Sun. Mar 8th, 2026

ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାୟକଙ୍କ ବାସଭବନ ଏବଂ ହୋଟେଲରେ ଭିଜିଲାନ୍ସ୍ ଚଢ଼ାଉ

267 Views

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାୟକଙ୍କ ବାସଭବନ ଏବଂ ହୋଟେଲରେ ଆଜି ସକାଳୁ ଭିଜିଲାନ୍ସ୍ ପକ୍ଷରୁ ଚଢ଼ାଉ ଜାରି ରହିଥିବାର ସୂଚନା ମିଳିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ୍ ପକ୍ଷରୁ ଚଢ଼ାଉ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୬ଟା ସମୟରେ କଳାହାଣ୍ଡି ଭିଜିଲାନ୍ସ ଟିମ୍ ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଭବାନୀପାଟଣା ସହରର ନକଟିଗୁଡ଼ାସ୍ଥିତ ବାସଭବନରେ ପହଞ୍ଚିଥିଲେ। ସେମାନେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢ଼ାଉ ଆରମ୍ଭ କରିଥିଲେ। ଠିକ୍ ସେହି ସମୟରେ ମଦନପୁର ରାମପୁରଠାରେ ଥିବା ଅନାମ ନାୟକଙ୍କ ହୋଟେଲରେ ବି କଳାହାଣ୍ଡି ଭିଜିଲାନ୍ସର ଅନ୍ୟ ଏକ ଟିମ୍ ଚଢ଼ାଉ ଆରମ୍ଭ କରିଥିଲେ। ଏବେ ବି ଚଢ଼ାଉ ଜାରି ରହିଥିବା ଜଣାଯାଇଛି। ତେବେ ଏହି ଚଢ଼ାଉ ବେଳେ କେତେ ପରିମାଣର ସଂପତ୍ତି ମିଳିଥିବା ନେଇ କିଛି ତଥ୍ୟ ହସ୍ତଗତ ହୋଇନାହିଁ।

ସୂଚନାଯୋଗ୍ୟ ଅନାମ ନାୟକଙ୍କ ନାମରେ ଆଗରୁ ଭିଜିଲାନ୍ସ୍ ନିକଟରେ ଅଭିଯୋଗ ହୋଇଥିଲା। ତା’ଛଡ଼ା ତାଙ୍କ ପୁଅକୁ ଏକ ଠକେଇ ମାମଲାରେ ପୁଲିସ୍ ଗିରଫ କରିଥିଲା।ଉଲ୍ଲେଖଯୋଗ୍ୟ, ଅନାମ ନାୟକ ୨୦୧୪ରେ ବିଜେଡି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ଏବେ ସେ ବିଜେଡିରେ ଥିଲେ ବି ତାଙ୍କୁ କୌଣସି ପଦପଦବୀରେ ରଖା ଯାଇ ନ ଥିବା କୁହାଯାଉଛି।

By amfnews

Related Post