Sat. Mar 7th, 2026

ବିଜ୍ଞାନକୁ ସମାଜ କଲ୍ୟାଣରେ ବ୍ୟବହାର କରାଯିବା ଉଚିତ୍

315 Views

ରାଉରକେଲା, ୩ା୧୨ : ଲାଠିକଟା ଆଦର୍ଶ ବିଦ୍ୟାଳୟ ପରିସରରେ ଲାଠିକଟା ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ପରିବେଶ ପ୍ରଦର୍ଶନୀ ମେଳାର ଉଦ୍ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ବିଜ୍ଞାନକୁ ସର୍ବଦା ସମାଜ କଲ୍ୟାଣ ଦିଗରେ ଉପଯୋଗ କରାଯାଇପାରିଲେ ବିଶ୍ୱକୁ ସୁସ୍ଥ ଓ ଶକ୍ତିଶାଳୀ କରାଯାଇପାରିବ ବୋଲି କହିଛନ୍ତି ।ଲାଠିକଟା ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞାପାରମିତା ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଳାରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କ ବିଜ୍ଞାନ ଚିନ୍ତାଧାରାକୁ ବୃଦ୍ଧି କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ ।

କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦାନନ୍ଦ ପ୍ରଧାନ, ବଣେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୟ ପ୍ରକାଶ ସଏ, ଲାଠିକଟା ଗୋଷ୍ଠୀ ସହ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଅନୀଲ କୁମାର ସାମନ୍ତରାୟ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ମେଳାରେ ଲାଠିକଟା ବ୍ଲକର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ସ୍ତରରେ ମୋଟ ୨୦୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ସ୍କୁଲ ଓ କଲେଜର ବିଜ୍ଞାନ ଶିକ୍ଷକମାନେ ଉପସ୍ଥିତ ରହି ପ୍ରଦର୍ଶିତ ପ୍ରକଳ୍ପର ମୂଲ୍ୟାଙ୍କନ କରିଥିଲେ ।

ଏହି ମେଳାରେ ସ୍ୱାଗତିକା ପରିଡ଼ା, ଅମ୍ବିକା ବେହେରା, ବିନୀତା ବିଶ୍ୱଜିତା ବିଶ୍ୱାଳ, ଶ୍ୱେତାପୂର୍ଣ୍ଣା ସାହୁ, ଅଞ୍ଜଳି କେରକେଟା, ହିମାଂଶୁ ଶେଖର ସାହୁ, ସାର୍ଥକ ପଶାୟତ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରୀୟ ବିଜ୍ଞାନ ପଦର୍ଶନୀ ପାଇଁ ମନୋନୀତ ହୋଇଥିଲେ । ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ତାରାଲତା ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲାଠିକଟା ବ୍ଲକରେ ଥିବା ବିଭିନ୍ନ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷା ପ୍ରଜ୍ଞାପାରମିତା ଜେନା ଧନ୍ୟବାଦ ଦେଇଥିଲେ ।

By amfnews

Related Post