Sat. Nov 23rd, 2024

ବେକାରି ସମସ୍ୟାର ସମାଧାନ ପାଇଁ ଖଣିଜ ଶିଳ୍ପ ଏକମାତ୍ର ବିକଳ୍ପ ନୁହେଁ : ମନ୍ତ୍ରୀ

By amfnews Nov 26, 2019 #Featured
103 Views

ଭୁବନେଶ୍ୱର : କ୍ରମବର୍ଦ୍ଧିଷ୍ଣୁ ବେକାରି ହାର (୭.୧%)ରେ ଦେଶର ଏକ ନମ୍ବର ସ୍ଥାନରେ ଥିବା ଓଡ଼ିଶାରେ ଖଣିଜ ଶିଳ୍ପ ସମସ୍ୟା ସମାଧାନର ଏକମାତ୍ର ବିକଳ୍ପ ହୋଇ ନପାରେ, ବରଂ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଜରିଆରେ ବ୍ୟାପକ ନିଯୁକ୍ତି ସୃଷ୍ଟି ସମ୍ଭବ ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ସ୍ୱୀକାର କରିଛନ୍ତି। ଅତୀତରେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ପ୍ରସାର ପାଇଁ ବାରମ୍ବାର ଗୁରୁତ୍ୱ ଦେଇ ଆସିଥିବା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ କ୍ୟାପଟେନ୍‌ ମିଶ୍ର ଦେଇଥିବା ପରିସଂଖ୍ୟାନରୁ ଏହା ସ୍ପଷ୍ଟ ହୋଇଛି।

ମନ୍ତ୍ରୀଙ୍କ ପରିସଂଖ୍ୟାନ ଅନୁଯାୟୀ ‘ମେକ୍‌ ଇନ୍‌ ଓଡ଼ିଶା’ର ପ୍ରଥମ ସଂସ୍କରଣ-୨୦୧୬ ଓ ୨୦୧୮ରେ ମୋଟ ୨୮୬ଟି ଶିଳ୍ପ ପ୍ରକଳ୍ପ ପାଇଁ ୬ ଲକ୍ଷ ୨୬ ହଜାର ୩୪୯ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ଗତ ଅକ୍ଟୋବର ସୁଦ୍ଧା ସରକାରଙ୍କ ସିଙ୍ଗଲ୍‌ ୱିଣ୍ଡୋ କମିଟି ସେଥିରୁ ୨ ଲକ୍ଷ ୫୩ ହଜାର ୨୩୩ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ୧୧୯ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ତେବେ ଉଲ୍ଲେଖନୀୟ ହେଲା-ଉପରୋକ୍ତ ଦୁଇଟି ସଂସ୍କରଣରେ ଆସିଥିବା ମୋଟ ପ୍ରସ୍ତାବରୁ ରାଜ୍ୟ ସରକାର ମୋଟ ୩ ଲକ୍ଷ ୩୪ ହଜାର ୩୪୬.୫ କୋଟି ଟଙ୍କାର ୬୯ଟି ଖଣିଜଭିତ୍ତିକ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଥିବାବେଳେ ସେଗୁଡ଼ିକ ଦ୍ୱାରା ସର୍ବାଧିକ ୨ ଲକ୍ଷ ୪୬ ହଜାର ୨୭୮ଟି ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ଥିବା ସରକାର ଆକଳନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଧରଣର ଶିଳ୍ପ ସଂସ୍ଥା ଯୋଗୁଁ ରାଜ୍ୟର ସୀମିତ ଖଣିଜ ସମ୍ପଦର ଅବକ୍ଷୟ ହେବା ସହ ସେଗୁଡ଼ିକ ମୁଖ୍ୟତଃ ପ୍ରଦୂଷଣକାରୀ; ଯାଦ୍ୱାରା ଖଣି ଓ ଶିଳ୍ପାଞ୍ଚଳର ଜନଜୀବନ କୁପ୍ରଭାବର ସମ୍ମୁଖୀନ ହେବେ। ଅନ୍ୟପକ୍ଷରେ ଏହି ଦୁଇଟି ସଂସ୍କରଣରେ ସରକାର ଅନୁମୋଦନ କରିଥିବା ୩୯ଟି କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ସର୍ବମୋଟ ମାତ୍ର ୭ ହଜାର ୩୨୬ କୋଟି ୯୨ ଲକ୍ଷ ଟଙ୍କାର ନିବେଶ ପ୍ରସ୍ତାବ ଥିଲାବେଳେ ସେଗୁଡ଼ିକ ଜରିଆରେ ୬୪ ହଜାର ୯୮୦ ଜଣଙ୍କ ନିଯୁକ୍ତି ସୁଯୋଗ ଅଛି। ଅନୁରୂପ ଭାବେ ଧୂମହୀନ ତଥା ସବୁଜ ଉଦ୍ୟୋଗ ଭାବେ ବିବେଚିତ ପର୍ଯ୍ୟଟନ ଶିଳ୍ପ ପାଇଁ ସରକାର ୨୩୬୦ କୋଟି ୯୮ ଲକ୍ଷ ଟଙ୍କାର ୧୬ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଥିବାବେଳେ ସେଗୁଡ଼ିକରେ ୧୪,୯୧୨ ଜଣଙ୍କ ନିଯୁକ୍ତି ସୁଯୋଗ ଥିବା ଆକଳନ କରିଛନ୍ତି। ପରିବେଶ ଅନୁକୂଳ ବୟନ ଓ ପୋଷାକ ଶିଳ୍ପରେ ମଧ୍ୟ ନିଯୁକ୍ତି ସୁଯୋଗ ହାର ଉତ୍ସାହଜନକ। ସରକାର ମାତ୍ର ୭୬୧ କୋଟି ୪୦ ଲକ୍ଷ ଟଙ୍କା ନିବେଶରେ ୨୫ଟି ବୟନ ଶିଳ୍ପକୁ ଅନୁମୋଦନ କରିଥିଲା ବେଳେ ସେଗୁଡ଼ିକରେ ୧୩,୫୨୫ଟି ନିଯୁକ୍ତି ସୁଯୋଗ ଥିବା ଆକଳନ କରିଛନ୍ତି।

ସୂଚନା ପ୍ରଯୁକ୍ତି କୌଶଳ (ଆଇଟି) ଶିଳ୍ପରେ ମଧ୍ୟ ନିଯୁକ୍ତି ହାର କମ୍‌ ଉତ୍ସାହଜନକ ନୁହେଁ। ରାଜ୍ୟ ସରକାର ୫୪୧୮ କୋଟି ୯୫ ଲକ୍ଷ ଟଙ୍କାର ଏଭଳି ୯ଟି ପ୍ରକଳ୍ପକୁ ଅନୁମୋଦିତ କରିଥିବାବେଳେ ସେଗୁଡ଼ିକ ଦ୍ୱାରା ୪୫,୪୪୩ଟି ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରିଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାର ୪୩୦୬ କୋଟି ଟଙ୍କାର ୧୩ଟି ପ୍ରକଳ୍ପ ଜରିଆରେ ମୋଟ ୧୨, ୬୨୮ଟି ନିଯୁକ୍ତି ସୁଯୋଗ ଆକଳନ କରିଛନ୍ତି। ଅପରପକ୍ଷରେ ପ୍ରଦୂଷଣପ୍ରବଣ ସାର ଓ ପେଟ୍ରୋରସାୟନ ଶିଳ୍ପ ସ୍ଥାପନ ଲାଗି ରାଜ୍ୟ ସରକାର ୧ ଲକ୍ଷ ୮୨ ହଜାର ୩୩୨ କୋଟି ୩୧ ଲକ୍ଷ ଟଙ୍କାର ୪୫ଟି ପ୍ରକଳ୍ପକୁ ଅନୁମୋଦନ କରିଥିବାବେଳେ ସେଥିରେ ମୋଟ ୭୯,୩୫୨ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ଥିବା ହିସାବ କରାଯାଇଛି।

By amfnews

Related Post