ଯାଜପୁର, ପୁଡୁଚେରୀରେ ଭିଜିଲାନ୍ସ ବିଭାଗ ରେଡ କରିଛି । ପ୍ରାରମ୍ଭିକ ସୂଚନାରୁ ରମେଶଙ୍କ ପରିବାର ବିଦେଶ ଗସ୍ତ ମଧ୍ୟ କରିଥିବା ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି ।
ଭୁବନେଶ୍ୱର ଘାଟିକିଆସ୍ଥିତ ବିପୁଲ ଗାର୍ଡେନ ଅଚଂଳରେ ରମେଶଙ୍କ ଆବାସିକ ଘର ଅଛି । ସେହିପରି କଟକର ପିଲିଗ୍ରି ରୋଡ, ସିଡିଏରେ ଏକ ପ୍ଲଟ ଓ ରୁମ, ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ପାମ୍ପାଲୋ, ଭୁବନେଶ୍ୱର ଓ କଟକରେ ଥିବା ଅଫିସ କାର୍ଯ୍ୟାଳୟ ଏବଂ ପୁଡୁଚେରୀରେ ଥିବା ଘର ଉପରେ ଚଢ଼ାଉ ହୋଇଛି ।
ସୂଚନାଯୋଗ୍ୟ, ଗତକାଲି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ପଟେଲଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ସେହିପରି ଢେଙ୍କାନାଲ ସହରରେ ଜଣେ ସେବା ସମବାୟ ସମିତିର କର୍ମଚାରୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା ।