Sun. Mar 8th, 2026

ବୋହୂ ଐଶ୍ୱର୍ଯ୍ୟାଙ୍କ ଅଭିଯୋଗ: ରାବ୍‌ଡ଼ି ଦେବୀ ମୋ କେଶ ଟାଣି ମାଡ଼ ମାରିଛନ୍ତି

218 Views

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶାଶୂ ରାବ୍‌ଡ଼ି ଦେବୀ ଶାରୀରିକ ନିର୍ଯାତନା ଦେଇ ବଳପୂର୍ବକ ଘରୁ ବାହାର କରିଦେଇଛନ୍ତି ବୋଲି ବୋହୂ ଐଶ୍ୱର୍ଯ୍ୟା ରାୟ କହିବା ପରେ ରବିବାର ଦିନ ୧୦ ସର୍କ୍ୟୁଲାର୍‌ ରୋଡ୍‌ରେ ନାଟକୀୟ ପରିସ୍ଥିତି ଉପୁଜିଥିଲା।

ଶାଶୂଘର ଲୋକେ ଦୁର୍ବ୍ୟବହାର କରୁଛନ୍ତି ବୋଲି ଗତ ଅଳ୍ପ କେଇ ମାସ ମଧ୍ୟରେ ଏହା ହେଉଛି ଐଶ୍ୱର୍ଯ୍ୟାଙ୍କ ଦ୍ୱିତୀୟ ଅଭିଯୋଗ। ସେ କହିଛନ୍ତି: ରାବ୍‌ଡ଼ି ଦେବୀ ମୋ କେଶ ଟାଣି ମାଡ଼ ଦେଇଛନ୍ତି। ୧୦ ସର୍କ୍ୟୁଲାର୍‌ ରୋଡ୍‌ସ୍ଥିତ ଘରେ ମୁତୟନ ହୋଇଥିବା ଅଙ୍ଗରକ୍ଷୀମାନଙ୍କୁ ଲଗାଇ ମୋତେ ବଳପୂର୍ବକ ଘରୁ ବାହାର କରି ଦିଆଯାଇଛି। ଖବର ଶୁଣି ରାୟଙ୍କ ପିତା ତଥା ବିଧାୟକ ଚନ୍ଦ୍ରିକା ରାୟ ତୁରନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଧାଇଁ ଯାଇଥିଲେ।

ରାବ୍‌ଡ଼ି ଦେବୀଙ୍କ ନାଁରେ ସଚିବାଳୟ ଥାନାରେ ଏଫ୍‌ଆଇର୍‌ ଦିଆଯାଇଛି। ଏସ୍‌ପି ଗରିମା ମଲ୍ଲିକଙ୍କୁ ଡକାଇ ରାୟ ପରିସ୍ଥିତି ସଂକ୍ରାନ୍ତରେ ଅବଗତ କରାଇବା ପରେ ଆଘାତ ସଂକ୍ରାନ୍ତ ରିପୋର୍ଟ ପାଇଁ ଐଶ୍ୱର୍ଯ୍ୟାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା।

ଘଟଣାର ତଦନ୍ତ ଲାଗି ସଚିବାଳୟ ଥାନାର ପୁଲିସ ଟିମ୍‌ ମଧ୍ୟ ୧୦, ସର୍କ୍ୟୁଲାର୍‌ ରୋଡ୍‌ ବାସଭବନକୁ ଯାଇଥିଲେ।

ଲାଲୁ ପ୍ରସାଦଙ୍କ ବଡ଼ପୁଅଙ୍କୁ ବିବାହ କରିଥିବା ଐଶ୍ୱର୍ଯ୍ୟା ପାଟନାର ଭିଭିଆଇପି ଜୋନ୍‌ରେ ଥିବା ବଙ୍ଗଳାରୁ ସନ୍ଧ୍ୟା ୬ଟା ବେଳେ ବାହାରି ଗଣମାଧ୍ୟମ ଆଗରେ ଏ ସବୁ କଥା କହିଥିଲେ।

By amfnews

Related Post