Tue. Nov 26th, 2024

ବାରବାଟୀ ଦିନିକିଆ ପାଇଁ ସାଢ଼େ ୬ କୋଟିର ଅଟକଳ

By amfnews Nov 25, 2019 #Featured
????????????????????????????????????
69 Views

କଟକ : ଆସନ୍ତା ଡିସେମ୍ବର ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ତିଜ ମଧ୍ୟରେ ଖେଳାଯିବାକୁଥିବା ଆନ୍ତର୍ଜାତିକ ଦିନିକିଆ ମ୍ୟାଚ ପାଇଁ ଓସିଏ ପକ୍ଷରୁ ସାଢେ ୬କୋଟି ଟଙ୍କାର ଅସ୍ଥାୟୀ ଖର୍ଚ୍ଚ ଅଟକଳ କରାଯାଇଛି। ସେଥିମଧ୍ୟରୁ ଦର୍ଶକଙ୍କ ପାଇଁ ୧୪ ଲକ୍ଷ ଟଙ୍କାର ବୀମା ପ୍ରିମିୟମ ସହ ୧୦ ଲକ୍ଷ ଟଙ୍କାର ସିସି କ୍ୟାମେରା ଲଗାଯାଉଛି। ମୋଟ ୨୧କୋଟି ୭୧ଲକ୍ଷ ୭୦ହଜାର ଟଙ୍କାର ବୀମା କରାଯାଉଛି। ଅନ୍ୟପକ୍ଷରେ ଫନିରେ କ୍ଷତିଗ୍ରସ୍ତ ଫ୍ଲଡ୍‌ଲାଇଟର ମରାମତିରେ ୧କୋଟି ୫୦ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳରେ ଦର୍ଶାଯାଇଛି। କେବଳ ଏତିକି ନୁହେଁ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋବାକୁଥିବା ପୁଲିସ୍‌ ଓ ଘରୋଇ ସିକ୍ୟୁରିଟି ଗାର୍ଡଙ୍କ ପିଛା ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସାଧାରଣ ଲୋଙ୍କ ପାଇଁ ଗ୍ୟାଲେରୀରେ ଦିଆଯିବାକୁଥିବା ପାନୀୟ ଜଳ ପାଇଁ ୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଦର୍ଶାଯାଇଛି। ମୋଟ ୬କୋଟି ୪୨ଲକ୍ଷ ୬୯ ହଜାର ୫୭୦ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଥିଲାବେଳେ ୬କୋଟି ୬୬ଲକ୍ଷ ୩୭ହଜାର ୨୭୦ ଟଙ୍କାର ଆୟ ହେବା ନେଇ ଆକଳନ କରାଯାଇଛି। ଆୟ ମଧ୍ୟରେ ଟିକଟ ବିକ୍ରିରୁ ୨କୋଟି ୮୫ଲକ୍ଷ ୮୭ହଜାର ୨୭୦ ଟଙ୍କା, ଷ୍ଟାଡିୟମ ବିଜ୍ଞାପନରୁ ୨କୋଟି ୧୩ ଲକ୍ଷ ଟଙ୍କା, ଟିକଟ ବିଜ୍ଞାପନରୁ ୧୫ଲକ୍ଷ ଟଙ୍କା, ଆନ୍ତର୍ଜାତିକ ଦିନିକିଆ ସବ୍‌ସିଡିରୁ ଦେଢ କୋଟି ଏବ˚ ଡିଜିଟାଲ ସ୍କ୍ରିନ୍‌ରୁ ଅଢେଇ ଲକ୍ଷ ଟଙ୍କା ଆୟ ହେବ ବୋଲି ଦର୍ଶାଯାଇଛି। ଅତିରିକ୍ତ ୨୩ ଲକ୍ଷ ୬୭ହଜାର ୭୦୦ ଟଙ୍କା ଆୟକୁ ଓସିଏର ଭିତ୍ତିଭୂମି ଉନ୍ନତି ଦିଗରେ ବ୍ୟୟ କରାଯିବ ବୋଲି କୁହାଯାଇଛି। ରବିବାର ଓସିଏ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ସାଧାରଣ ବୈଠକ ଡକାଯାଇ ଏହି ଅସ୍ଥାୟୀ ଅଟକଳକୁ ଅନୁମୋଦନ ଦିଆଯାଇଛି।

କେବଳ ଆନ୍ତର୍ଜାତିକ ଦିନିକିଆ ନୁହେଁ, ଓସିଏର ଆର୍ଥିକ ମାମଲାଗୁଡ଼ିକର ବିଚାର ପାଇଁ ଏହି ସ୍ବତନ୍ତ୍ର ବୈଠକ ଡକାଯାଇଥିଲା। ଯାହାମଧ୍ୟରେ ୪ଟି ଉପ ଧାରା ମାଧ୍ୟରୁ ଆନ୍ତର୍ଜାତିକ ଦିନିକିଆ ଗୋଟିଏ ରହିଥିଲା। ଏହାବାଦ୍‌ ୨୦୧୬-୧୭, ୨୦୧୭-୧୮, ୨୦୧୮-୧୯ ଆର୍ଥିକ ବର୍ଷର ବାର୍ଷିକ ଅଡିଟ୍‌ ରିପୋର୍ଟକୁ ଏହି ବୈଠକରେ ଅନୁମୋଦନ ଦିଆଯାଇଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଅଡିଟ୍‌ ରିପୋର୍ଟକୁ ବୈଠକରେ ଉପସ୍ଥାପନ କରାଯାଇନଥିଲା। ଯାହାକୁ କିଛି ସଦସ୍ୟ ବିରୋଧ କରିବାରୁ ଆନ୍ତର୍ଜାତିକ ଦିନିକିଆ ପୂର୍ବରୁ ଅନୁମୋଦିତ ଅଡିଟ୍‌ ରିପୋର୍ଟ ବିସିସିଆଇକୁ ପ୍ରଦାନ ନକଲେ ଅନୁଦାନ ମିଳିବନି ବୋଲି ଦ୍ବାହି ଦିଆଯାଇଥିଲା। ଯାହାଫଳରେ ଅନ୍ୟ ସଦସ୍ୟମାନେ ଚୁପ୍‌ ରହିବାକୁ ବାଧ୍ୟ ହୋଇଥିଲେ। ତେବେ ପରବର୍ତ୍ତୀ ସାଧାରଣ ବୈଠକରେ ସବିଶେଷ ବିବରଣୀ ସଦସ୍ୟମାନଙ୍କୁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଅନ୍ୟପଟେ ଆନ୍ତର୍ଜାତିକ ଦିନିକିଆ ପୂର୍ବରୁ ଷ୍ଟାଡିୟମର ମରାମତି ପାଇଁ ସ୍ବତନ୍ତ୍ର ଅନୁଦାନ ଦେବାକୁ ବିସିସିଆଇକୁ ବାରମ୍ବାର ଅନୁରୋଧ କରାଯିବାରୁ ୧୦ କୋଟି ଟଙ୍କାର ଅନ୍ତରୀଣ ଅନୁଦାନ ପ୍ରଦାନ କରାଯାଇଛି। ଟିଡିଏସ୍‌ କଟିବା ପରେ ପାଖାପାଖି ୯କୋଟି ଟଙ୍କା ଓସିଏ ହାତରେ ଲାଗିଛି। ତେଣୁ ଏହି ଟଙ୍କାରେ ଦିନିକିଆ ମ୍ୟାଚ ଆୟୋଜନ କରାଯାଇପାରିବ ବୋଲି ଓସିଏ ସମ୍ପାଦକ ସ˚ଜୟ ବେହେରା କହିଛନ୍ତି। ହେଲେ ଏହା ବିଷୟରେ ଅସ୍ଥାୟୀ ଅଟକଳରେ କାହିଁକି ଧାଡ଼ିଟିଏ ବି ଦର୍ଶାଗଲା ନାହିଁ ତାହାକୁ ମଧ୍ୟ କୌଣସି ସଦସ୍ୟ ପଚାରିବାକୁ ଚାହିଁଲେନି। ତେବେ ଏହା ଉପରେ ଓସିଏର ଯୁକ୍ତି ହେଉଛି ଯେ, ଦିନିକିଆ ପୂର୍ବରୁ ଆଉଥରେ ସାଧାରଣ ବୈଠକ ଡକାଯାଇ ବିସ୍ତୃତ ଭାବେ ଅଟକଳ ବିଷୟରେ ଆଲୋଚନା କରାଯିବ। ରବିବାର ହୋଇଥିବା ଏହି ବୈଠକରେ ସମ୍ପାଦକ ଶ୍ରୀ ବେହେରାଙ୍କ ସହ, ସଭାପତି ପଙ୍କଜଲୋଚନ ମହାନ୍ତି, ଉପ ସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହେତାବ ଖାନ୍‌, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ସଦସ୍ୟଙ୍କୁ ୫୬ ଲକ୍ଷ ଟଙ୍କା
ବିସିସିଆଇ ଅନୁଦାନ ନଥିଲାବେଳେ ଖେଳାଳିମାନଙ୍କୁ ଘରୋଇ କ୍ରିକେଟ ପ୍ରସ୍ତୁତି ବେଳେ ହାତରୁ ଖର୍ଚ୍ଚ କରି ପାଣି ଆଣିବାକୁ ପଡୁଥିଲା। କର୍ମଚାରୀମାନେ ଦରମା ପାଇବାରେ ନାନା ହଇରାଣ ହେଉଥିଲେ। ତଥାପି ବିସିସିଆଇ ସିଧାସଳଖ ଭେଣ୍ତର ଓ କର୍ମଚାରୀଙ୍କ ଦରମା ପ୍ରଦାନ କରିବାରୁ ସେମାନେ ଆଶ୍ବସ୍ତି ହୋଇଥିଲେ। ହେଲେ ଫନି ଯୋଗୁଁ ଷ୍ଟାଡିୟମ ଯେଉଁ କ୍ଷତିଗ୍ରସ୍ତ ଅବସ୍ଥାରେ ରହିଥିଲା, ତାହାର ମରାମତି କରିବାକୁ ବିସିସିଆଇ ଅନୁଦାନକୁ ଅପେକ୍ଷା କରିବାକୁ ପଡିଲା। ଏବେ ମରାମତି ପାଇଁ ଅନୁଦାନ ଆସିଯାଇଥିବାରୁ ସେହି ଟଙ୍କାରେ ସଦସ୍ୟଙ୍କୁ ଖୁସି କରିବା ପାଇଁ ଯୋଜନା କରାଯାଇଛି। ଆନ୍ତର୍ଜାତିକ ଦିନିକିଆ ଅସ୍ଥାୟୀ ଅଟକଳରେ ସ୍ବୀକୃତିପ୍ରାପ୍ତ ୟୁନିଟ୍‌ଗୁଡିକୁ ମୋଟ ୫୦ଲକ୍ଷ ଟଙ୍କାର ସ୍ବତନ୍ତ୍ର ଅନୁଦାନ ପ୍ରଦାନ କରାଯିବ। ଏହାବାଦ୍‌ ସଦସ୍ୟମାନଙ୍କୁ ୬ଲକ୍ଷ ଟଙ୍କାର ସ୍ମାରକୀ ଉପହାର ଦିଆଯିବାକୁ ବ୍ୟବସ୍ଥା ହେଉଛି। ସଦସ୍ୟଙ୍କୁ ଖୁସି କରାଇବା ପାଇଁ ଏହି ବିବରଣୀକୁ ଭାରତ-ୱେଷ୍ଟଇଣ୍ତିଜ ଦିନିକିଆ ଅଟକଳରେ ସ୍ଥାନ ଦିଆଯାଯାଇଛି। ସଦସ୍ୟଙ୍କୁ ଖୁସି କରାଇ ତିନିବର୍ଷର ଅଡିଟ୍‌ ରିପୋର୍ଟ ଅନୁମୋଦନ କରିନିଆଯାଇଥିଲା। ତେବେ ନୂଆ ଯୁବ କର୍ମକର୍ତ୍ତାଙ୍କୁ ନିରାଶ ନକରିବା ପାଇଁ ଓ ଦିନିକିଆ ମ୍ୟାଚକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଦୃଷ୍ଟିରୁ ସମସ୍ତେ ଚୁପ୍‌ ରହିଥିଲେ ବୋଲି କିଛି ସଦସ୍ୟ ନାମ ଗୋପନ ରଖି କହିଛନ୍ତି।

By amfnews

Related Post