Wed. Dec 25th, 2024

ବିଦ୍ୟୁତ ବିଭାଗର ହାତୀ ନାମରେ ଦୁର୍ନିତି

By amfnews Jan 12, 2019 #Featured
267 Views

ଜେନାପୁର:  ବିଦ୍ୟୁତ କାଟିବାକୁ ଗୋଟାଏ ବାହାନା ଦରକାର । ଆକାଶରେ ବରଷା ଦେଖା ନଯାଉଣୁ ଘଣ୍ଟା ଘଣ୍ଟା ବିଦ୍ୟୁତକାଟ ହୋଇଥାଏ । ଏବେ ବିଦ୍ୟୁତ କାଟିବାକୁ ନୂଆ ବାହାନା ମିଳିଗଲା । ତାହା ହେଉଛି ହାତୀ ଉପଦ୍ରବ ପାଇଁ ବିଦ୍ୟୁତକାଟ । ହାତୀଙ୍କ ପାଇଁ ସାରାରାତି ବିଦ୍ୟୁତକାଟ କରାଯାଉଛି । ଯାଜପୁର ଜିଲ୍ଲାର ଧର୍ମଶାଳା ବିଦ୍ୟୁତ ଉପଖଣ୍ଡର କବାଟବନ୍ଧ ଓ ଆରୁହା ବିଦ୍ୟୁତ ସେକସନରେ ଏଭଳି ବିଦ୍ୟୁତକାଟ କରାଯାଉଛି ।

ଏହି ଦୁଇଟି ସେକସନ ଅଧୀନରେ ଥିବା ଧର୍ମଶାଳା ଓ ବଡଚଣା ବ୍ଲକର ଶତାଧିକ ଗାଁରେ ଗୁରୁବାର ସଂଧ୍ୟାରୁ ସାରାରାତି ବିଦ୍ୟୁତକାଟ କରାଗଲା । ଏଥିନେଇ ବିଭାଗୀୟ କବାଟବନ୍ଧ ଓ ଆରୁହା ସେକସନର ବିଦ୍ୟୁତ ବିଭାଗର ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରିବାରୁ ରାତିରେ ହାତୀଙ୍କ ଚଳପ୍ରଚଳ ବେଳେ ବିଦ୍ୟୁତ ତାର ଲାଗି ମୃତ୍ୟୁ ହେବା ଆଶଙ୍କାରେ ଏଭଳି ବିଦ୍ୟୁତକାଟ କରାଯାଉ ଥିବାର କୁହାଗଲା । ଦର୍ପଣୀ ଅଂଚଳରେ କେତେକ ଗାଁରେ ହାତୀ ବାହାରୁ ଥିବାରୁ ଏଭଳି ବିଦ୍ୟୁତ କାଟ କରାଯାଉ ଥିବାର କୁହାଗଲା । ବାସ୍ତବରେ ଅଦ୍ୟାବଧି ଏହି ଅଂଚଳରେ ହାତୀ ବାହାରି ଥିବାର ବନ ବିଭାଗ ନିକଟରେ ମଧ୍ୟ ରିପୋର୍ଟ ନାହିଁ ।

ତେବେ ଏହିସବୁ ଅଂଚଳରେ ହାତୀଙ୍କ ପାଇଁ ବିଦ୍ୟୁତ ତାର ଉଚ୍ଚ କରାନଯାଇ ବିଦ୍ୟତସେବାରୁ ଜେନାପୁର, ଗଡମଧୁପୁର, କବାଟବନ୍ଧ ଏବଂ ଚଣ୍ଡୀଖୋଲ ଅଂଚଳର ଶତାଧିକ ଗାଁକୁ ବିନା କାରଣରେ ବିଦ୍ୟୁତ ସେବାରୁ ବଂଚିତ ୍କରାଯିବାର କୌଣସି କାରଣ ନାହିଁ । କେବଳ ହାତୀଙ୍କ ଆଳ କରି ବିଦ୍ୟୁତ ବିଭାଗ ବିନା କାରଣରେ ଶତାଧିକ ଗାଁରେ ବିଦ୍ୟୁତ କାଟ କରୁଛନ୍ତି । ସବୁଠାରୁ ବଡ କଥା ହେଉଛି, ଆରୁହାରୁ ଚଣ୍ଡୀ ମନ୍ଦିର ଅଭିମୁଖେ ଯାଇଥିବା ଫିଡରରେ ଜାତୀୟ ରାଜପଥ କଡରେ ଚାଲୁଥିବା ବେଆଇନ କ୍ରସରରକୁ ଦୀର୍ଘବର୍ଷ ହେବା ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ହେଲେ ହାତୀ ଆଳରେ ହାତୀ ଉପଦ୍ରବ ନଥିବା ଶତାଧିକ ଗାଁରେ ବିଦ୍ୟୁତକାଟ କରାଯାଉ ଥିବାବେଳେ ବେଆଇନ ଭାବେ ଚାଲୁଥିବା କ୍ରସର ଗୁଡିକୁ ବିଦ୍ୟୁତ ସଂଯୋଗ ଦେଇ କ୍ରସର ଚଲାଯିବା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି ।

କବାଟବନ୍ଧ ଫିଡରରେ ଥିବା କୌଣସି ଗୋଟିଏ ଗାଁକୁ ହାତୀ ଆସିବାରେ କେବେ ବି ବନ ବିଭାଗ ପାଖରେ ତଥ୍ୟ ନଥିବା ବେଳେ ଏଠାରେ ସାରାରାତି ବିଦ୍ୟୁତକାଟ ନେଇ ମଧ୍ୟ ଉଦବେଗ ପ୍ରକାଶ ପାଉଛି । ସେହିପରି ଆରୁହା ଫିଡରରୁ ଚଣ୍ଡିଖୋଲ କଲେଜ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ କଡରେ ଥିବା ଗାଁକୁ ହାତୀ ଆସିବାର ରିପୋର୍ଟ ନଥିବା ବେଳେ ଏହିସବୁ ଗାଁରେ ବିନା କାରଣରେ ବିଦ୍ୟୁତକାଟକୁ ମଧ୍ୟ ସାଧାରଣରେ ନାପସନ୍ଦ କରାଯାଉଛି । ଏଥିପାଇଁ ସରକାରଙ୍କ ବିରୋଧରେ ଜନଅସନ୍ତୋଷ ବ୍ୟାପକ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ପଡିବାକୁ ସାଧାରଣରେ ଦାବି ହେଉଛି ।

By amfnews

Related Post