ଯାଜପୁର,୧/୧୧ :ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥରେ ବେପରୁଆ ଗାଡି ଚାଳନା ଓ ରାସ୍ତା ଦୁରାବସ୍ଥା ପାଇଁ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଏହି ରାସ୍ତାର ଜେନାପୁର ଥାନା ଅନ୍ତର୍ଗତ ଝାଟିଆପଡା ନିକଟରେ ଗୁରୁବାର ସେହିଭଳି ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପ୍ରତିବାଦରେ ୩ ଘଂଟା ଜାତୀୟ ରାଜପଥ ଅବରୋଧ କରାଯାଇଛି । ମୃତ ମହିଳାଙ୍କ ନାମ ରୁବି ନାୟକ (୩୫ ବର୍ଷ) । ତାଙ୍କର ଘର ଜେନାପୁର ଥାନା ଅନ୍ତର୍ଗତ ରଂପେଇ ।
ଖବରରୁ ପ୍ରକାଶ, ଗୋଟିଏ ମୋଟର ସାଇକେଲ (ନଂବର-ଓଆର୦୪-୬୮୬୨) ଚଣ୍ଡୀଖୋଲ ପଟରୁ ଡୁବୁରୀ ଅଭିମୁଖେ ଆସୁଥିବା ବେଳେ ଝାଟିଆପଡା ନିକଟରେ ଏହି ଦିଗରେ ଆସୁଥିବା ଏକ ଟ୍ରକ (ନଂବର—ଓଆର୦୫-୧୨୩୧) ଧକ୍କା ଦେଇଥିଲା । ଟ୍ରକଟି ମୋଟର ସାଇକେଲକୁ ସାଇଡ ମାରିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରକ ଚକାତଳେ ମୋଟର ସାଇକେଲରେ ବସିଥିବା ରୁବି ପଡିଯାଇ ଚାପିହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ମୋଟର ସାଇକେଲକୁ ତାଙ୍କର ସ୍ୱାମୀ ଶତ୍ରୁଘ୍ନ ଚଲାଉଥିଲେ । ଉଭୟ ସ୍ୱାମୀ ଏବଂ ସ୍ତ୍ରୀ କଟକ ବଡଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ତାଙ୍କର ୫ ବର୍ଷର ଝିଅ ନିକଟରୁ ଫେରୁଥିଲେ । ଏହି ଝିଅର ଆଖି ଅପରେସନ ହୋଇଛି । ଘରେ ତାଙ୍କର ୨ ବର୍ଷର ପୁଅ ରହିଛି । ରାସ୍ତାରେ ବେପରୁଆ ଭାବେ ଗାଡି ଚାଳନା , ଅତି ଦ୍ରୁତ ବେଗରେ ଗାଡି ଚାଳନା ଏବଂ ମଦ୍ୟପ ଚାଳକଙ୍କୁ ଧରିବା ନେଇ ସଡକ ସୁରକ୍ଷା ଆିନ ଅନୁସାରେ ବ୍ୟବସ୍ଥା ଥିଲେ ବି ଏଥିନେଇ ଆବଶ୍ୟକ ଧରପଗଡ କରାଯାଉ ନାହିଁ । କେବଳ ହେଲମେଟ ଚେକିଂରେ ସଡକ ସୁରକ୍ଷା ସୀମିତ ରହୁଥିବା ବେଳେ ଏଭଳି ବହୁ ଦୁର୍ଘଟଣା ଘଟୁଛି । ତେବେ ଏହି ଦୁର୍ଘଟଣା ପ୍ରତିବାଦରେ ଝାଟିଆପଡାରେ ପ୍ରାୟ ୩ ଘଂଟା ଧରି ଜାତୀୟ ରାଜପଥ ଅବରୋଧ କରାଯାଇଥିଲା ।ଦୁର୍ଘଟଣା ଘଟାଇଥିବା ଟ୍ରକ ଘଟଣା ସ୍ଥଳରେ ରହିଥିବା ବେଳେ ଜେନାପୁର ପୋଲିସ ଜବତ କରିଛି ।
217 Views