Sun. Sep 29th, 2024

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବିଜୟ ପଟ୍ଟନାୟକଙ୍କ ପରଲୋକ

By amfnews May 3, 2021 #Featured
113 Views

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ, ସୁସାହିତ୍ୟିକ ତଥା ଖୋର୍ଦ୍ଧା ଜିଲା ନିରାକାରପୁର କ୍ଷେତ୍ରବାସୀ
ଡିଏଭି କଲେଜର ପୂର୍ବତନ ଓଡ଼ିଆ ବିଭାଗ ମୁଖ୍ୟ ଡ. ବିଜୟ ପଟ୍ଟନାୟକଙ୍କର ୨୯ ତାରିଖ ଗୁରୁବାର ରାତି
୧୦ଟା ୪୫ରେ ହୃଦଘାତରେ ପରଲୋକ ଘଟିଛି । ଦୁଇଦିନ ପୂର୍ବରୁ ସେ ହଠାତ ଅସୁସ୍ଥ ଅନୁଭବ କରିବାରୁ
ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହୋଇ
ସେ ଘରକୁ ଫେରିଥିଲେ । ଗୁରୁବାର ରାତିରେ ହଠାତ ତାଙ୍କର ହୃଦଘାତ ହୋଇଥିଲା । ଜଣେ ଛାତ୍ରବତ୍ସଳ ,
ମିଷ୍ଟଭାଷୀ ଅଧ୍ୟାପକ , ଗବେଷକ ଓ ସୁସାହିତ୍ୟିକ ଭାବେ ସେ ଛାତ୍ରଛାତ୍ରୀ ଓ ସାହିତ୍ୟିକ ମହଲରେ
ପ୍ରିୟଭାଜନ ହୋଇପାରିଥିଲେ । ନିରାକାରପୁର କଲେଜରେ ପିଜି ଶ୍ରେଣୀ ଖୋଲିବାରେ ତାଙ୍କର
ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଶିକ୍ଷାଦାନକୁ ସେ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ । ଏପରିକି
ଅବସର ପରେ ବି ସେ ସେଠାର ଓଡ଼ିଆ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିଲେ ।
ଗଙ୍ଗାଧର ମେହେରଙ୍କ ସାହିତ୍ୟ ଉପରେ ସେ ଗବେଷଣାତ୍ମକ ସନ୍ଦର୍ଭ ଲେଖିଥିଲେ । କୋଭିଡ ସମୟରେ
ନିଜ ପୁଅଙ୍କ ପାଖରେ ଭୁବନେଶ୍ୱରରେ ରହୁଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ଅନ୍ତିମ
ଶଯ୍ୟା ନିକଟରେ ଏକମାତ୍ର ପୁଅ ଜନ୍ମେଜୟ ପଟ୍ଟନାୟକ , ବୋହୂ ମଧୁସ୍ମିତା ପଟ୍ଟନାୟକ ,ନାତି
ଆୟୁଷ୍ମାନ ଓ ଝିଅ ତପସ୍ୱିନୀ ପଟ୍ଟନାୟକ ଉପସ୍ଥିତ ଥିଲେ । ଜାଗମରା ଗ୍ରାମ ଶ୍ମଶାନରେ ତାଙ୍କର
ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ପରଲୋକରେ ‘ଖୋର୍ଦ୍ଧା ବିଷୁବ ମିଳନ ସମିତି’ , ‘ଆମରି
ସତ୍ୟ’ ,’ ତ୍ରିନାଥଚରଣ ସ୍ମୃତି କଳା ସାହିତ୍ୟ ସଂସଦ’ , ‘ଖୋର୍ଦ୍ଧା ସାହିତ୍ୟ ସଂସଦ’ , ‘କୋଣାର୍କ
ସାହିତ୍ୟ ସଂସଦ’ , ‘ଖୋର୍ଦ୍ଧା ଜିଲା ଭାଷା ସୁରକ୍ଷା ସମ୍ମିଳନୀ’ ଓ ‘ବିଶ୍ୱାତ୍ମା’ ପକ୍ଷରୁ ଗଭୀର
ଶୋକପ୍ରକାଶ କରାଯାଇଛି

By amfnews

Related Post