Sun. Nov 24th, 2024

ବୃଦ୍ଧ ବାପା-ମା’ଙ୍କ ସେବା ନ କଲେ ପୁଅ-ଝିଅଙ୍କୁ ମିଳିବ ଦଣ୍ଡ, ବିହାର ସରକାର ଆଣିବେ ନୂଆ ଆଇନ

By amfnews Jun 12, 2019 #Featured
145 Views

ବିହାର, ଜୁନ ୧୨ : ଏଣିକି ବୃଦ୍ଧ ମାତା ପିତାଙ୍କ ସେବା ନ କଲେ ସେ ପୁଅ ହୁଅନ୍ତୁ କିମ୍ବା ଝିଅ ସମସ୍ତଙ୍କୁ ଦଣ୍ଡ ମିଳିବ । ବାପା-ମା’ଙ୍କ ସୁରକ୍ଷା ପାଇଁ ଏଭଳି ଆଇନ ଆଣିବାକୁ ଯାଉଛନ୍ତି ବିହାର ସରକାର । ନୀତିଶ କୁମାରଙ୍କ କ୍ୟାବିନେଟ୍‌ରେ ବାପା ମାଙ୍କ ସାମାଜିକ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତା ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ଆଇନ ଆସିବା ପରେ ଯେଉଁ ପୁଅ ଝିଅଙ୍କ ବିରୋଧରେ ବାପା-ମା’ ଅଭିଯୋଗ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ନୀତିଶ କହିଛନ୍ତି ଯେ ବଦଳୁଥିବା ସାମାଜିକ ପରିବେଶରେ ନିଜ ପିଲାଙ୍କୁ ସଂସ୍କାର ଦେଉଥିବା ମାତା ପିତାଙ୍କ ପାଇଁ ସାମାଜିକ ସହିତ ଆଇନ ସୁରକ୍ଷା ଦେବା ସରକାରଙ୍କ କର୍ତ୍ତବ୍ୟ । ଏଭଳି ଆଇନ ଆଣିବାରେ ସମଗ୍ର ଦେଶରେ ବିହାର ପ୍ରଥମ ରାଜ୍ୟ ହେବ । ଏହି ଆଇନ ଆଣିବା ପୂର୍ବରୁ ଏକ ସର୍ଭେ ରିପୋର୍ଟ ମଧ୍ୟ ଅଣାଯାଇଛି । ଯେଉଁଥିରେ ବୁଢ଼ା ବାପା ମା’ଙ୍କର ସ୍ଥିତି ସମ୍ପର୍କରେ ଜଣାପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସାମାଜିକ ସଂସ୍କାର କ୍ଷେତ୍ରରେ ନୀତିଶଙ୍କର ଏହା ଏକ ବଡ଼ ପଦକ୍ଷେପ । ଏହା ପୂର୍ବରୁ ମଧ୍ୟ ବାଲ୍ୟ ବିବାହ କିମ୍ବା ଯୌତୁକ ଜନିତ ବିବାହ ଘଟଣା ସାମ୍ନାକୁ ଆସିଲେ ବ୍ୟାଣ୍ଡ୍‌ ବାଜା ସହିତ ସମସ୍ତଙ୍କୁ ଗିରଫ କରାଯିବ ବୋଲି ବିହାର ସରକାର ଆଇନ ଆଣିବାକୁ ଘୋଷଣା କରିଛନ୍ତି । ଏଭଳି ବିବାହରେ ଜଡ଼ିତ ସମସ୍ତ ଲୋକଙ୍କୁ ଗିରଫ କରାଯିବ ।

By amfnews

Related Post