ରାଉରକେଲା, ୧୨ା୧୧ : ଜଣେ ବୃଦ୍ଧା ଲୁଟ୍ର ଶିକାର ହୋଇଛନ୍ତି । ଲୁଟିଆମାନେ ବୃଦ୍ଧାଙ୍କ ବେକରୁ ପ୍ରାୟ ୧୮ ଗ୍ରାମ ଓଜନର ଏକ ସୁନା ଚେନ ଲୁଟି ନେଇଛନ୍ତି । ଏ ସମ୍ପର୍କରେ ଝିରପାଣି ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । କୋଏଲନଗର ଅଞ୍ଚଳର ପଙ୍କଜିନୀ ପଣ୍ଡା (୭୨) ନାମକ ମହିଳା ଘରଠାରୁ ଅଳ୍ପ ଦୂରରେ ଥିବା ଫୁଲ ଗଛରୁ ଫୁଲ ତୋଳିବାକୁ ଯାଉଥିଲେ । ଏହି ସମୟରେ ରାସ୍ତା ନିଛାଟିଆ ଥିଲା । ଶ୍ରୀମତୀ ପଣ୍ଡା ଚାଲି ଚାଲି ଯାଉଥିବା ବେଳେ ହଠାତ୍ ଦୁଇ ଜଣ ଯୁବକ ଏକ ବାଇକ୍ରେ ଆସି ତାଙ୍କ ନିକଟରେ ପହଞ୍ଚିଥିଲେ ।
ବୃଦ୍ଧା ଜଣକ କିଛି ଜାଣିବା ପୂର୍ବରୁ ଜଣେ ଯୁବକ ହଠାତ୍ ବୃଦ୍ଧାଙ୍କ ଉପରକୁ ଝାମ୍ପି ପଡ଼ି ତାଙ୍କ ବେକରୁ ୧୮ ଗ୍ରାମ ଓଜନର ଏକ ସୁନା ଚେନ ଲୁଟି ନେଇ ଫେରାର୍ ହୋଇଯାଇଥିଲା । ଘଟଣା ପରେ ବୃଦ୍ଧା ଜଣକ ଡରିଯାଇ ଲୋକଙ୍କୁ ଡାକ ପକାଇଥିଲେ । ଲୋକମାନଙ୍କ ପାଟି ଶୁଣି ଲୁଟେରା ଦ୍ୱୟ ଦ୍ରୁତ ଗତିରେ ପଳାଇବାକୁ ଉଦ୍ୟମ କରି ବାଇକ୍ରୁ ଖସି ପଡ଼ିଥିଲେ । କିନ୍ତୁ ଲୋକେ ସେଠାକୁ ଆସିବା ପୂର୍ବରୁ ଉଭୟ ଗାଡ଼ି ଚଳାଇ ଚମ୍ପଟ୍ ମାରିଥିଲେ । କୋଏଲନଗର ମାର୍କେଟ ନିକଟରେ ଏହି ଘଟଣା ଘଟିଥିବାରୁ ସେଠାକାର ଏକ ଗହଣା ଦୋକାନ ଓ ଅନ୍ୟ ଏକ ଦୋକାନର ସିସିଟିଭି ଫୁଟେଜରେ ଗାଡ଼ି ପଡ଼ିଯିବାର ଦୃଶ୍ୟ ରେକର୍ଡ଼ିଂ ହୋଇଛି ।
ଝିରପାଣି ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଗତକାଲି ଛେଣ୍ଡ କଲୋନୀର ଅନ୍ୟ ଜଣେ ବୃଦ୍ଧା ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଲୁଟ୍ର ଶିକାର ହୋଇଥିଲେ । ତେଣୁ ଦୁଇଟି ଘଟଣାରେ ଗୋଟିଏ ଲଟେରା ଗୋଷ୍ଠୀ ସଂପୃକ୍ତ ଥିବା ସନ୍ଦେହ ସୃଷ୍ଟି କରାଯାଉଛି । ଅନ୍ୟପକ୍ଷରେ ଗତ କିଛି ଦିନ ହେଲା ସହରରେ ଚେନ୍ ଲୁଟିଆ ମାତିଥିବାରୁ ମହିଳାମାନେ ମାର୍କେଟ ଯିବାକୁ ଭୟ କରୁଛନ୍ତି । ସନ୍ଧ୍ୟା କିମ୍ବା ରାତି ସମୟ ଛାଡ଼ି ଏବେ ଲୁଟିଆମାନେ ଦିନ ବେଳେ ଲୁଟ୍ କରିବା ପୁଲିସ୍ ପ୍ରଶାସନ ମୁଣ୍ଡାବିନ୍ଧାର କାରଣ ସାଜିଲାଣି ।