Sat. Nov 23rd, 2024

ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା, ପାଣିଘେରରେ ବାଲିଆପାଳର ୧୦ଟି ଗାଁ

By amfnews Aug 28, 2020 #Featured
111 Views

ଭୁବନେଶ୍ୱର, ଅଗଷ୍ଟ ୨୭ : ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାରୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ଜଳ ଦେଖାଯାଇଛି । ଆଜି ସକାଳୁ ସୁବର୍ଣ୍ଣରେଖା ନଦୀରେ ବିପଦ ସଂକେତ ଅତିକ୍ରମ କରିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ରାଜଘାଟରେ ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ଏଠାରେ ୧୦.୯୦ ମିଟର ଦେଇ ଜଳ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବାଲିଆପାଳ ବ୍ଲକର ୪ଟି ପଂଚାୟତର ୧୦ଟି ଗାଁ ପାଣିଘେରରେ ରହିଛି । ଫଳରେ ସଂପୃକ୍ତ ଅଂଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତକାଲି ରାତିରେ ଓସ୍ତ ପଂଚାୟତର ୨୫୦ ଜଣ ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଛି । 

ପ୍ରବଳ ବର୍ଷା ଯୋଗୁଁ ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତିସିଂହପୁର, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ଲୋକେ ବହୁ ହଇରାଣ ହୋଇଛନ୍ତି ।  ବିଶେଷ ଭାବେ ଉତ୍ତର ଓଡ଼ିଶାରେ ଏବେ ବନ୍ୟା ସ୍ଥିତି ଦେଖାଯାଇଥିବା ବେଳେ ବୈତରଣୀ, ଜଳକା, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗର ଜଳସ୍ତର ବଢ଼ିଛି ।

ରାଜ୍ୟର ଅନେକଗୁଡ଼ିଏ ସ୍ଥାନରେ ଜଳମଗ୍ନ ହୋଇଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ୭ ଜଣଙ୍କର ଜୀବନ ଯାଇଛି । ମୟୂରଭଂଜ ଜିଲ୍ଲାରେ ୪ ଜଣ, କେନ୍ଦୁଝର ଜିଲ୍ଲାରେ ୨ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ବର୍ଷା ଯୋଗୁଁ ପ୍ରାଣ ହରାଇଛନ୍ତି ।

 

By amfnews

Related Post