Sun. Mar 8th, 2026

ବିୟର ଫ୍ୟାକ୍ଟ୍ରି ପାଇଁ ଢେଙ୍କାନାଳରେ ଚାଲିଥିବା ଗଛକଟାକୁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

155 Views

ଭୁବନେଶ୍ୱର, ନଭେମ୍ବର ୧୮: ଢେଙ୍କାନାଳ ଜିଲ୍ଲା ଓଡପଡା ବ୍ଲକ ବଳରାମପୁରରେ ବଳପୂର୍ବକ ଚାଲିଥିବା ଗଛକଟାକୁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟା ଯାଉଥିବା ଅଭିଯୋଗ ହୋଇଥିଲା ।

ଗତକାଲି ଗଛକଟାକୁ ନେଇ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବଳରାମପୁର ଝିଙ୍କରଡ଼ିହି ଜଙ୍ଗଲରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଛାଉଣୀ ଭିତରେ ଶହଶହ ଶାଳ, ପିଆଶାଳ, ହରିଡ଼ା, ବାହାଡ଼ା, ଅଁଳା ଭଳି ମୂଲ୍ୟବାନ ଗଛକୁ କଟା ଯାଇଥିଲା। ଏହି ଅଂଚଳରେ ବିୟର ପ୍ୟାକ୍ଟ୍ରି ପାଇଁ ଗଛକଟା ଯାଉଥିବା ଅଭିଯୋଗ ହୋଇଥିଲା ବେଳେ ଗ୍ରାମବାସୀମାନେ ଏହାକୁ ଘୋର ବିରୋଧ କରିଥିଲେ । ଗାଁର ଶତାଧିକ ମହିଳା ଆସି ଗଛଗୁଡିକୁ ଜାବୁଡି ଧରି ଗଛ ନକାଟିବାକୁ ଜିଦ ଧରି ବସିଥିଲେ । ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ ପୋଲିସ ପ୍ରାୟ ତିନି ଜଣ ମହିଳାଙ୍କ ସମେତ ୨୦ ଜଣଙ୍କୁ ଉଠାଇ ନେଇ ଅଟକ ରଖିଥିଲା।

ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା। ଶନିବାର ବିଧାନସଭାରେ ବିଜେପି ନେତା କନକବର୍ଦ୍ଧନ ସିଂଦେଓ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଗୋଟିଏ ପଟେ ରାଜ୍ୟ ସରକାର ନଦୀ କୂଳରେ ବୃକ୍ଷ ରୋପଣ କରୁଥିବା ବେଳେ ଅନ୍ୟପଟେ ବିୟର ଫ୍ୟାକ୍ଟ୍ରି ପାଇଁ ଶହଶହ ଗଛ କଟାଯାଉଛି। ଏହା ସରକାରଙ୍କ ଦୋ ମୁହାଁ ନୀତି ବୋଲି ଶ୍ରୀ ଦେଓ କହିଥିଲେ। ସେହିପରି  ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ ଯେ ଫ୍ୟାକ୍ଟ୍ରି ପାଇଁ କଟା ଯାଉଥିବା ଜମି ଇଡ଼କୋର । ସେଥିରେ କିଛି ରାଜସ୍ୱ ଜମି ବି ଅଛି। ତାହା ଜଙ୍ଗଲ ଜମି ନୁହେଁ। ଗଛ କଟା ପାଇଁ ଇଡକୋ ଏବଂ ରାଜସ୍ୱ ବିଭାଗର ବିରୋଧ ନାହିଁ। ଜିଲ୍ଲାପାଳ ମଧ୍ୟ ଏଥିନେଇ ସ୍ୱୀକୃତି ଦେଇଛନ୍ତି। ସେଠାରୁ ୬୦୦ରୁ ୭୦୦ ଗଛ କଟାଯିବ ଏବଂ ଯେତିକି ଗଛ କଟାଯିବ ପରେ ଡ଼ବଲ ଗଛ ଲାଗାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ସଫେଇ ଦେଇଛନ୍ତି।

By amfnews

Related Post