Sat. Mar 7th, 2026

ବାରବାଟୀ ଦିନିକିଆ ଆଉ ୮ ଦିନ, କଟକ ଆସିବେ ଗାଙ୍ଗୁଲି: ଆଝାର

352 Views

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟ୍‌ଇଣ୍ଡିଜ୍‌ ମଧ୍ୟରେ ଖେଳାଯିବାକୁଥିବା ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ବେଳେ ଭାରତୀୟ ଦଳର ଦୁଇ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ଓ ସୌରଭ ଗାଙ୍ଗୁଲିଙ୍କୁ ଦେଖିବାକୁ ମିଳିବ। ଉଭୟ ଦଳଙ୍କ ମଧ୍ୟରେ ହେବାକୁଥିବା ଫାଇନାଲ୍‌ ମ୍ୟାଚ୍‌ରେ ଏମାନେ ଓସିଏର ସ୍ବତନ୍ତ୍ର ଅତିଥି ଭାବେ ଷ୍ଟାଡିୟମରେ ଉପସ୍ଥିତ ରହିବେ। ବିସିସିଆଇର ସଭାପତି ଭାବେ ସୌରଭଙ୍କ ସହ ସମ୍ପାଦକ ଜୟ ଶାହ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିସହିତ ବିଭିନ୍ନ ରାଜ୍ୟ ସ˚ଘର ସଭାପତି ଓ ସମ୍ପାଦକମାନଙ୍କୁ ମଧ୍ୟ ଡକାଯାଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଆଝାରୁଦ୍ଦିନ୍‌ ବର୍ତ୍ତମାନ ହାଇଦ୍ରାବାଦ କ୍ରିକେଟ୍‌ ସ˚ଘର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି।

ଏଥିସହିତ ଉକ୍ତ ଦୁଇ ପୂର୍ବତନ ଅଧିନାୟକଙ୍କ ସହ ଓସିଏର ବହୁ ପୁରୁଣା ସମ୍ପର୍କ ରହିଛି। ଆଝାରୁଦ୍ଦିନ୍‌ ତାଙ୍କ ଖେଳ ଜୀବନର ସର୍ବାଧିକ ରନ୍‌ (୧୫୩*) ବାରବାଟୀରେ ହାସଲ କରିଥିଲେ। ୧୯୯୮ ଏପ୍ରିଲ ୯ ତାରିଖରେ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଜିମ୍ବାୱେ ବିପକ୍ଷ ପଞ୍ଚମ ମ୍ୟାଚ୍‌ରେ ସେ ଏହି କୀର୍ତ୍ତିମାନ କରିଥିଲେ। ଅନ୍ୟପକ୍ଷରେ ଗାଙ୍ଗୁଲି ଯଦିଓ ଏଠାରେ ୪ଟି ମ୍ୟାଚ୍‌ ଖେଳିଛନ୍ତି, କିନ୍ତୁ ତାଙ୍କର ପ୍ରଦର୍ଶନ ନିରୁତ୍ସାହଜନକ ଥିଲା। ହେଲେ ବିସିସିଆଇର ସଭାପତି ହେବା ପରେ ତାଙ୍କର ଓସିଏ ପ୍ରତି ବଡ଼ ଅବଦାନ ରହିଥିଲା। ଫନି କ୍ଷୟକ୍ଷତିର ଭରଣା କରିବାକୁ ଓ ଆନ୍ତର୍ଜାତିକ ଦିନିକିଆକୁ ଆୟୋଜନ କରିବା ପାଇଁ ଜରୁରୀକାଳୀନ ପାଣ୍ଠିରୁ ସେ ୧୦ କୋଟି ଟଙ୍କା ଓସିଏକୁ ପ୍ରଦାନ କରିଥିଲେ। ଯାହାଫଳରେ ଆଗାମୀ ମ୍ୟାଚ୍‌କୁ ସଫଳତାର ସହ ଆୟୋଜନ କରିବାକୁ ଓସିଏ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିଲା। କେବଳ ଏତିକି ନୁହେଁ, ବାରବାଟୀକୁ ଦୀର୍ଘଦିନରୁ ଟେଷ୍ଟ୍‌ ଭେନ୍ୟୁର ମାନ୍ୟତା ମିଳୁନଥିବାରୁ, ଏହି ଦିନିକିଆ ମ୍ୟାଚ୍‌ ଜରିଆରେ ସୌରଭଙ୍କୁ ମନାଇବା ପାଇଁ ଉଦ୍ୟମ କରାଯିବ। ଇଡେନ୍‌ ଗାର୍ଡେନ୍ସ ପିଚ୍‌ ଅପେକ୍ଷା ବାରବାଟୀ ପିଚ୍‌ କେତେ ଭଲ ତାହା ଏଠାରେ ପ୍ରମାଣିତ କରାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି।

By amfnews

Related Post