Fri. Jan 10th, 2025

ବେଙ୍ଗାଲୁରୁ ହିଂସା: ପୁଣି ଗିରଫ ହେଲେ ୬୦ ଜଣ, ଅଭିଯୁକ୍ତଙ୍କ ସଂଖ୍ୟା ହେଲା ୨୦୬

By amfnews Aug 14, 2020 #Featured
113 Views

ବେଙ୍ଗାଲୁରୁ, ଅଗଷ୍ଟ ୧୪  : କର୍ଣ୍ଣାଟକରେ ଜଣେ କଂଗ୍ରେସ ନେତାଙ୍କ ସଂପର୍କୀୟଙ୍କ ଦ୍ୱାରା ସୋସିଆଲ ମିଡିଆରେ ଉତ୍ତେଜନାପୂର୍ଣ୍ଣ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ଦେଖା ଯାଇଥିବା ହିଂସା ଘଟଣାରେ ପୁଣି ୬୦ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗତ ୧୧ ତାରିଖ ରାତିରେ ହୋଇଥିବା ହିଂସା ଘଟଣାରେ ଏଯାଏଁ ୨୦୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ବୋଲି ବେଙ୍ଗାଲୁରୁ ଯୁଗ୍ମ ପୋଲିସ କମିଶନର (ଅପରାଧ) ସନ୍ଦୀପ ପାଟିଲ ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି ଯେ, ଡିଜେ ହାଲ୍ଲୀ ଓ କେଜି ହାଲ୍ଲୀ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ଏଠାରେ ୧୪୪ ଧାରା ଅଗଷ୍ଟ ୧୫ ତାରିଖ ସକାଳ ୬ଟା ଯାଏଁ ବଳବତ୍ତର ରହିବ । ବେଙ୍ଗାଲୁର ହିଂସା ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହୁରି କିଛି ଲୋକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବିଳମ୍ବିତ ରାତି କର୍ଣ୍ଣାଟକର ପୁଲକେଶୀନଗର ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ଜଣେ ସଂପର୍କୀୟ ସୋସିଆଲ ମିଡିଆରେ ଉତ୍ତେଜନାପୂର୍ଣ୍ଣ ପୋଷ୍ଟ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଂଚଳର କିଛି ଉପଦ୍ରବକାରୀମାନେ ବିଧାୟକଙ୍କ ଘରକୁ ଆକ୍ରମଣ କରିଥିଲେ । ସେମାନେ ବିଧାୟକଙ୍କ ଘରେ ପ୍ରବଳ ଭଙ୍ଗାରୁଜା କରିଥିଲେ ।  ସ୍ଥିତି ନିୟନ୍ତ୍ରଣ ନ ହେବାରୁ ପୋଲିସ ବାଧ୍ୟ ହୋଇ ଗୁଳି ଚାଳନା କରିଥିଲା । ପୋଲିସର ଗୁଳିମାଡ଼ ଯୋଗୁଁ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ ଜଣ ଲୋକ ଆହତ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଏହି ଘଟଣାରେ ୧୪୬ ଜଣଙ୍କୁ ଗିରଫ କରି ପଚରାଉଚରା କରିଛି ।

ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ବୁଧବାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଆଦେଶ ଦେଇଛନ୍ତି । ବେଙ୍ଗାଲୁରୁରେ ଶାନ୍ତି ଫେରାଇ ଆଣିବା ପାଇଁ  ଯେକୌଣସି ପ୍ରକାରର ପଦକ୍ଷେପ ନିଆଯିବ ବୋଲି ସେ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଶାନ୍ତି ପ୍ରତିଷ୍ଠା ପାଇଁ ୟେଦ୍ୟୁରପ୍ପା ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

By amfnews

Related Post