Sun. Mar 8th, 2026

ବାପା ଆଗରେ ପୁଅକୁ ପିଟି ମାରି ଦେଲେ, ଆଉ ଜଣଙ୍କ ଉପରେ କାର୍ ଚଢ଼ାଇ ଦେଲେ

215 Views

କୋଣାର୍କ  :  ପୂର୍ବ ବିବାଦକୁ ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ ଶନିବାର ସନ୍ଧ୍ୟାରେ ହୋଇଥିବା ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଦିଲୀପ ସ୍ୱାଇଁ (୨୯)। ତାଙ୍କ ଘର ଅଠାତିରା ଗାଁରେ। ସେ ଭୁବନେଶ୍ୱରରେ ରହୁଥିଲେ। ଏହି ଆକ୍ରମଣରେ ଦିଲୀପଙ୍କ ବାପା ସାଧୁ ସ୍ୱାଇଁଙ୍କ ସହ ବିପିନ ମୁଦୁଲି ନାମକ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଦିଲୀପ ତାଙ୍କ ବଡ଼ବାପାଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଗାଁକୁ ଯାଇଥିଲେ। ସେଠାରେ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହ ଦିଲୀପଙ୍କର ଥିବା ପୂର୍ବ ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। ତେବେ ଏହା ବିଫଳ ହୋଇଥିଲା। ଏହାପରେ ବିଳମ୍ୱିତ ରାତିରେ ଦିଲୀପଙ୍କ ବାପା ସାଧୁ ସ୍ୱାଇଁଙ୍କୁ ଆକ୍ରମଣ କରାଯାଇଥିଲା। ଏନେଇ ଖବର ପାଇ ଦିଲୀପ ଓ ତାଙ୍କ ସହଯୋଗୀ ବିପିନ ମୁଦୁଲି ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନଙ୍କୁ ମଧ୍ୟ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଏମିତିକି ବିପିନ ଗୁରୁତର ଅବସ୍ଥାରେ ତଳେ ପଡ଼ିଥିବା ବେଳେ ତାଙ୍କ ଉପରେ ଆକ୍ରମଣକାରୀମାନେ କାର୍ ଚଢ଼ାଇ ଦେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଛି।

By amfnews

Related Post