Wed. Nov 27th, 2024

ବିଜୁ ପଟ୍ଟନାୟକ ଓ ଭାରତ ରତ୍ନ

By amfnews Mar 5, 2019 #Featured
685 Views

ମାନବିକ ମୂଲ୍ୟବୋଧର ସ୍ୱୀକୃତି ସ୍ୱରୂପ ଭାରତର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ‘ଭାରତ ରତ୍ନ’ ସମ୍ମାନରେ ଓଡିଶାର ଅପ୍ରତିଦ୍ୱନ୍ଦୀ ରାଷ୍ଟ୍ରନୀତିଜ୍ଞ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବା ଲାଗି ଦାବି ହୋଇ ଆସୁଥିଲେ ମଧ୍ୟ ଏ ଦିଗରେ ଅଦ୍ୟାବଧି କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗି ନାହିଁ । ନିକଟରେ ଏପ୍ରିଲ୍‍ ୨୫, ୨୦୧୩ରେ ଉକ୍ରଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନରେ ଯୋଗ ଦେଇ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ ଦୀର୍ଘ ସମୟ ଧରି ବିଜୁ ପଟ୍ଟନାୟକଙ୍କ ତ୍ୟାଗ ଓ କୃତି ଉଲ୍ଲେଖ କରିବା ପରେ ବିଜୁଙ୍କୁ ମରଣୋତ୍ତର ଭାରତ ରତ୍ନ ଭୂଷିତ କରିବା ପାଇଁ କେତେକ ମହଲରୁ ଦାବି ହୋଇଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ବିଶ୍ୱ ଇତିହାସରେ ସ୍ମରଣୀୟ ହୋଇ ରହିଲେ ମଧ୍ୟ ବିଜୁଙ୍କୁ ଭାରତ ରତ୍ନ ଭଳି ରାଷ୍ଟ୍ରୀୟ ସମ୍ମାନରେ ଭୂଷିତ କରାନଯିବା ଘଟଣା କେବଳ ଓଡିଶାବାସୀଙ୍କୁ ନୁହେଁ ଭାରତବାସୀଙ୍କ ମନରେ କ୍ଷୋଭ ସୃଷ୍ଟି କରିବା ସ୍ୱାଭାବିକ ।

ଇଂରେଜ ସରକାରଙ୍କ ବିମାନବାହିନୀର ପାଇଲଟ୍‍ ଥିବା ବିଜୁ ସଂଗ୍ରାମୀ ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ ଓ ଅରୁଣା ଅସଫଅଲ୍ଲୀ ପ୍ରମୁଖଙ୍କୁ ଗୋପନରେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଲାଗି ଯେଉଁ ଦୁଃସାହସ କରିଥିଲେ, ତାହା ତାଙ୍କ ଦେଶପ୍ରେମର ଚରମ ଉଦାହରଣ କହିଲେ ଅତ୍ୟୁକ୍ତି ହେବନାହିଁ । ଏହିଭଳି କାର୍ଯ୍ୟରେ ଲିପ୍ତ ଥାଇ ଧରାପଡିବା ପରେ ତାଙ୍କୁ ଇଂରେଜ ସରକାର ଲାହୋର୍‍ରେ ନଜରବନ୍ଦୀ କରି ରଖିଥିଲେ ।

ନିଜ ଦେଶର ସ୍ୱାଧୀନତା ପାଇଁ ଯେ ବିଜୁ ଚିନ୍ତିତ ଥିଲେ ତାହା ନୁହେଁ, ପଣ୍ଡିତ ଜବାହାରଲାଲ୍‍ ନେହେରୁଙ୍କ ନିର୍ଦ୍ଦେଶକ୍ରମେ ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମର ନେତା ସୁଲ୍‍ତାନ ସାକାହୀର୍‍ଙ୍କୁ ଇଣ୍ଡୋନେସିଆରୁ ନିଜେ ବିମାନଚାଳନା କରି ସିଙ୍ଗାପୁର ବାଟ ଦେଇ ଭାରତକୁ ନେଇ ଆସିଥିବା ଘଟଣା କାହାରିକୁ ଅବିଦିତ ନୁହେଁ । ତାଙ୍କର ଏହି ଦୁଃସାହସିକ ଅଭିଯାନରେ ସହଯାତ୍ରୀ ଥିଲେ ତାଙ୍କର ଧର୍ମପତ୍ନୀ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମା’ ଜ୍ଞାନ ପଟ୍ଟନାୟକ । ୧୯୪୭ ମସିହା ଜୁଲାଇ ୨୪ ତାରିଖ ଦିନ ବିଜୁ ନେଇଥିବା ଏଭଳି ପଦକ୍ଷେପ ପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲେ ଏବଂ ପରବର୍ତ୍ତୀ କାଳରେ ଡଚ୍‍ମାନଙ୍କ କବଳରୁ ଇଣ୍ଡୋନେସିଆକୁ ମୁକ୍ତି କରିବା ପାଇଁ ବିଜୁଙ୍କ ଅବଦାନ ନିମନ୍ତେ ଇଣ୍ଡୋନେସିଆ ସରକାର ତାଙ୍କ ରାଷ୍ଟ୍ରର ସମସ୍ତ ଜମି ଓ ଜଙ୍ଗଲ ବିଜୁ ବାବୁଙ୍କୁ ଉତ୍ସର୍ଗ କରିଥିଲେ । ମାତ୍ର ନିଜ ଜୀବଦ୍ଦଶାରେ ବିଜୁ କେବେହେଲେ ଏହି ସୁଯୋଗର ବିନିଯୋଗ କରିନଥିଲେ ।

୧୯୬୫ ମସିହାରେ ଶ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଯେଉଁ ଯୁଦ୍ଧ ହୋଇଥିଲା ସେସମୟରେ ପାକିସ୍ତାନ ମୁସଲମାନ୍ ରାଷ୍ଟ୍ର ଭାବରେ ଇଣ୍ଡୋନେସିଆ ସରକାରଙ୍କର ସାହାଯ୍ୟ ଓ ସହଯୋଗ କାମନା କରିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀ ବିଜୁ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ ଯେ ସେ ଇଣ୍ଡୋନେସିଆର ସ୍ୱାଧିନତା ସଂଗ୍ରାମରେ ଇଣ୍ଡୋନେସିଆ ବାସୀଙ୍କୁ ସାହାଯ୍ୟ କରିଥଽା ଦୃଷ୍ଟିରୁ ବିଜୁ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକଣ୍ଣୋଙ୍କୁ ଅନୁରୋଧ କଲେ ପାକିସ୍ତାନକର ସହାୟତା ପାଇଁ ସେ ପଠାଉଥିବା ନୌବାହୀନିକୁ ଫେରାଇ ନେବେ । ବିଜୁ ତତ୍କ୍ଷଣାତ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ପ୍ରସ୍ତାବରେ ଏକମତ ହୋଇ ସୁକର୍ଣ୍ଣୋଙ୍କୁ ପାକିସ୍ତାନକୁ ସାହାଯ୍ୟ ନକରିବା ପାଇଁ ଅନୁରୋଧ କରିଥବଲେ ଏବଂ ସୁକାର୍ଣ୍ଣୋ ଭାରତ ମହାସାଗରକୁ ଆସୁଥିବା ଏଢ଼ୁଆ ନୌବାହୀନିକୁ ଫେରାଇ ନେଇଥିଲେ । ଏଭଳି ଘଟଣା ବିଶ୍ୱ ଇତିଆସରେ ବିରଳ ।

ଭାରତର ଏହି ଚରମ ଦେଶପ୍ରେମୀ ଓ ଦୁଃସାହସୀ ରାଷ୍ଟ୍ରନାୟକ ୧୯୯୭ ମସିହା ଏପ୍ରିଲ ମାସ ୧୭ ତାରିଖରେ ଦିଲ୍ଲୀଠାରେ ମୃତ୍ୟୁବରଣ କରିଥିଲେ । ଆଶା କରାଯାଇଥିଲା, ତାଙ୍କର ଜାତୀୟତା ପ୍ରୀତି ଓ ମାନବ ସମାଜ ପାଇଁ ଉତ୍ସର୍ଗୀକୃତ ଅବଦାନ ନିମନ୍ତେ ଭାରତ ସରକାର ତାଙ୍କୁ ନିଶ୍ଚିତ ଭାବରେ ଭାରତ ରତ୍ନ ଉପାଧିରେ ସମ୍ମାନିତ କରିବେ । ଜୀବଦ୍ଦଶାରେ ନହେଲେ ମଧ୍ୟ ମୃତ୍ୟୁ ପରେ ଭାରତ ସରକାର ବିଜୁଙ୍କୁ ଏହି ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କରି ଏକ ବଳିଷ୍ଠ ପରମ୍ପରା ସୃଷ୍ଟି କରିବେ । ମାତ୍ର ଇତିମଧ୍ୟରେ ଦୀର୍ଘ ୨୧ ବର୍ଷ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଭାରତ ସରକାର ବିଜୁଙ୍କ ପ୍ରତି ନାର୍ଯ୍ୟ ସମ୍ମାନ ପ୍ରଦର୍ଶନ କରିବାରେ କାର୍ପଣ କରିଛନ୍ତି ।

୧୯୫୪ ମସିହା ଜାନୁୟାରୀ ୨ ତାରିଖ ଦିନ ତଦନାନ୍ତୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଭାରତ ରତ୍ନ ସମ୍ମାନର ଶୁଭାରମ୍ଭ ନିମନ୍ତେ ଘୋଷଣା କରିଥିଲେ । ଭାରତର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଅନୁମୋଦନ କରିବାର ବ୍ୟବସ୍ଥା ରହିଛି । ୧୯୫୪ ମସିହାରେ ସର୍ବପ୍ରଥମେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଇଥିଲା । ସେହି ବର୍ଷ ପ୍ରଖ୍ୟାତ ପଦାର୍ଥ ବିଜ୍ଞାନୀ ସି.ଭି ରମଣ ଏବଂ ପ୍ରଖ୍ୟାତ ଦାର୍ଶନିକ ତଥା ଭାରତର ଉପରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‍ଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୫୫ ମସିହାରେ ସ୍ୱାଧୀନତା ସଂଗ୍ରାମୀ ଭଗବାନ ଦାସ, ଇଞ୍ଜିନିୟର ତଥା ମହୀଶୂରର ଦିୱାନ୍‍ ଏମ୍‍.ବିଶ୍ୱେଶ୍ୱରାୟ ଓ ସ୍ୱାଧୀନତା ସଂଗ୍ରାମୀ, ଲେଖକ କଥା ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

୧୯୫୬ ମସିହାରେ ସ୍ୱାଧୀନତା ସଂଗ୍ରାମୀ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଭାରତର ଗୃହମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ତ ଏହି ଉପାଧିରେ ଭୂଷିତ ହୋଇଥିଲେ । ୧୯୫୮ ମସିହାରେ ଶିକ୍ଷାବିତ୍‍ ତଥା ସମାଜ ସଂସ୍କାରକ ଡି.କେଶବ ଜାର୍‍ଭେ, ୧୯୬୧ ମସିହାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଚିକିତ୍ସକ ଡାକ୍ତର ବିଧାନଚନ୍ଦ୍ର ରାୟ ଓ ପ୍ରବୀଣ ଶିକ୍ଷାବିତ୍‍ ତଥା ସ୍ୱାଧୀନତା ସଂଗ୍ରାମୀ ପୁରୁଷୋତ୍ତମ ଦାସ ଟଣ୍ଡନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୬୨ ମସିହାରେ ଭାରତର ପ୍ରଥମ ରାଷ୍ଟ୍ରପତି ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାଜେନ୍ଦ୍ର ପ୍ରସାଦଙ୍କୁ ଓ ୧୯୬୩ ମସିହାରେ ଭାରତର ତୃତୀୟ ରାଷ୍ଟ୍ରପତି ବିଦ୍ୱାନ ଡ଼.ଜାକିର୍‍ ହୁସେନ୍‍ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ୧୯୬୩ ମସିହାରେ ବିଶିଷ୍ଟ ସଂସ୍କୃତଜ୍ଞ ପାଣ୍ଡୁରଙ୍ଗ ବାମନ କାଣେ, ପ୍ରଧାନମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଲାଲ ବାହାଦୂର ୧୯୭୧ ମସିହାରେ ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ଶ୍ରୀ ଗାନ୍ଧୀଙ୍କୁ ଏହି ସମ୍ମାନିତ କରାଯାଇଥିଲା ।

ପରବର୍ତ୍ତୀ କାଳରେ ଭାରତର ଚତୁର୍ଥ ରାଷ୍ଟ୍ରପତି ତଥା ବିଶିଷ୍ଟ ଶ୍ରମିକ ନେତା ଭି.ଭି ଗିରି, ୧୯୭୬ରେ ତାମିଲ୍‍ନାଡୁର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ କେ.କାମ୍‍ରାଜ, ୧୯୮୦ ମସିହାରେ ମିଶନାରୀ ଅଫ୍‍ ଚାରିଟିର ପ୍ରତିଷ୍ଠାତା ମଦର୍‍ ଟେରେସା, ୧୯୮୩ ରେ ପ୍ରଖ୍ୟାତ ଭୂଦାନ ନେତା ବିନୋବା ଭାବେ, ୧୯୮୭ରେ ସ୍ୱନାମଧନ୍ୟ ସ୍ୱାଧୀନତା ସଂଗ୍ରାମୀ ଖାଁ ଅବ୍‍ଦୁଲ୍‍ ଗଫର୍‍ ଖାଁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ । ଖାଁ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେ ଭାରତୀୟ ନାଗରିକ ନହୋଇ ମଧ୍ୟ ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
୧୯୮୮ମସିହାରେ ତାମିଲ୍‍ନାଡୁର ମୁଖ୍ୟମନ୍ତ୍ରୀ ତଥା ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ଏମ୍‍.ଜି.ରାମଚନ୍ଦ୍ରନ୍‍, ୧୯୯୦ରେ ସ୍ୱାଧୀନତା

ସଂଗ୍ରାମୀ ତଥା ଭାରତୀୟ ସମ୍ବିଧାନର ଜନକ ବି.ଆର୍‍ ଆମ୍ବେଦକର, ୧୯୯୦ ମସିହାରେ ନେଲ୍‍ସନ୍‍ ମାଣ୍ଡେଲା (ଭାରତୀୟ ନାଗରିକ ନଥିବା ଦ୍ୱିତୀୟ ବ୍ୟକ୍ତି), ୧୯୯୧ ମସିହାରେ ଭାରତର ଷଷ୍ଠ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ୧୯୯୧ ମସିହାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‍ ଏବଂ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ଚତୁର୍ଥ ପ୍ରଧାନମନ୍ତ୍ରୀ ମୋରାର୍‍ଜୀ ଦେଶାଇ, ୧୯୯୨ ମସିହାରେ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଅବୁଲ୍‍ କଲାମ୍‍ ଆଜାଦ୍‍ ଏବଂ ଶିଳ୍ପପତି କେ.ଆର୍‍.ବି ଟାଟା, ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସତ୍ୟଜିତ୍‍ ରାୟ, ୧୯୯୭ରେ ବିଶିଷ୍ଟ ଅଣୁବିଜ୍ଞାନୀ ତଥା ଭାରତର ରାଷ୍ଟ୍ରପତି ଏ.ପି.ଜେ ଅବ୍‍ଦୁଲ୍‍ କଲାମ୍‍, ୧୯୯୭ରେ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଧାନମନ୍ତ୍ରୀ ଗୁଲ୍‍ଜାରୀ ଲାଲ୍‍ ନନ୍ଦା, ସ୍ୱାଧୀନତା ସଂଗ୍ରାମୀ ଅରୁଣା ଆସଫ୍‍ ଅଲ୍ଲୀ, ୧୯୯୮ ମସିହାରେ ପ୍ରଖ୍ୟାତ କର୍ଣ୍ଣାଟକୀ ସଙ୍ଗୀତଜ୍ଞ ଏମ୍‍.ଏସ୍‍.ଶୁଭଲକ୍ଷ୍ମୀ, ୧୯୯୮ରେ ସ୍ୱାଧୀନତା ସଂଗ୍ରାମୀ ଓ କୃଷିମନ୍ତ୍ରୀ ସି.ସୁବ୍ରମଣ୍ୟମ, ୧୯୯୯ରେ ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ ଜୟପ୍ରକାଶ ନାରାୟଣ, ସିତାର ବାଦକ ରବିଶଙ୍କର, ଅର୍ଥନୀତିଜ୍ଞ ଅର୍ମତ୍ତ୍ୟ ସେନ୍‍ ଓ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋପୀନାଥ ବର୍ଦ୍ଦୋଲାଇ, ୨୦୦୧ରେ କଣ୍ଠଶିଳ୍ପୀ ଲତା ମଙ୍ଗେସ୍‍କର, ଶାହାନାଇ ବାଦକ ବିସ୍‍ମିଲ୍ଲା ଖାନ୍‍ ଐବହ ୨୦୦୮ ମସିହାରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଭୀମ୍‍ସେନ୍‍ ଯୋଶୀ, ୨୦୧୫ ମସିହାରେ ଅଟ୍ଟଳ ବିହାରୀ ବାଜପେୟୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

୧୯୯୨ ମସିହାରେ ନତୋଜୀ ସୁଭାଷ ଚନ୍ଦ୍ର ବୋଷ୍‍ଙ୍କୁ ଏହି ସମ୍ମାନ ମରଣୋତ୍ତର ଭାବେ ଦିଆଯିବା ଲାଗି ଘୋଷଣା କରାଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନଥିବା ଯୋଗୁଁ ଏ ବିଷୟରେ ପ୍ରତିବାଦର ସ୍ୱର ଉଠିଥିଲା । ଫଳରେ ଏହା କାର୍ଯ୍ୟକାରୀ କରାଯାଇନଥିଲା । ଏଠାରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ଯେଉଁ ମନିଷୀମାନଙ୍କ ନାମ ଉଲ୍ଲେଖ କରାଯାଇଛି ସେମାନଙ୍କ ତୁଳନାରେ ବିଜୁ ପଟ୍ଟନାୟକଙ୍କ ଅବଦାନ ରାଜ୍ୟ,ଦେଶ ତଥା ସମଗ୍ର ବିଶ୍ୱ ପାଇଁ ଅଦ୍ୱିତୀୟ ହୋଇଥିଲେ ମଧ୍ୟ କୌଣସି ଅଘୋଷିତ ରହସ୍ୟମୟ କାରଣରୁ ଏପର୍ଯ୍ୟନ୍ତ ତାହା କରାଯାଇାହିଁ । ଖୋଦ୍‍ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ବିଜୁଙ୍କ ଦେଶପ୍ରେମ ଓ ସ୍ୱାର୍ଥହୀନ ଅବଦାନ ସମ୍ପର୍କରେ କୌଣସି କଥା ଅଛପା ନଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବିଜୁଙ୍କର ବହୁବିଧ ତ୍ୟାଗ ଓ ଅବଦାନ ସମ୍ପର୍କରେ ମଧ୍ୟ ଅଜ୍ଞ ନଥିଲେ । ତଥାପି ବିଜୁଙ୍କୁ ଭାରତ ରତ୍ନ ସମ୍ମାନ ଦେବାରେ କାହିଁକି ଅବହେଳା କରାଯାଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ନିଶ୍ଚୟ । ଏହି ସମ୍ମାନ ବିଜୁ ବାବୁଙ୍କୁ ସମ୍ମାନ ବା ମର୍ଯ୍ୟାଦା ବୃଦ୍ଧି କରିବାରେ ହୁଏତ କୌଣସି ମତେ ସହାୟକ ହେବନାହିଁ ବରଂ ବିଜୁଙ୍କ ପରି ଜଣେ ଦେଶପ୍ରେମୀଙ୍କୁ ଏହି ସମ୍ମାନରେ ଭୂଷିତ କରାଗଲେ ଏହି ସମ୍ମାନଟି ହୁଏତ ଅଧିକ ଗୌରବାନ୍ୱିତ ହୋଇପାରନ୍ତା ।

ବିଜୁଙ୍କୁ ଭାରତ ରତ୍ନ ସମ୍ମାନ ଦେବା ଲାଗି ବିଭିନ୍ନ ମହଲରୁ ସ୍ୱର ଉତ୍ତୋଳିତ ହେଉଥିଲେ ମଧ୍ୟ ତାଙ୍କ ନାମରେ ନାମିତ ବିଜୁ ଜନତା ଦଳ ଏବଂ ଏହାର ନେତା ବିଜୁଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ ତଥା ଏହି ଦଳରୁ ନିର୍ବାଚିତ ଓ ମନୋନୀତ ହୋଇଥିବା ଲୋକସଭା ଏବଂ ରାଜ୍ୟସଭା ସ୍ତରରୁ ଏ ସମ୍ପର୍କରେ ଦିଲ୍ଲୀ ମହଲରେ ଚାପ ସୃଷ୍ଟି କରିବାର ଆଶାନୁରୂପକ ପ୍ରଚେଷ୍ଟା ହୋଇନାହିଁ । ବିଜୁଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ଲାଗି କେବଳ ଓଡିଶାବାସୀଙ୍କ ତରଫରୁ ନୁହେଁ ଦିଲ୍ଲୀ ଦରବାରରେ ଓଡିଶାକୁ ପ୍ରତିନିଧିତ୍ୱ କରୁଥିବା ପ୍ରତ୍ୟେକ ବ୍ୟକ୍ତି ତଥା ସମଗ୍ର ଦେଶରେ ବିଜୁଙ୍କ ବହୁମୁଖୀ ଅବଦାନ ସମ୍ପର୍କରେ ଜାଣିଥିବା ନେତୃବୃନ୍ଦ ଆବଶ୍ୟକୀୟ ଜନମତ ସୃଷ୍ଟି ପାଇଁ ପ୍ରଚେଷ୍ଟା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଶ୍ଚିତ ଭାବରେ ଏଥିପାଇଁ ରାଷ୍ଟ୍ରପତିଙ୍କୁ ଅନୁମୋଦନ କରନ୍ତେ ଏବଂ ବିଜୁଙ୍କର ଏକାନ୍ତ ଘନିଷ୍ଠ ଥିବା ରାଷ୍ଟ୍ରପତି ଏହାକୁ ଗ୍ରହଣ କରିବା ଦିଗରେ ଆଦୌ କୁଣ୍ଠିତ ହୁଅନ୍ତେ ନାହିଁ । ଏଥିପାଇଁ ଗଣମାଧ୍ୟମ ମଧ୍ୟ ତାହାର ଭୂମିକା ପାଳନ କରିବା ନମନ୍ତେ ଆଗେଇ ଆସିବାର ଆବଶ୍ୟକତା ରହିଛି ।
ଆଜି ବିଜୁଙ୍କ ୧୦୩ତମ ଜୟନ୍ତି ଉପଲକ୍ଷେ ସମଗ୍ର ଭାରତବାସୀ ଏହି ଅଦ୍ୟୁତିୟ ପ୍ରବାଦ ପୁରୁଷଙ୍କୁ ସମ୍ମାନିତ କରିବା ନିମନ୍ତେ ମିଳିତ ଭାବରେ ସ୍ୱର ଉତ୍ତ୍ୱଳନ କଲେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ ମୋଦି ଦେଶବାସୀଙ୍କ ଦାବି ନିକଟରେ ମଥାନତ କରି ବିଜୁଙ୍କୁ ଭାରତରତ୍ନ ଉପାଧିରେ ଭୂଷିତ କରିବା ପାଇଁ ପଦକ୍ଷେପ ନେବେ ବୋଲି ଆଶା ।

By amfnews

Related Post