Sun. Nov 24th, 2024

ଭସାପୋଲ ବନ୍ଦ ଯୋଗୁଁ ତେଜୁଛି ଅସନ୍ତୋଷ

By amfnews Feb 3, 2019 #Featured
145 Views

ବ୍ରହ୍ମଗିରି : ଚିଲିକାରେ ପରିବହନର ମୁଖ୍ୟ ମାଧ୍ୟମ ଭାବେ ବିବେଚିତ ହେଉଥିବା ସରକାରୀ ପରିବହନ ବ୍ୟବସ୍ଥା ‘ଭସାପୋଲ’ ବନ୍ଦ ରହିଛି। ଦିନେ ନୁହେଁ କି ଦୁଇ ଦିନ ନୁହେଁ। ଦୀର୍ଘ ୧୭ ଦିନ ହେଲାଣି ଏହା ଆଉ ଚାଲି ନାହିଁ। ଫଳରେ ଚିଲିକାର ଅଥଳ ଜଳରାଶିରେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଜଳଯାତ୍ରା କରୁଛନ୍ତି ଦ୍ବିପାଞ୍ଚଳର ଲୋକେ। କୌଣସି ନିରାପତ୍ତା ବ୍ୟବସ୍ଥା ନଥିବା ଘରୋଇ ଦେଶୀ ଡଙ୍ଗା‌ରେ ମଝି ଚିଲିକାରେ ଯାତ୍ରୀଙ୍କ ଜୀବନ ବାଜିରେ ଲାଗିଛି। ତଥାପି ପ୍ରଶାସନର ନିଦ ଭାଙ୍ଗୁ ନାହିଁ।

ସୂଚନାଯୋଗ୍ୟ, ଚଳିତ ମାସ ୧୭ ତାରିଖରେ ସାତପଡ଼ାସ୍ଥିତ ସିଡିଏ କାର୍ଯ୍ୟାଳୟରେ ପଶି କିଛି କର୍ମଚାରୀଙ୍କୁ କେତେଜଣ ଯୁବକ ଦୁର୍ବ୍ୟବହାର କରିବା ଅଭିଯୋଗରେ ସିଡିଏ କର୍ମଚାରୀମାନେ କାମ ବନ୍ଦ ଜାରି ରଖିଛନ୍ତି। କାର୍ଯ୍ୟବନ୍ଦ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଥିବାବେଳେ ସମାଧାନରେ ସୂତ୍ର ବାହରି ପାରି ନାହିଁ। ଫଳରେ ସାତପଡ଼ାରେ ବିଭିନ୍ନ ପର୍ଯ୍ୟଟନ ସେବା ମଧ୍ୟ ବନ୍ଦ ରହିଛି। ଏହାଛଡ଼ା ଚିଲିକାରେ ଭସାପୋଲ ଚଳାଚଳ ବନ୍ଦ ରହିଛି। ଗୋଟିଏ ପଟେ ସିଡିଏର ଅଭିଯୋଗ ଉପରେ ପୁଲିସ ଦୁଇ ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କରି ସାରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଘନ ଘନ ଚଢାଉ ଜାରି ରଖିଛି। କିନ୍ତୁ ଭସାପୋଲ ଚଳାଚଳ କିଭଳି ସ୍ବାଭାବିକ ହେବ ସେ ନେଇ ପ୍ରଶାସନ କୌଣସି ଦୃଷ୍ଟି ଦେଉନାହିଁ। ଫଳରେ ଏନେଇ ଜନଅନ୍ତୋଷ ବଢି ବଢି ଚାଲିଛି।

ସିଡିଏ ପକ୍ଷରୁ ଚଲାଯାଉଥିବା ଭସାପୋଲ ସାତପଡା ଘାଟରୁ ଜହ୍ନିକୁଦା ଘାଟକୁ ସୁରକ୍ଷିତ ଜଳଯାତ୍ରା କରିଥାଏ। ପ୍ରତିଦିନ ଏହା ସାତପଡାରୁ ୩ ଥର ଏବଂ ଜହ୍ନିକୁଦା ଘାଟରୁ ୩ ଥର ଯାତ୍ରୀ ପରିବହନ କରିଥାଏ। ଭଡା ବାବାଦକୁ ଆଦାୟ ହେଉଥିବା ଅର୍ଥ ସରକାରଙ୍କର ତହବିଲକୁ ଯାଇଥାଏ। ଏହା ଏବେ ବନ୍ଦ ଥିବାରୁ ଜଳପଥରେ ଯାତ୍ରୀ ଦେଶୀ ଡଙ୍ଗାରେ ଚଢ଼ା ଦରରେ ଏବଂ ଅତି ବିପଦପୂଣ୍ବାର୍ଣ୍ଣ ଭାବେ ଯିବା ଆସିବା କରୁଛନ୍ତି। ତେବେ ସିଡିଏ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସାତପଡ଼ାରେ ଥିବା ପାର୍କ, ଶୈାଚାଳୟ, ହାଇମାଷ୍ଟ ଲାଇଟ, ମ୍ୟୁଜିୟମ ପ୍ରଭୃତି ବନ୍ଦ ଥିବା ଯୋଗୁଁ ପର୍ଯ୍ୟଟକମାନେ ନିରାଶ ହୋଇ ଫେରୁଛନ୍ତି।

By amfnews

Related Post