ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ବିଜେପି ସଦସ୍ୟମାନେ ନାବାଳିକାକୁ ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଛନ୍ତି । ତେବେ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଛିଡା ହୋଇ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଥିଲେ । ଗୃହ ଚାଲି ନପାରିବାରୁ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି । ଏହି ପ୍ରସଙ୍ଗରେ ଗତକାଲି ମଧ୍ୟ ବିରୋଧୀମାନେ ହଟ୍ଟଗୋଳ କରିବା ସହ କଂଗ୍ରେସ ବିଧାୟକମାନେ ବିଧାନସଭା ବାହାରେ ବସିଥିଲେ ।
ଏହି ପ୍ରସଙ୍ଗରେ ଆଲୋଚନା କରି ଗତକାଲି କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ, ଦାୟିତ୍ୱବାନ ସରକାରଙ୍କ ଦାୟିତ୍ୱ କ’ଣ । ୨୦୧୯ ଜାନୁଆରିରୁ ଜୁନ ମଧ୍ୟରେ ରାଜ୍ୟର ୧୦୦୫ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ୨୦୧୯ରେ ୩ ମାସରେ ୫୦୨ ନାବାଳିକା ନିଖୋଜ ଅଛନ୍ତି, କିନ୍ତୁ ପୁଲିସ ଖୋଜିକି ପାଉନି ବୋଲି ଅଭିଯୋଗ କରିଥିଲେ ନରସିଂହ ମିଶ୍ର ।
ସେପଟେ ରାଜଗାଙ୍ଗପୁରରେ ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଛି । ନାବାଳିକାର ଅଭିଯୋଗ ପରେ ପୁଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିଛି । ଆଜି ପୁଣି ବୀରମିତ୍ରପୁରରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।