Wed. Mar 11th, 2026

ଭାରତରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

186 Views

ଅହମଦାବାଦ : ମହାମାରୀ କରୋନା ଭାରତରେ ଆଉ ଏକ ମୁଣ୍ଡ ନେଇଛି। ବୁଧବାର ବିଳମ୍ବିତ ରାତିରେ ଗୁଜରାଟର ଅହମଦାବାଦରେ ଜଣେ ୮୫ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବୃଦ୍ଧାଙ୍କ ମୃତ୍ୟୁ ପରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨ ଛୁଇଁଥିବା ଗୁଜରାଟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବିଭାଗର ସୂଚନା ଅନୁଯାୟୀ, ମହିଳା ଜଣଙ୍କ ନିକଟରେ ବିଦେଶ ଗସ୍ତ କରିଥିଲେ। ସେଠାରୁ ଫେରିବା ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଲକ୍ଷଣ ଦେଖାଦେଇଥିଲା। ଶେଷରେ ତାଙ୍କୁ ମାର୍ଚ୍ଚ ୨୨ରେ ଗୁଜରାଟର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।

ଏହି ମହିଳା ଜଣଙ୍କର ଉଚ୍ଚ ରକ୍ତ ଚାପ ଓ ହୃଦରୋଗ ରହିଥିଲା। ଗୁଜରାଟରେ ଏହା ପୂର୍ବରୁ ମାର୍ଚ୍ଚ ୨୨ରେ ସୁରତରେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହି ବ୍ୟକ୍ତି ଜଣଙ୍କ ଦିଲ୍ଲୀ ଓ ଗୁଜରାଟ ଗସ୍ତ କରିଥିଲେ।

ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ମାର୍ଚ୍ଚ ୧୭ରେ ତାଙ୍କୁ ଗାନ୍ଧି ନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୨୧ରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା। ଶେଷରେ ୨୨ ତାରିଖରେ ସେ ଆଖି ବୁଜିଥିଲେ। ବ୍ୟକ୍ତି ଜଣଙ୍କ କେବେ ହେଲେ ବିଦେଶ ଗସ୍ତ କରି ନଥିଲେ। ଅନ୍ୟପକ୍ଷରେ ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୩୯ରେ ପହଞ୍ଚି ଯାଇଛି।

By amfnews

Related Post