Tue. Dec 24th, 2024

ବେକାରୀଙ୍କୁ ନିଯୁକ୍ତି, ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ହ୍ରାସ, ରାଫେଲ ଦୁର୍ନୀତିର ତଦନ୍ତ ଦାବିରେ ଡିୱାଇଏଫ୍ଆଇର ବିକ୍ଷୋଭ

By amfnews Nov 1, 2018 #Featured
157 Views

ରାଉରକେଲା, ୩୧ା୧୦  : କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ଏବଂ ତାଙ୍କ ଦଳ ବିଜେପି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ସାଧାରଣ ଜନତା, ବିଶେଷ କରି ଯୁବ ସମାଜକୁ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ସମ୍ପ୍ରତି ଦେଶ ଆଉ ଏକ ସାଧାରଣ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଥିବା ବେଳେ ପୂର୍ବ ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ ହେଲେ ପ୍ରତିଶ୍ରୁତି ମୋଦି ସରକାର ରକ୍ଷା କରିପାରିନାହାନ୍ତି ।

ସେତେବେଳେ ମୋଦି କ୍ଷମତାକୁ ଆସିଲେ ବେକାରୀଙ୍କୁ ନିଯୁକ୍ତି, ବିଦେଶରୁ କଳାଧନ ଫେରାଇ ଆଣି ପ୍ରତ୍ୟେକଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଜମା, ଦରଦାମ୍ ନିୟନ୍ତ୍ରଣ ସମେତ ଆଚ୍ଛେଦିନ ଭଳି ଅନେକ ପ୍ରତିଶ୍ରୁତି ଆଜି ଜୁମ୍ଲାରେ ପରିଣତ ହୋଇଛି । ମୋଦି ଶାସନରେ ନିତ୍ୟ ବ୍ୟବହାର୍ଯ୍ୟ ଦର ଆକାଶଛୁଆଁ ହେବା ସଙ୍ଗେ ସଙ୍ଗେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ଦର ଅହେତୁକ ଭାବରେ ବୃଦ୍ଧି ପାଇଛି ।

ବର୍ଷକୁ ୨ କୋଟି ବେକାରଙ୍କୁ ନିଯୁକ୍ତି ପରିବର୍ତ୍ତେ ସରକାରଙ୍କ ଭୁଲ୍ ନିଷ୍ପତ୍ତି ବିମୁଦ୍ରାୟନ, ଜିଏସ୍ଟି ଲାଗୁ ଫଳରେ ହଜାର ହଜାର କଳକାରଖାନା ବନ୍ଦ ହେବା ସହ କାମ କରୁଥିବା ଶ୍ରମିକମାନେ ବେକାର୍ ହୋଇଛନ୍ତି । ମୋଦି ସରକାର ସମୟରେ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଲୁଟ୍ କରି ବିଜୟ ମାଲ୍ୟା, ନିରବ ମୋଦି ଓ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି ।

କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବିଭିନ୍ନ ସରକାରୀ ତଥା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଲକ୍ଷ ଲକ୍ଷ ପଦବୀ ଖାଲି ପଡିଥିଲେ ମଧ୍ୟ ନିଯୁକ୍ତି ନାହିଁ । ରାଉରକେଲା ଇସ୍ପାତ କାରଖାନା ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ୪୦ ହଜାର ଶ୍ରମିକ ଥିବାବେଳେ ବର୍ତ୍ତମାନ କମି ୧୩ ହଜାରରେ ପହଞ୍ôଚଛି । ବିଭିନ୍ନ କେନ୍ଦ୍ର ସରକାରୀ ସଂସ୍ଥାରେ ବେକାରଙ୍କୁ ନିଯୁକ୍ତି, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ବନ୍ଦ କରିବା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ନିୟନ୍ତ୍ରଣ କରିବା, ରାଫେଲ ମହାଦୁର୍ନୀତିର ଯୁଗ୍ମ ସଂସଦୀୟ କମିଟି ଗଠନ ଦାବିରେ ଆଜି ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିୱାଇଏଫ୍ଆଇ) ସୁନ୍ଦରଗଡ ଜିଲା କମିଟି ପକ୍ଷରୁ ସ୍ଥାନୀୟ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଏହି ବିକ୍ଷୋଭରେ ସଙ୍ଗଠନର ଜିଲା ସଭାପତି ରାଜକିଶୋର ପ୍ରଧାନ, ଉପସଭାପତି ବିଶ୍ୱଜିତ ମାଝି, ଦିବାକର ମହାରଣା, ଶେଖର ଶର୍ମା, କବି ପ୍ରଧାନ, ହିତେଶ ମଲ୍ଲିକ, ସାଗର ଶର୍ମା, ସୋନୁ ସିଂହ, ଅନୀଲ ଲାକ୍ରା, ପ୍ରଣବ ବରିହା, ପୂର୍ବତନ ସଭାପତି ପ୍ରଭାତ ମହାନ୍ତି, ପୂର୍ବତନ ସମ୍ପାଦକ ଯଯାତୀ ସାହୁ, ଶ୍ରମିକନେତା ଶ୍ରୀମନ୍ତ ବେହେରା, ବି.ପି. ମହାପାତ୍ର, ଅରୁ ଦାସ, କିଶୋର ତନ୍ତୀ, ଲକ୍ଷ୍ମୀଧର ନାୟକ ପ୍ରମୁଖ ସାମିଲ ଥିଲେ ।

By amfnews

Related Post