Thu. Dec 26th, 2024

ବିପଦ ସଂକେତ ଟପିଲା ବୈତରଣୀ: ପାଣି ଘେରରେ ଭଦ୍ରକର ୧୫ଟି ପଂଚାୟତ

By amfnews Aug 27, 2020 #Featured
211 Views

ଭୁବନେଶ୍ୱର, ଅଗଷ୍ଟ ୨୭ : ଲଘୁଚାପ ଯୋଗୁଁ ବିଗତ ୩ ଦିନ ହେବା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଅଧିକାଂଶ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଭଦ୍ରକ ଜିଲ୍ଲାର ୧୫ଟି ପଂଚାୟତ ପାଣି ଘେରରେ ରହିଛି । ଭଣ୍ଡାରିପୋଖରୀ ବ୍ଲକର ୮ଟି ଓ ଧାମନଗରର ୭ଟି ପଂଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବର୍ଷା ଲାଗି ରହିଥିବାରୁ ବୈତରଣୀର ଜଳସ୍ତର ବଢ଼ିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଜିଲ୍ଲାର ମାଲଦା ନିକଟ ଶରତା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ସେହିପରି ଦୋବଇ ନିକଟ ରାସ୍ତା ଉପରେ ବନ୍ୟା ଜଳ ନିଷ୍କାସନ ହେଉଛି । ଭଣ୍ଡାରିପୋଖରୀ ଓ ଧାମନଗରରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବୈତରଣୀର ଆଖୁଆପଦା ଠାରେ ୨ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ୧୭.୮୩ ଥିବା ବେଳେ ୧୯.୫୬ ମିଟର ପାଣି ପ୍ରବାହିତ ହେଉଛି । ବୈତରଣୀ ନଦୀର ଆନନ୍ଦପୁର ରାଜଘାଟ ନିକଟରେ ବିପଦ ସଂକେତ ୨ ମିଟରରୁ ଅଧିକ ରହିଛି । ଏଠାରେ ବିପଦ ସଂକେତ ୩୮.୩୬ ମିଟର ଥିବା ବେଳେ ଏବେ ୪୦.୮୩ ମିଟର ଦେଇ ଜଳ ପ୍ରବାହିତ ହେଉଛି ।

ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତାକାଲି ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ତେବେ ଏହାରି ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ବିତ୍ପାତ ଦେଖାଯାଇଛି । ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି ।

By amfnews

Related Post