Sat. Mar 7th, 2026

ବଡ଼ମାଳରେ ବାଘ ଶିକାର, ଫାଶରେ ପଡ଼ିଗଲା କଲରାପତରିଆ!

291 Views

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ଅଞ୍ଚଳରେ କିଛି ଦିନ ଧରି କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଥିବାବେଳେ ମଙ୍ଗଳବାର ଏକ ବାଘର ମୃତଦେହ କାରଖାନା ପରିସରରୁ ଉଦ୍ଧାର କରାଯାଇଛି। ଆଜି ସକାଳେ କାରଖାନାର ନିଷିଦ୍ଧାଞ୍ଚଳରେ ଥିବା ଜଙ୍ଗଲ ମଧ୍ୟରେ ଏହି କଲରାପତରିଆ ବାଘର ମୃତଦେହ ପଡ଼ିଥିବା କିଛି କର୍ମଚାରୀ ଦେଖିଥିଲେ। ସେମାନେ ଏ ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷ ଓ ବନ ବିଭାଗକୁ ସୂଚନା ଦେବା ପରେ ବଲାଙ୍ଗୀର ଡିଏଫ୍‌ଓ ସମୀର ଶତପଥୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ ବାଘର ଆନୁମାନିକ ବୟସ ଦେଢ଼ରୁ ୨ ବର୍ଷ ହେବ ବୋଲି କୁହାଯାଉଛି। ବାଘର ଶରୀରରେ କୌଣସି କ୍ଷତ ଚିହ୍ନ ନଥିବାରୁ ଏହା ସ୍ୱାଭାବିକ ମୃତ୍ୟୁ ହୋଇଥାଇ ପାରେ ବୋଲି ଡିଏଫ୍‌ଓ ଶ୍ରୀ ଶତପଥୀ କହିଛନ୍ତି। ମୃତ ବାଘର ୪ଟି ପଞ୍ଝା ମଧ୍ୟରୁ ଗୋଟିଏରେ ଆଘାତ ଲାଗିଛି। ଯାହାକି ସ୍ୱାଭାବିକ ହୋଇ ଥାଇପାରେ ବୋଲି ସେ କହିଛନ୍ତି। ଅପରପକ୍ଷରେ କିନ୍ତୁ ବାଘଟିର ଦେହରେ ବିଦ୍ୟୁତ ତାର ଗୁଡ଼େଇ ହୋଇ ରହିଛି। ଏଥିସହ ଶବ ଯେଉଁ ସ୍ଥିତିରେ ପଡ଼ିଛି ତାହାକୁ ଦେଖିଲେ ବାଘକୁ ଫାଶରେ ପକାଇ ମାରି ଦିଆ ଯାଇଥିବା ସନ୍ଦେହ ହେଉଛି। ତେ‌ବେ, ଆଖପାଖରେ ବିଦ୍ୟୁତ ନଥିବା ଡିଏଫଓ ଶ୍ରୀ ଶତପଥୀ କହିଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହିଁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଶ୍ରୀ ଶତପଥୀ କହିଛନ୍ତି। ଘଟଣାସ୍ଥଳରେ ଶବ ବ୍ୟବଚ୍ଛେଦ କରାଯାଇ ସେଇଠାରେ ପୋତି ଦିଆ ଯାଇଛି।

By amfnews

Related Post