Sun. Mar 8th, 2026

ବ୍ରହ୍ମପୁର ଓ ମାଲକାନଗିରିର ଦୁଇଟି ବୁଥ୍‌ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସାନି ମତଦାନ

244 Views

ବ୍ରହ୍ମପୁର/ ମାଲକାନଗିରି: ଗୁରୁବାର ସକାଳ ୭ଟାରୁ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସିଟି ହାଇସ୍କୁଲ୍‌ର ୬୩ ନମ୍ବର ବୁଥ୍‌ରେ ସାନି ମତଦାନ ହେଉଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଠୋର କରାଯିବା ସହ େଓ୍ଵବ୍‌କାଷ୍ଟ୍‍ ବ୍ୟବସ୍ଥା କରାଯାଇଛି।

ଗତ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ବେଳେ ସେହି ବୁଥ୍‌ରେ ଅନିୟମିତା ହୋଇଥିବାର ରିପୋର୍ଟ ମିଳିଥିଲା। ସିଟି ହାଇସ୍କୁଲ୍‌ରେ ବୁଥ୍‌ ନମ୍ବର ୬୧, ୬୨ ଓ ୬୩ ଥିଲା। ସମୁଦାୟ ୯୯୯ ଭୋଟର୍‌ ଥିବା ଓ୍ଵାର୍ଡ ନମ୍ବର ୧୫ ଲାଗି ୬୩ ନମ୍ବର ବୁଥ୍‌ରେ ଭୋଟ୍‌ ଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ପୋଲିଲିଙ୍ଗ୍‌ ଅଫିସରଙ୍କ ରେଜିଷ୍ଟର୍‌ରେ ସେଦିନ ୬୧୧ ଜଣ ଭୋଟର୍‌ ପଞ୍ଜିକରଣ ହୋଇଥିବା ବେଳେ ଇଭିଏମ୍‌ରେ ୬୩୨ଟି ଭୋଟ୍‌ ଦିଆ ହୋଇଥିବା ଦେଖାଯାଇଥିଲା। ଏ ସଂକ୍ରାନ୍ତରେ ପୋଲିଙ୍ଗ୍‌ ଅଫିସର୍‌ ଅଭିଯୋଗ ଜଣାଇବା ପରେ ନିର୍ବାଚନ କମିସନ୍‌ ସେଠାରେ ସାନି ଭୋଟ୍‌ ଗ୍ରହଣ ପାଇଁ ଆଦେଶ ଦେଇଥିଲେ।

ମାଲକାନ୍‌ ଗିରିର ଏମ୍‌ପିଭି ୬୫ ଗ୍ରାମର ବୁଥ୍‌ରେ ମଧ୍ୟ ଆଜି ସାନି ମତଦାନ ହେଉଛି। ସେଠାରେ ଗତ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ପୋଲିଙ୍ଗ୍‌ କର୍ମଚାରୀ ଇଭିଏମ୍‌ ଟାମ୍ପରିଙ୍ଗ୍‌ କରୁଥିବା କଥା ଲୋକେ ଦେଖିଥିଲେ। ପରେ ପରେ ଉତ୍ତ୍ୟକ୍ତ ଲୋକେ ସେ ବୁଥ୍‌ରେ ଭଙ୍ଗାରୁଜା କରିବା ସହ ତାଲା ପକାଇ ଦେଇଥିଲେ। ଏସ୍‌ପିଙ୍କ ନେତୃତ୍ୱରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ସେ ନିର୍ବାଚନ କମିସନର୍‌ଙ୍କୁ ଲେଖି ସାନି ମତଦାନ ଆଦେଶ କରାଇଥିଲେ।

ଉଭୟ ସ୍ଥାନରେ ସମ୍ପ୍ରତି ଶାନ୍ତି ଶୃଙ୍ଖଳାର ସହ ଭୋଟ୍‌ ଗ୍ରହଣ ଚାଲିଛି। ମାଲକାନଗିରି ମାଓପ୍ରବଣ ହୋଇଥିବାରୁ ସେଠାରେ ଅପରାହ୍ଣ ୪ଟା ଯାଏଁ ଭୋଟ୍‌ ଗ୍ରହଣ କରାଯିବ।

By amfnews

Related Post